ନୂଆଦିଲ୍ଲୀ: ତିନି ଦିନିଆ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ । ମଙ୍ଗଳବାର ଦିନ ସେ ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରୀ ସଜାଫ୍ରି ସଜାମସୋଉଦ୍ଦିନଙ୍କ ସହ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ସହ ସହଯୋଗ କରିବାକୁ ଆଗ୍ରହ ସେ ଦେଖାଇଛନ୍ତି । ଏହି ସମୟରେ ଆଡମିରାଲ ତ୍ରିପାଠୀ ଇଣ୍ଡୋନେସିଆର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଏ ନେଇ ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ପ୍ରତିରକ୍ଷା ସହଯୋଗକୁ ପ୍ରୋତ୍ସାହିତ କରିବା ପ୍ରସଙ୍ଗରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି।

ମନ୍ତ୍ରଣାଳୟ କହିଛି ଯେ, "ଆଡମିରାଲ ଦୀନେଶ ତ୍ରିପାଠୀ ସୂଚନା ଦେଇଛନ୍ତି ଯେ, ଭାରତ ଏହାର ନୌସେନାର ପ୍ରଗତିରେ ସହାୟତା କରିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ କରୁଛି । ପ୍ରତିରକ୍ଷା ମନ୍ତ୍ରୀ ସଜାଫ୍ରି ସଜାମୋସୋଉଦ୍ଧିନ ଏହାକୁ ପ୍ରଶଂସା କରିଛନ୍ତି। ଇଣ୍ଡୋନେସିଆର ପ୍ରତିରକ୍ଷା ପ୍ରଗତିରେ ଉନ୍ନତି ଆଣିବା ପାଇଁ ସେ ମିଳିତ ଭାବରେ ଆହ୍ବାନ କରିଛନ୍ତି । ମନ୍ତ୍ରଣାଳୟ ଆହୁରି କହିଛି, ଭାରତ-ଇଣ୍ଡୋନେସିଆ ପ୍ରତିରକ୍ଷା ସମ୍ପର୍କକୁ ବିସ୍ତାର କରିବା ଏବଂ ସାମୁଦ୍ରିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା।

ଆଡମିରାଲ ତ୍ରିପାଠୀ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ ସହଯୋଗର ସମ୍ଭାବ୍ୟ ଉପାୟ ଉପରେ ଆଲୋକପାତ କରିଥିଲେ । ଭାରତୀୟ ନୌସେନା ଗତ ସପ୍ତାହରେ କହିଥିଲା ଯେ ଆଡମିରାଲ ତ୍ରିପାଠୀଙ୍କ ଏହି ଗସ୍ତରେ ଭାରତ-ପ୍ରଶାନ୍ତ ମହାସାଗରରେ ଥିବା ଦୃଷ୍ଟିଭଙ୍ଗୀ ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଦୃଢ ସାମୁଦ୍ରିକ ସମ୍ପର୍କ ରହିଛି।