ଭୁବନେଶ୍ୱର, ୨୩।୭ : ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଇନ୍ଭେଷ୍ଟମେଣ୍ଟ ଫ୍ରେଣ୍ଡ୍ଲିନେସ୍ ଇଣ୍ଡେକ୍ସ-୨୦୨୬ରେ ଓଡିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଏଥିସହ ପୂର୍ବ ଓ ଉତ୍ତର ଭାରତରୁ ଓଡିଶା ଏକମାତ୍ର ରାଜ୍ୟ ଭାବେ ସ୍ଥାନିତ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନଠାରେ ରାଜ୍ୟର ବିଭିନ୍ନ ଶିଳ୍ପପତି, ଶିଳ୍ପ ପ୍ରତିନିଧି ଓ ଶିଳ୍ପ ସଂଘର କର୍ମକର୍ତ୍ତାମାନେ ଭେଟି ସମ୍ବର୍ଦ୍ଧିତ କରିଛନ୍ତି।

ନୀତି ଆୟୋଗ ଇନ୍ଭେଷ୍ଟମେଣ୍ଟ ଫ୍ରେଣ୍ଡ୍ଲିନେସ୍ ଇଣ୍ଡେକ୍ସ-୨୦୨୬ରେ ଗୁଜୁରାଟ ୫୬.୬ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଓଡିଶା ୫୨.୪ ପଏଣ୍ଟ ସହିତ ପଞ୍ଚମ ସ୍ଥାନ ଅଧିକାର କରିଛି। ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର, ତୃତୀୟରେ ତାମିଲନାଡୁ ଏବଂ ଚତୁର୍ଥରେ ଗୋଆ ରହିଛି। ବୃହତ ରାଜ୍ୟମାନଙ୍କ ମଧ୍ୟରେ ଦେଖିବାକୁ ଗଲେ ଓଡିଶାର ସ୍ଥାନ ଚତୁର୍ଥରେ ରହିଛି। ଶ୍ରେଷ୍ଠ ୫ଟିରେ ପଶ୍ଚିମ ଭାରତର ଗୁଜୁରାଟ, ଗୋଆ ଓ ମହାରାଷ୍ଟ୍ର ସ୍ଥାନ ପାଇଥିବା ବେଳେ ଦକ୍ଷିଣ ଭାରତରୁ ତାମିଲନାଡୁ ସ୍ଥାନ ପାଇଛି। ଦେଶର ଉତ୍ତର ଓ ପୂର୍ବ ରାଜ୍ୟ ମାନଙ୍କ ମଧ୍ୟରୁ କେବଳ ଓଡିଶା ହିଁ ଟପ୍ ପର୍ଫର୍ମର ଭାବେ ସ୍ଥାନିତ ହୋଇଛି।

ଏହି ଅବସରରେ ଶିଳ୍ପଦ୍ୟୋଗୀମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୀତି ଆୟୋଗର ଏହି ମାନ୍ୟତା ଆମ ପାଇଁ ଖୁବ୍ ଉତ୍ସାହଜନକ। ଏହାଦ୍ୱାରା ଟିମ୍ ଓଡିଶା ଓ ଉଦ୍ୟୋଗୀମାନଙ୍କର ମନୋବଳ ବୃଦ୍ଧି ପାଇଛି। କେବଳ ଶିଳ୍ପ କ୍ଷେତ୍ରରେ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡିଶାକୁ ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବା ଆମର ଲକ୍ଷ୍ୟ ।

ସେ କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ଆପଣମାନଙ୍କ ସହଯୋଗରେ ରାଜ୍ୟରେ ଯେଉଁ ଗତିରେ ଶିଳ୍ପ ବିକାଶ ହେଉଛି, ତାହା ପୂର୍ବରୁ କେବେ ହୋଇନଥିଲା।୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆମେ କଥା ଦେଇଥିଲୁ। ମାତ୍ର ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କା ଟପି ଗଲାଣି।

