ଅନେକ କିଶୋର କିଶୋରୀଙ୍କ ଅକାଳ ମୃତ୍ୟୁ ଏହି ବିପଜ୍ଜନକ ସୋସିଆଲ ମିଡିଆ ଚାଲେଞ୍ଜରୁ ହେବାର ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଚାଲିଛି । ଏହାକୁ କେତେକ କହୁଛନ୍ତି ବ୍ଲାକ୍ଆଉଟ୍ ଚାଲେଞ୍ଜ, ଅର୍ଥାତ୍ ଏଥିରେ ଭାଗ ନେଉଥିବା କିଶୋର କିଶୋରୀମାନେ ନିଜକୁ ଶ୍ୱାସରୁଦ୍ଧ ହୋଇ ସଂଜ୍ଞା ହରାଇ ବସୁଛନ୍ତି ।
କୈଶୋର ଅବସ୍ଥାର ମନଟିକୁ କୁହାଯାଏ ସମ୍ବେଦନଶୀଳ ବା ଅନୁଭୂତିପ୍ରବଣ ମନ । ତାହା ସହଜରେ ପ୍ରଭାବିତ ହୁଏ । ଯେଉଁ ଛାପ ପଡ଼େ ତାର ସ୍ମୃତି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ରହେ । ତେଣୁ କିଶୋର କିଶୋରୀଙ୍କ ମନଟିକୁ ଅତ୍ୟନ୍ତ ସତର୍କତାର ସହିତ ଯତ୍ନ ନେବାର ଚେଷ୍ଟା କରାଯାଏ । ସ୍କୁଲରେ ପଢ଼ୁଥିବାବେଳର ଗଳ୍ପ, ଗୀତ, ଦେଖିଥିବା ସୁନ୍ଦର ସୁନ୍ଦର ଦୃଶ୍ୟ, ପାଇଥିବା ବ୍ୟବହାର ଦୀର୍ଘସ୍ଥାୟୀ ହୋଇଯାଏ । ଆଜିର ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିରେ ପ୍ରଭାବିତ ହୋଇ ବାପା, ମାଆ ନିଜ ସନ୍ତାନଟିର ଭବିଷ୍ୟତକୁ ଉଜ୍ଜ୍ୱଳତର କରିବା ଉଦ୍ଦେଶ୍ୟ ନେଇ ଅଜାଣତରେ ତାର ଶୈଶବଟିକୁ ନଷ୍ଟ କରିଦିଅନ୍ତି ବହି ବସ୍ତାନିର ବୋଝ ତା’ ପିଠିରେ ଲଦିଦେଇ । ଆଉ କୈଶୋର ବେଳକୁ ହାତରେ ସ୍ମାର୍ଟ ମୋବାଇଲ ଫୋନ୍ ଓ ଅଧିକ ଜ୍ଞାନ ଉପାର୍ଜନର ଆକାଂକ୍ଷା ନେଇ ମୁଖ୍ୟତଃ ସୋସିଆଲ ମିଡିଆ ହୋଇଯାଏ ସେମାନଙ୍କର ନିତିଦିନର ସାଥୀ । ହୁଏତ କିଛି ମାତ୍ରାରେ ଠିକ୍ ହୋଇପାରେ । ତେଣୁ କୁହାଯାଏ ସୋସିଆଲ ମିଡିଆ ଭଲ, କିନ୍ତୁ ଏହା କେବେ ସମାନ ନୁହେଁ ସାମାଜିକ ସମାବେଶ ସହିତ ।
