ଜୟପାଟଣା, ୨୬/୦୨: ଓଡ଼ିଶାର ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ସର୍ବାଧିକ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ । ବିଜୁଳି ଆବଣ୍ଟନରେ ମଧ୍ୟ ଇନ୍ଦ୍ରାବତୀ ନିର୍ଭରଯୋଗ୍ୟ ସ୍ଥିତିରେ ରହିଛି । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଗତ ତିନିମାସ ଧରି ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଟାଟା ପାୱାରରୁ ବିଦ୍ୟୁତ୍ କିଣାଯାଉଛି । ଏହି ପ୍ରକଳ୍ପରୁ ଉତ୍ପାଦିତ ବିଜୁଳି ଗ୍ରୀଡ୍କୋକୁ ୟୁନିଟ୍ ପିଛା ୦.୪୨ ପଇସାରେ ଦିଆଯାଉଥିବାବେଳେ ଟାଟା ପାୱାରକୁ ୟୁନିଟ୍ ପିଛା ୬ ଟଙ୍କା ଗଣିବାକୁ ପଡୁଛି । ଦେୟଯୁକ୍ତ ବିଜୁଳିରେ ମୁଖୀଗୁଡ଼ାସ୍ଥିତ ପାୱାର ହାଉସ, କଲୋନି ଓ କାର୍ଯ୍ୟାଳୟକୁ ବିଦ୍ୟୁତ୍ ଯୋଗାଣ ହେଉଛି ।
ଇନ୍ଦ୍ରବତୀ ପ୍ରକଳ୍ପ ଅଞ୍ଚଳକୁ ବିଜୁଳି ଯୋଗାଣ ବାବଦରେ ମୁଖୀଗୁଡ଼ାସ୍ଥିତ ଜଳବିଦ୍ୟୁତ ନିଗମ କାର୍ଯ୍ୟାଳୟ ସାଢ଼େ ୬୪ ଲକ୍ଷ ଟଙ୍କାର ବିଲ୍ ପୈଠ କରିଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ଏ ସମ୍ପର୍କରେ ମୁଖୀଗୁଡ଼ା ଓଡ଼ିଶା ଜଳବିଦ୍ୟୁତ୍ ନିଗମ (ଓଏଚ୍ପିସି)ର ବରିଷ୍ଠ ମହାପ୍ରବନ୍ଧକ ସତ୍ୟବ୍ରତ ମହାନ୍ତିଙ୍କୁ ପଚାରିବାରୁ ସେ ଘଟଣାକୁ ସ୍ୱୀକାର କରିଛନ୍ତି । ପ୍ରକଳ୍ପର ଟ୍ରାନ୍ସଫର୍ମର ଅଚଳ ହୋଇପଡ଼ିଥିବା ଯୋଗୁ ବିଜୁଳି କିଣିବାକୁ ପଡୁଛି । ଯାଜପୁରର ଶ୍ରୀସାଇ ପାୱାରକୁ ମରାମତି ପାଇଁ ଦାୟିତ୍ୱ ଦିଆଯାଇଛି । ଅଳ୍ପଦିନ ମଧ୍ୟରେ ଟ୍ରାନ୍ସଫର୍ମର ମରାମତି ହୋଇ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୨୯ ରାତିରେ ଇନ୍ଦ୍ରାବତୀ ପାୱାର ହାଉସ ସଂଲଗ୍ନ ସ୍ୱିଚ୍ୟାର୍ଡ ମଧ୍ୟରେ ସ୍ଥାପିତ ୨୦ ଏମ୍ଭିର ଟ୍ରାନ୍ସଫର୍ମରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇ ଅଚଳ ହୋଇପଡ଼ିଥିଲା । ତା’ଉପରେ ନିର୍ଭର କରୁଥିବା ପାୱାର ହାଉସ, କଲୋନି, କାର୍ଯ୍ୟାଳୟର ଅନେକ ଅଞ୍ଚଳ ତିନିଦିନ ଧରି ଅନ୍ଧାରରେ ରହିଥିଲା । ପରବର୍ତ୍ତୀ ସମୟରେ ଟାଟା ପାୱାରରୁ ସଂଯୋଗ ଆଣି ବିଦ୍ୟୁତ୍ ଆବଶ୍ୟକତା ପୂରଣ କରାଯାଇଥିଲା । ସେତେବେଳେ ଟାଟା ପାୱାରରୁ ବିଦ୍ୟୁତ୍ ସଂଯୋଗକୁ ନେଇ ଅନେକ ପ୍ରଶ୍ନ ଉଠିଥିଲେ ମଧ୍ୟ ମହାପ୍ରବନ୍ଧକ ଶ୍ରୀ ମହାନ୍ତି ଖଣ୍ଡନ କରି ଆସୁଥିଲେ । ଏବେ ତିନିମାସର ଦେୟ ବାବଦକୁ ୬୪.୫ ଲକ୍ଷ କେମିତି ଓଏଚ୍ସି ପୈଠ କଲା ବୋଲି ପ୍ରଶ୍ନ ଉଠୁଛି । ଇନ୍ଦ୍ରାବତୀ ସ୍ୱିଚୟାଡ୍ର୍ ମଧ୍ୟରେ ଦୀର୍ଘ ୨୫ ବର୍ଷ ଧରି ଏହି ଟ୍ରାନ୍ସଫର୍ମର ଅନବରତ ସେବା ଯୋଗାଇ ଆସୁଛି । ପରିଚାଳନାଗତ ତ୍ରୁଟି ଏହି ଅଚଳାବସ୍ଥାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି । ଏଥିପାଇଁ ଦୁଇଜଣ ବିଭାଗୀୟ ଯନ୍ତ୍ରୀଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଅନ୍ୟତ୍ର ବଦଳି କରିଦିଆଯାଇଛି ।
ଅଧିକ ପଢ଼ନ୍ତୁ :- ଶ୍ରୀମନ୍ଦିରରେ ଫଗୁ ଦଶମୀ, ମହାପ୍ରଭୁଙ୍କ ଚାଚେରୀ ବେଶ
ଇନ୍ଦ୍ରାବତୀ ପ୍ରକଳ୍ପ ୨୦୦୧ ମସିହାରୁ ପୂର୍ଣ୍ଣାଙ୍ଗ ହେବା ପରେ ଆଞ୍ଚଳିକ ବିକାଶକୁ ଯେତିକି ଅଣଦେଖା କରାଯାଇଛି³ ସେତିକି ପରିମାଣରେ ଆଭ୍ୟନ୍ତରୀଣ ପରିଚାଳନା ଓ ସୁରକ୍ଷାରେ ଅବହେଳାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । ଟ୍ରାନ୍ସଫର୍ମରରେ ସାମାନ୍ୟ ତ୍ରୁଟି ସୁଧାରି ନ ପାରି ଲକ୍ଷ ଲକ୍ଷ ଟଙ୍କାର ବିଲ୍ ପୈଠ କରିବା ଟାଟା ପାୱାର ପ୍ରତି ଅନୁକମ୍ପା ନୁହେଁ କି ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି ।