କରାଚୀ,୦୮/୦୨: ଆଗାମୀ ଆଇସିସି ଚାମ୍ପିଅନ୍ସ ଟ୍ରଫିରୁ ପାକିସ୍ତାନର ଯୁବ ବ୍ୟାଟିଂ ବିସ୍ମୟ ସାଏମ ଆୟୁବ ବାଦ ପଡ଼ିଛନ୍ତି । ତାଙ୍କୁ ଫିଟ୍‌ ହେବା ପାଇଁ ଅତି କମ୍‌ରେ ଆଉ ୫ରୁ ୬ ସପ୍ତାହ  ସମୟ ଲାଗିବ । ପାକିସ୍ତାନର ଏହି ଯୁବ ବାମ ହାତି ବ୍ୟାଟର ୯ଟି ଦିନିକିଆ ଖେଳି ୬୪.୩୭ ହାରରେ ୫୧୫ ରନ୍‌ ସଂଗ୍ରହ  କରିଥିଲେ । ସ୍ୱଳ୍ପ ସମୟ ମଧ୍ୟରେ ସେ ୩ଟି ଶତକୀୟ ପାଳି ଖେଳି  ସାରିଥିଲେ । 

ଚାମ୍ପିଅନ୍ସ ଟ୍ରଫିରେ ସେ ଦର୍ଶକଙ୍କ ପସନ୍ଦ ପାଲଟିବେ  ବୋଲି ଆକଳନ କରାଯାଉଥିଲା । ମାତ୍ର ଗତ ଜାନୁଆରୀ ମାସରେ ସେ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଦ୍ୱିତୀୟ ଟେଷ୍ଟ ଖେଳୁଥିବା ସମୟରେ ଆହତ ହୋଇଥିଲେ । ଫିଲ୍ଡିଂ କରୁଥିବା ସମୟରେ  ତାଙ୍କ ଡାହଣ ପାଦରେ ଗଭୀର ଆଘାତ ଲାଗିଥିଲା । ସେ ସମ୍ପ୍ରତି  ଲଣ୍ଡନରେ ଚିକିତ୍ସିତ ଅଛନ୍ତି । ଫିଟ୍‌ ହେବା ପାଇଁ ତାଙ୍କୁ ଆଉ ୫ ସପ୍ତାହ ସମୟ ଲାଗିବ ବୋଲି ପାକିସ୍ତାନ କ୍ରିକେଟ୍‌ ବୋର୍ଡ  ଘୋଷଣା କରିଛି । ମାର୍ଚ୍ଚ ୯ ତାରିଖରେ ଚାମ୍ପିଅନ୍ସ ଟ୍ରଫି ଶେଷ  ହେବ । ଏହି ସମୟ ବେଳକୁ ସେ ଫିଟ୍‌ ହୋଇ ନଥିବେ । ତେବେ ପାକିସ୍ତାନର ଆଗାମୀ ନ୍ୟୁଜିଲାଣ୍ଡ(୫ ଟି-ଟ୍ୱେଣ୍ଟି, ଦିନିକିଆ)  ଗସ୍ତ ବେଳକୁ ସେ ଦଳକୁ ଫେରିବାର ସମ୍ଭାବନା ରହିଛି ।