ମଣିଷ-ମଣିଷ ମଧ୍ୟରେ ଭାବଗତ, ସଂସର୍ଗଗତ ସଂପର୍କର କେବେ ସମ୍ଭାବନା ନଥାଏ ସୋସିଆଲ ମିଡିଆରେ ରହିବା ଭିତରେ । କିନ୍ତୁ କିଶୋର, କିଶୋରୀଙ୍କ ମନ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ସୋସିଆଲ ମିଡିଆରୁ ଅନେକ ଦରକାରୀ ସହିତ ଅଦରକାରୀ, ବିପଜ୍ଜନକ ସାଇଟ୍ଗୁଡ଼ିକୁ ସେମାନେ ଚାଲିଯାଆନ୍ତି କୌତୁହଳବଶତଃ । ଏହି କୌତୁହଳ ସେମାନଙ୍କୁ ଟାଣିନେଉଛି ଅବାଟକୁ, ଅନେକ କ୍ଷେତ୍ରରେ ଅଜାଣତରେ ଏକରକମ ଚରମ ସ୍ଥିତିକୁ । ଏଥିପାଇଁ କେବଳ ଆମ ଦେଶନୁହେଁ ସମଗ୍ର ବିଶ୍ୱ ଚିନ୍ତିତ, ସ୍ତମ୍ଭୀଭୂତ । ଏହାକୁ କୁହାଯାଉଛି ଆହତ କୈଶୋର । ଅର୍ଥାତ୍ ୧୩ରୁ ୧୯ବର୍ଷ ବୟସ ମଧ୍ୟରେ ବା ଶୈଶବରୁ ପ୍ରାପ୍ତବୟସ୍କ ଆଡ଼କୁ ଯାଉଥିବା ଏହି ବୟସରେ ଯଦି ସେ ଟ୍ରମା ବା ଶାରୀରିକ, ମାନସିକ ଆଘାତ ପାଏ, ଜଘନ୍ୟ ଠକାମିର ଶିକାର ହୁଏ, ପରିବାରରେ ପିତାମାତାଙ୍କ ମଧ୍ୟରେ ବିବାହ ବିଚ୍ଛେଦର ଦାରୁଣ ଆଘାତ ଅବଲୋକନ କରେ, ହିଂସା ଦେଖେ, ତାରି ଆଗରେ ମୃତ୍ୟୁ ଘଟେ ହଣାକଟାର ନୃଶଂସ ଚିତ୍ର ଦେଖେ, ସେହି ଅନୁଭୂତିପ୍ରବଣ ମନ ଏପରି ଭାବରେ ଆନ୍ଦୋଳିତ ହୁଏ ଯେ, ସେ ମାନସିକ ଭାରସାମ୍ୟ ରକ୍ଷା କରିପାରେନା । ଜୀବନ ଏକ ବିଚିତ୍ର ଭଙ୍ଗୀରେ ଆପଣାଛାଏଁ ପରିଚାଳିତ ହୋଇଯାଏ । ତେଣୁ କୁହାଯାଇଛି ଯେ ‘ସୋସିଆଲ ମିଡିଆ ହାର୍ମସ୍ ୟୋର କିଡ୍ସ’, ଅର୍ଥାତ୍ ସାମାଜିକ ଗଣମାଧ୍ୟମ ତୁମ ପିଲାକୁ କ୍ଷତି ପହଞ୍ଚାଏ । ସେଥିପାଇଁ ପ୍ରାୟ ପ୍ରତ୍ୟେକ ରାଷ୍ଟ୍ରରେ ଆଇନ ପ୍ରଣୟନକାରୀମାନେ ଏହି ଅବସ୍ଥାରୁ କୈଶୋରକୁ ବଞ୍ଚାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ସୋସିଆଲ ମିଡିଆକୁ ଯେପରି ସେମାନେ ପ୍ରବେଶ କରିନପାରିବେ ସେଥିପ୍ରତି ଆଇନ ଆଣିବାକୁ ମସୁଧା କରୁଛନ୍ତି ।
