ନୂଆଦିଲ୍ଲୀ ୧୬/୦୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ଭାରତୀୟ ପତାକା ବିଶିଷ୍ଟ ଏଲପିଜି ଟ୍ୟାଙ୍କର୍ ଶିବାଲିକ୍ ଏଲପିଜି କ୍ୟାରିଅର କିଛି ଘଣ୍ଟା ମଧ୍ୟରେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିବାର ଅଛି। ଜାହାଜଟି ହର୍ମୁଜରୁ ସୁରକ୍ଷିତ ଭାବରେ ପାର ହୋଇ ଭାରତ ଅଭିମୁଖେ ଯାତ୍ରା କରିଥିଲା, ଯେଉଁଥିରେ ୪୫,୦୦୦ ମେଟ୍ରିକ୍ ଟନ୍‌ରୁ ଅଧିକ ଏଲପିଜି ରହିଛି। ଏହା ଦେଶରେ ଜାରି ରହିଥିବା ଏଲପିଜି ଯୋଗାଣ ଅଭାବକୁ ଦୂର କରିବାରେ ସାହାଯ୍ୟ କରିବ ବୋଲି ବିଶ୍ୱାସ କରାଯାଉଛି।

ଇରାନ-ଇସ୍ରାଏଲ ବିବାଦ ଯୋଗୁଁ, ହର୍ମୁଜରେ ଅନେକ ଜାହାଜ ଫସି ରହିଥିଲା। ଭାରତ ସରକାରଙ୍କ ନିରନ୍ତର କୂଟନୈତିକ ପ୍ରୟାସ ପରେ, ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ଯିବାକୁ ଅନୁମତି ମିଳିଥଲା। ଏହି ଜାହାଜଗୁଡ଼ିକ ମଧ୍ୟରୁ ପ୍ରଥମ ଶିବାଲିକ୍ ଏବେ ମୁନ୍ଦ୍ରା ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଦ୍ୱିତୀୟ ଜାହାଜ ନନ୍ଦା ଦେବୀ, ଆସନ୍ତାକାଲି, ମାର୍ଚ୍ଚ ୧୭ ତାରିଖରେ କାଣ୍ଡଲା ବନ୍ଦରରେ ପହଞ୍ଚିବ।

ଏହି ସମୟରେ, ଅନ୍ୟ ଏକ ଭାରତୀୟ ପତାକାଯୁକ୍ତ ତୈଳ ଟ୍ୟାଙ୍କର୍ ଜାଗ୍ ଲାଡକି ମଧ୍ୟ ପ୍ରାୟ ୮୦,୮୦୦ ଟନ୍ ଅଶୋଧିତ ତୈଳ ନେଇ ସଂଯୁକ୍ତ ଆରବ ଏମିରେଟ୍ସର ଫୁଜୈରାହରୁ ସୁରକ୍ଷିତ ଭାବରେ ଭାରତ ଅଭିମୁଖେ ଯାତ୍ରା କରିଛି। ସରକାର କହିଛନ୍ତି ଯେ ଏହି ଅଞ୍ଚଳରେ ଭାରତୀୟ ଜାହାଜ ଏବଂ ନାବିକମାନଙ୍କ ସୁରକ୍ଷା ଉପରେ ନିରନ୍ତର ନଜର ରଖାଯାଇଛି ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ଏଜେନ୍ସିଗୁଡ଼ିକ ସୁଗମ ସାମୁଦ୍ରିକ ବାଣିଜ୍ୟ ଏବଂ ଶକ୍ତି ଯୋଗାଣ ବଜାୟ ରଖିବା ପାଇଁ ସମନ୍ୱୟ ସ୍ଥାପନ କରୁଛନ୍ତି।

ପର୍ସିଆନ ଗଲ୍ଫରେ ଏବେ ବି ରହିଛି ୨୨ଟି ଜାହାଜ :

ସରକାର କହିଛନ୍ତି ଯେ ଏହି ଅଞ୍ଚଳରେ କାର୍ଯ୍ୟରତ ଭାରତୀୟ ଜାହାଜ ଏବଂ ନାବିକମାନେ ସୁରକ୍ଷିତ ଅଛନ୍ତିଏବଂ ସାମୁଦ୍ରିକ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖାଯାଇଛି। ବର୍ତ୍ତମାନ ପର୍ସିଆନ ଗଲ୍ଫର ପଶ୍ଚିମ ଭାଗରେ ୨୨ଟି ଭାରତୀୟ ଜାହାଜ ଏବଂ ୬୧୧ଜଣ ନାବିକ ଉପସ୍ଥିତ ଅଛନ୍ତି।

ଆହୁରି ପଢ଼ନ୍ତୁ...ଭାରତରେ ଟଳିବ ତେଳ ସଙ୍କଟ, ମୁମ୍ବାଇରେ ପହଞ୍ଚିଲା ତୈଳ ଟ୍ୟାଙ୍କର