୨ ବର୍ଷ ମଧ୍ୟରେ ଆମେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିପାରିଛୁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ୪୫୩ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାଦ୍ୱାରା ୯.୫୦ ଲକ୍ଷ କୋଟି ଟଙ୍କା ନିବେଶ ଆସିବ । ଗତ ଦୁଇ ବର୍ଷରେ ଆମେ ୩.୧୧ ଲକ୍ଷ କୋଟି ଟଙ୍କାର ୧୫୨ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛୁ। ଏହା ଦ୍ୱାରା ୨.୫୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ କହିଥିଲେ ଯେ, ଏହି ସମ୍ମାନ କେବଳ ଆମ ପାଇଁ ଏକ Rank ନୁହେଁ, ଏହା ଓଡିଶାକୁ ନିବେଶକମାନଙ୍କ ଭଲପାଇବାକୁ ଦର୍ଶାଉଛି। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ଏବେ ଓଡିଶା ଆଉ ସମ୍ଭାବନାର ରାଜ୍ୟ ଭାବେ ନୁହେଁ, ବରଂ ସଫଳତା ପ୍ରଦର୍ଶନର ରାଜ୍ୟ ଭାବେ ପରିଣତ ହୋଇଛି।ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ଓଡିଶା ଏବେ ଦେଶର ଆଇଟି ମାନଚିତ୍ରରେ ସ୍ଥାନିତ ହୋଇଛି।

ସି.ଆଇ.ଆଇ, ଓଡିଶାର ଅଧ୍ୟକ୍ଷ ଅନିଲ ସିଂ କହିଲେ ଯେ, ଓଡିଶାରେ ଶିଳ୍ପାୟନ ପାଇଁ ଶିଳ୍ପପତି, ଶିଳ୍ପ ପ୍ରତିନିଧି, ସରକାର ଓ ଅଧିକାରୀମାନେ ଟିମ୍ ମନୋଭାବ ନେଇ କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଗାମୀ ବର୍ଷରେ ଓଡିଶା ନିଶ୍ଚିତ ରୂପେ ଏହି ସୂଚକାଙ୍କରେ ଦ୍ୱତୀୟ ସ୍ଥାନ ଅଧିକାର କରିବ।ଆଇ.ସି.ସି, ଓଡିଶା’ର ଚେୟାରମ୍ୟାନ ରାଜୀବ ସାହୁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ସମ୍ପନ୍ନ ନେତୃତ୍ୱରେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ପ୍ରତ୍ୟେକ ଦିନ ଓଡିଶା ଶିଳ୍ପ କ୍ଷେତ୍ରରେ କିଛି ନା କିଛି ଫୁଟ୍ପ୍ରିଣ୍ଟ ଛାଡୁଛି। ସି.ଆଇ.ଆଇର ପ୍ରତିନିଧି ସୁବ୍ରତ ତ୍ରିପାଠୀ କହିଥିଲେ ଯେ, ଓଡିଶାରେ ଏଭଳି ବିକାଶ ଆମେ ଆଜି ପର୍ଯ୍ୟନ୍ତ ଦେଖି ନଥିଲୁ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜଙ୍ଗଲ, ଜଳ ସମ୍ପଦ, ରାଜସ୍ୱ ବିଭାଗ ସହିତ ଅନ୍ୟାନ୍ୟ ବିଭାଗମାନଙ୍କ ଆନ୍ତରିକ ସହଯୋଗରେ ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଆମେ ଆଗକୁ ବଢୁଛୁ ବୋଲି କହିଥିଲେ। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓଡିଶାରେ ଶିଳ୍ପ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରି ଧନ୍ୟବାଦ ଦେଇଥିଲେ। ଇପିକଲ୍ ର ପରିଚାଳନା ନିର୍ଦ୍ଦେଶକ ଆବୋଲି ସୁନୀଲ ନରଭାଣେ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ : ମହାନଦୀ ଜଳ ବିବାଦ ମାମଲା : କେନ୍ଦ୍ର ସରକାର–କେନ୍ଦ୍ର ଜଳ କମିଶନଙ୍କୁ ମଧ୍ୟସ୍ଥତା ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