କେତେଜଣ ଏହି ମାଧ୍ୟମ ଯୋଗୁଁ ଟ୍ରମା, ଆତ୍ମହତ୍ୟାର ଶିକାର ହୋଇଛନ୍ତି ବା ହୋଇଚାଲିଛନ୍ତି ତାର କୌଣସି ଗ୍ଲୋବାଲ ଡାଟାବେସ୍ ନାହିଁ । କିନ୍ତୁ ସେଇ ଦିଗରେ ଗବେଷଣାରୁ ଜଣାଯାଏ, ଯଦି ଜଣେ କିଶୋର ସୋସିଆଲ ମିଡିଆରେ ଥିବା ଆତ୍ମଘାତୀ ବିଷୟବସ୍ତୁ ଭିତରକୁ ପ୍ରବେଶ କରେ ବା ମନ ମଧ୍ୟକୁ ଆସେ ଆତ୍ମହତ୍ୟାର ଭାବନା, ଆତ୍ମଘାତୀ ବ୍ୟବହାର ଓ ଅନ୍ୟକୁ ଗଭୀର ଆଘାତ ପହଞ୍ଚାଇବାର ଭାବନା । ଅନେକ କିଶୋର କିଶୋରୀଙ୍କ ଅକାଳ ମୃତ୍ୟୁ ଏହି ବିପଜ୍ଜନକ ସୋସିଆଲ ମିଡିଆ ଚାଲେଞ୍ଜରୁ ହେବାର ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଚାଲିଛି । ଏହାକୁ କେତେକ କହୁଛନ୍ତି ବ୍ଲାକ୍ଆଉଟ୍ ଚାଲେଞ୍ଜ, ଅର୍ଥାତ୍ ଏଥିରେ ଭାଗ ନେଉଥିବା କିଶୋର କିଶୋରୀମାନେ ନିଜକୁ ଶ୍ୱାସରୁଦ୍ଧ ଅବସ୍ଥାକୁ ନେଇଯାଇ ସଂଜ୍ଞା ହରାଇ ବସୁଛନ୍ତି । ଏକ ସର୍ବେକ୍ଷଣ ସୂଚାଏ ଯେ, କେତେ କ୍ଷେତ୍ରରେ ସେପରି ସାଇଟ୍କୁ ସର୍ଚ୍ଚ ନକରି ବି ଆପଣାଛାଏଁ ଟିକ୍ଟକ୍ ଇନଷ୍ଟାଗ୍ରାମକୁ ଚାଲିଆସୁଥିବା ଏଭଳି ଗ୍ରାଫିକ କଣ୍ଟେଣ୍ଟ ସବୁ ଦେଖି ଅନେକଙ୍କ ବ୍ୟବହାର ପୀଡ଼ିତ, ବ୍ୟଥିତ ହୋଇଯାଉଛି କୌଣସି କାରଣ ନଥାଇ । ଯିଏ ଏଭଳି ସାଇଟ୍ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇପଡ଼ୁଛନ୍ତି ସେମାନଙ୍କ ଚିନ୍ତାଧାରାରେ ଆତ୍ମହତ୍ୟାପ୍ରବଣତା, ସାଂଘାତିକ ଭାବପ୍ରବଣ, ବ୍ୟଥା ବେଦନାରେ ଅସ୍ଥିରତା, ନିତ୍ୟ ସାଥୀ ହେଇଯାଉଛି ।
ସେହିପରି ଆତ୍ମପ୍ରକାଶ କରିଛି ଆଉ ଏକ ଅଜବ ଚାଲେଞ୍ଜ- ସ୍କଲ ବ୍ରେକର ଚାଲେଞ୍ଜ ବା ଶକ୍ତ ଆଘାତ କରି ମୁଣ୍ଡକୁ ଫଟାଇ ଦେବାର ଷ୍ଟଣ୍ଟ ବା ବଳ ପ୍ରଦର୍ଶନ । ଏଥିରେ ଦୁଇଜଣ କିଶୋର ଅନ୍ୟ ଜଣକୁ ପ୍ରବର୍ତ୍ତାଇବେ ଡେଇଁବା ପାଇଁ ଓ ଡେଇଁବା ଅବସ୍ଥାରେ ତା’ ଗୋଡ଼କୁ ଏପରି ଛନ୍ଦିଦେବେ ଯେ ସେ ପଛଆଡକୁ ପଡ଼ିଯାଇ ମୁଣ୍ଡ ଫଟାଇବ । ଅନେକ କ୍ଷେତ୍ରରେ ଏହା ମେରୁଦଣ୍ଡକୁ ଆଘାତ କରି ତାକୁ ପାରାଲିସିସ୍ ଅବସ୍ଥାକୁ ନେଇଯିବ । ସେଇଭଳି ଅଛି ‘ଟାଇଡ୍ ପଡ୍ ଚାଲେଞ୍ଜ’ ଯେଉଁଥିରେ ପିଲାଟି ଲୁଗାସଫା ଡିଟରଜେଣ୍ଟକୁ ଖାଇବ ଓ ଶେଷରେ ବାନ୍ତି କରି କରି ସଂଜ୍ଞାହୀନ ଅବସ୍ଥାକୁ ଚାଲିଯିବ । ସେଇଭଳି ଅଛି ଅଗ୍ନି ସଂପର୍କୀୟ ଚାଲେଞ୍ଜ, ଯେଉଁଥିରେ ସେ କୋଲୋଗନ, ଡିଓଡେରଣ୍ଟ ଭଳି ଜ୍ୱଳନଶୀଳ ପଦାର୍ଥରେ ଅଗ୍ନିସଂଯୋଗ କରିବ ତା’ର ଅଗ୍ନିଶିଖାର ଫଟୋ ଉତ୍ତୋଳନ କରି ଦେଖାଇବା ପାଇଁ । ଶେଷରେ ସେ ନିଜେ ଶରୀରକୁ ଜଳାଇ ବସିବ । ଏଭଳି ଅତ୍ୟନ୍ତ ବିପଜ୍ଜନକ ଚାଲେଞ୍ଜ ସବୁ ଆସିଯାଉଛି ସୋସିଆଲ ମିଡିଆରେ ଓ କୌତୁହଳର ଶିକାର ହୋଇ କିଶୋର, କିଶୋରୀ ଏହା କରିବସୁଛନ୍ତି ଫଳାଫଳକୁ ଖାତିର ନକରି । ଆଉ ଯୌନ ସମ୍ବନ୍ଧୀୟ ନଗ୍ନଚିତ୍ର, ଭିଡିଓ ବିଷୟରେ ନଲେଖିବା ଭଲ । ଏହାସବୁ ଛାରଖାର କରିଦେଉଛି କୈଶୋରକୁ । ବିବିସି ନିଉଜ ଚାନେଲରେ କେତେକ ପତ୍ରକାର ୬ଟି ଫିକ୍ସନାଲ ପ୍ରୋଫାଇଲ ବା କାଳ୍ପନିକ ରୂପରେଖର ସନ୍ଧାନ ପାଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି, ଯହିଁରେ ସେଗୁଡ଼ିକୁ ସ୍କ୍ରଲ କରିବା ଭିତରେ ଆସିଯାଉଛି ଅସ୍ତ୍ରଶସ୍ତ୍ର, ହତ୍ୟା, ଠକାମି, ଆତ୍ମହତ୍ୟାର ବିଷୟବସ୍ତୁ ।
ଟିକ୍ଟକ୍, ୟୁଟିଉବ ଆଦିରେ ଗାଇଡାନ୍ସ ବି ଆସିଯାଉଛି ଯୌନବିଚାର ଉତ୍ତେଜକ ଭିଡିଓ ସବୁ ପ୍ରରୋଚିତ କରିବାକୁ କିଶୋର କିଶୋରୀଙ୍କୁ । ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ରାଷ୍ଟ୍ର, ଯିଏ ୨୦୨୪ ମସିହାରେ ପାସ୍ ହୋଇଥିବା ୧୬ବର୍ଷ ବୟସ ପୂର୍ବରୁ କିଶୋର କିଶୋରୀମାନେ ସୋସିଆଲ ମିଡିଆରେ ପ୍ରବେଶକୁ ବ୍ୟାନ କରିଥିବା ଆଇନକୁ ଏଇ ଡିସେମ୍ବର ୧୦ ତାରିଖରୁ ଲାଗୁ କରିଦେଇଛନ୍ତି । ଫେସବୁକ, ଇନଷ୍ଟାଗ୍ରାମ, ସ୍ନାପଚାଟ୍, ଥ୍ରେଡିସ, ଟିକ୍ଟକ୍, ଏକ୍ସ, ୟୁଟିଉବ, ରେଡିଟ୍, କିକ୍ ଓ ଟୁଇଚ ଭଳି ୧୦ଟି ପ୍ଲାଟଫର୍ମ ଉପରେ ରୋକ ଲଗାଇଛନ୍ତି ଯେପରି ସେଥିରେ ପ୍ରବେଶ କରୁଥିବା କିଶୋରକୁ ନିଜ ବୟସର ପ୍ରମାଣ ଦେବାକୁ ହେବ । ଏହା ବ୍ୟଥିତ କରିଛି ସେହି ଟେକଜାଏଣ୍ଟମାନଙ୍କୁ ଓ ସେମାନେ ସରକାରଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି । ଅଷ୍ଟ୍ରେଲିଆର ଏକ ଅନୁସନ୍ଧାନକାରୀ ଉଲ୍ଲେଖ କରିଛନ୍ତି ସେଇ ଦେଶରେ ୧୦ରୁ ୭ଜଣ କିଶୋର କିଶୋରୀ, ଯେଉଁମାନଙ୍କର ବୟସ ୧୦-୧୫ ମଧ୍ୟରେ ସେମାନେ ସୋସିଆଲ ମିଡିଆରେ ପ୍ରବେଶ କରିଯାଇଛନ୍ତି ଅତ୍ୟନ୍ତ କ୍ଷତିକାରକ ସାଇଟଗୁଡ଼ିକୁ, ଯାହା ଭିତରେ ଅଛି ବିବାହକୁ ଘୃଣା, ଆତ୍ମହତ୍ୟା ଆଦିର ଦୃଶ୍ୟ ।
ଏଠାରେ ଉଲ୍ଲେଖନୀୟ, ମେଟା କମ୍ପାନୀର ଲିକ୍ ହେଇଥିବା ଆଭ୍ୟନ୍ତରୀଣ ନଥି ସୂଚାଏ ଏହାର ଅନଲାଇନ ପ୍ଲାଟଫର୍ମ, ନଗ୍ନଚିତ୍ର ପ୍ରଦର୍ଶନ, ଆତ୍ମଘାତୀ, ଆତ୍ମହତ୍ୟା ଭାବନାରେ ଭରପୂର । ତେଣୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏକ ଭିଡିଓ ମେସେଜରେ ବାପାମାଆଙ୍କୁ ପରାମର୍ଶ ଦେଇଛନ୍ତି ଛୁଟିଦିନମାନଙ୍କରେ ପିଲାମାନେ ସ୍ମାର୍ଟଫୋନ୍ ଯେପରି ନଖୋଲନ୍ତି । ନୂତନ କିଛି ଖେଳ, ନୂଆବହି ପଢ଼ିବା, କିଛି ବାଦ୍ୟଯନ୍ତ୍ର ଶିଖିବା ଆଦିରେ ସମୟ ବିତାନ୍ତି । ଆଉ ନିଜର ପାରିବାରିକ ବନ୍ଧୁମିଳନ ଆଦିରେ ସାମିଲ ହୁଅନ୍ତି । ଏଭଳି କଟକଣା ଯେହେତୁ ଅଷ୍ଟ୍ରେଲିଆ ଆରମ୍ଭ କରିଛି, ବିଶ୍ୱର ଅନେକ ରାଷ୍ଟ୍ର ଏହାର ଫଳାଫଳକୁ ଅପେକ୍ଷା କରିଛନ୍ତି । ଟିକ୍ଟକ୍ର ମୁଖପାତ୍ର ଉଲ୍ଲେଖ କରିଛନ୍ତି ଯେ, ୯୮% ହାର୍ମଫୁଲ କଣ୍ଟେଣ୍ଟସ୍କୁ କମ୍ପାନୀ ବାହାର କରିଦେଇଛି । ଅର୍ଥାତ୍ ସେମାନେ ପରୋକ୍ଷ ଭାବରେ ସ୍ୱୀକାର କରିଛନ୍ତି ଯେ ଏପରି କ୍ଷତିକାରକ ପ୍ଳାଟଫର୍ମଗୁଡ଼ିକ ଥିଲା । କିନ୍ତୁ ଆମେରିକାରେ ଏକ ବିଚିତ୍ର ଘଟଣା ଘଟିଛି । ଏପରି ବ୍ୟାନକୁ ସିଭିଲ ଲିବର୍ଟି ବା ନାଗରିକ ସ୍ୱନ୍ତ୍ରତା ଦାବି କରୁଥିବା ଆକ୍ଟିଭିଷ୍ଟମାନେ ବିରୋଧ କରିଛନ୍ତି । ସେମାନେ ସୋସିଆଲ ମିଡିଆ କମ୍ପାନୀଙ୍କ ସହିତ ସ୍ୱର ମିଳାଇଛନ୍ତି । ଅର୍ଥାତ୍ ଏପରି ଆଇନ ଯଦି କରାଯାଏ, ଏହା ଲିଗାଲ ଚାଲେଞ୍ଜ ବା ଆଇନଗତ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବ । ଏପରି ବ୍ୟାନ ସମସ୍ୟାର ସମାଧାନ କରିପାରିବନାହିଁ ଏବଂ ମତ ପ୍ରକାଶ କରିବାର ଅଧିକାରର ବିରୁଦ୍ଧାଚରଣ କରିବ ।
ସେମାନଙ୍କର କହିବା କଥା ହେଲା, ସୋସିଆଲ ମିଡିଆ କମ୍ପାନୀମାନଙ୍କୁ ପରାମର୍ଶ ଦିଆଯାଉ ସେମାନେ ପ୍ଲାଟଫର୍ମଗୁଡ଼ିକର ଡିଜାଇନ ଏପରି କରନ୍ତୁ ଯେପରି ତାହା ସମସ୍ତଙ୍କର କିଶୋର, କିଶୋରୀ ଅବା ବୟସ୍କ ସମସ୍ତଙ୍କ ବ୍ୟବହାର ପାଇଁ ଉପଯୁକ୍ତ ହେବ । କିନ୍ତୁ ଡେନମାର୍କ ଏଇ ବୟସକୁ ୧୬ରୁ ଖସାଇ ୧୫ କରିବାକୁ ଚାହିଁଛି । ଇଂଲଣ୍ଡର ଆଇନ ନିର୍ମାଣକାରୀମାନେ ବୟସ କଟକଣା ସହିତ ସମୟ କଟକଣା ଥିବା ଆଇନ ବାବଦରେ ଚିନ୍ତା କରୁଛନ୍ତି । କିନ୍ତୁ ଅଷ୍ଟ୍ରେଲିଆର ୭୭% ଲୋକ ସରକାରଙ୍କୁ ଦୃଢ଼ ସମର୍ଥନ ଜଣାଇଛନ୍ତି । ଏକ ଗ୍ଲୋବାଲ ସର୍ଭେ ସୂଚାଏ, ସମଗ୍ର ବିଶ୍ୱରେ ୬୫% ଲୋକ ଏହାକୁ ସମର୍ଥନ କରିଛନ୍ତି ଓ ବୟସ ୧୬ରୁ ଖସାଇ ୧୪ କରିବାପାଇଁ ପରାମର୍ଶ ଦେଇଛନ୍ତି । ଜର୍ମାନୀ, ଫ୍ରାନ୍ସ ବାପାମାଆଙ୍କ ସମ୍ମତି ନେଇ ପିଲାମାନେ ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ଉପରେ ଗୁରୁତ୍ୱ ଦେଇଛନ୍ତି । ନେଦରଲାଣ୍ଡ, ସାଉଥ କୋରିଆ ଶ୍ରେଣୀଗୃହରେ ସେଲଫୋନ୍ ବ୍ୟବହାର ବ୍ୟାନ କରିବାପାଇଁ ମତ ଦେଇଛନ୍ତି । ଆମ ଦେଶରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ବା ଡିପିଡିପି ୨୦୨୩ ମସିହାରୁ ଅଛି ଓ ୨୦୨୫ରେ ଗୋଟିଏ କେସ୍ରେ ସୁପ୍ରିମକୋର୍ଟ ବୟସ କଟକଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଓ ପୂର୍ବ ଆଇନରେ ଥିବା ୧୮ବର୍ଷ ତଳକୁ ପିତାମାତାଙ୍କର ସମ୍ମତି କଥାକୁ ଦୋହରାଇଛନ୍ତି ।
ଆମ ଦେଶର ଏକ୍ସପର୍ଟମାନଙ୍କର ମତ ହେଲା, ଏପରି ବ୍ୟାନ ଅବାସ୍ତବ ବରଂ ଦାୟିତ୍ୱଶୀଳ ଭାବେ କିଶୋର କିଶୋରୀଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ନଜର ରଖିବା ଓ କମ୍ପାନୀମାନଙ୍କର ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦେବା ବାବଦରେ ମତପ୍ରକାଶ କରିଛନ୍ତି । ଏହା ପିତାମାତାଙ୍କ ଦାୟିତ୍ୱବୋଧ ଓ କମ୍ପାନୀମାନଙ୍କର ଉତ୍ତରଦାୟିତ୍ୱ ମଧ୍ୟରେ ଭାରସାମ୍ୟ ରକ୍ଷା କରିପାରିବ ଓ ପିଲାଟିକୁ ବିପଜ୍ଜନକ ସାଇଟରୁ ରକ୍ଷା କରିପାରିବ । ଯଦି କମ୍ପାନୀମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ଦ୍ଦେଶକୁ ପରିପାଳନ ନକରନ୍ତି, ୫୦ ନିୟୁତ ଅଷ୍ଟ୍ରେଲିଆନ ଡଲାର ଜରିମାନା ଦେବାକୁ ଆଇନରେ ପ୍ରାବଧାନ ରଖିଛନ୍ତି । କିନ୍ତୁ ଆଜିର କିଶୋର କିଶୋରୀମାନେ ଜୀବନ ବିତାଉଛନ୍ତି ଏକ ଟେକ୍ନୋଲଜି ଉପରେ ନିର୍ଭରଶୀଳ ପରିବେଶ ଭିତରେ । ସେମାନେ ନିଜେ ନିଜେ ଏପରି ବ୍ୟାନର ବିକଳ୍ପ ଖୋଜିନେବେ । ଭି.ପି.ଏନ. ବା ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ ଓ ମିଛ ପ୍ରୋଫାଇଲ ସୃଷ୍ଟି କରିବା ମାଧ୍ୟମରେ । ତା’ ସହିତ ଏପରି ବ୍ୟାନ ମଧ୍ୟ ପିଲାମାନଙ୍କୁ ୱେବ୍ର ଅତ୍ୟଧିକ ବିପଜ୍ଜନକ କୋଣକୁ ନେଇଯାଇପାରେ । ଖେଳ ଥିବା ପ୍ଲାଟଫର୍ମକୁ ବ୍ୟାନ ଭିତରେ ରଖାଯାଇନାହିଁ ଅବଶ୍ୟ । କିନ୍ତୁ ସବୁଠାରୁ ଉତ୍ତମ ହେଲା, ସୋସିଆଲ ମିଡିଆକୁ ପ୍ରବେଶ କରିବାକୁ ହେଲେ କିଛି ଅର୍ଥ ଖର୍ଚ୍ଚ କରିବାର ବ୍ୟବସ୍ଥା ହେଉ ।