ନୂଆଦିଲ୍ଲୀ ୨୫/୧୨: ୨୦୨୪ରେ ହଲିଉଡର ଅନେକ ବହୁ ପ୍ରତୀକ୍ଷିତ ସିନେମା ରିଲିଜ ହୋଇଥିଲା । ଯାହା ମଧ୍ୟରେ ‘ଡେଡପୁଲ ଆଣ୍ଡ ୱଲଭେରିନ’, ‘ଇନସାଇଡ ଆଉଟ-୨’, ‘ଭେନମ ଦ ଲାଷ୍ଟ ଡାନ୍ସ’ ଆଦି ଲୋକପ୍ରିୟ ସିନେମା ଅନ୍ତର୍ଭୂକ୍ତ । ତେବେ ହଲିଉଡର ସବୁ ସିନେମାକୁ ପଛରେ ପକାଇ ବକ୍ସ ଅଫିସରେ ବାଜି ମାରିଛି ‘ଇନସାଇଡ ଆଉଟ-୨’ । ବକ୍ସ ଅଫିସରେ ୬୫୨.୯ ଲକ୍ଷ ଆମେରିକୀୟ ଡଲାର ରୋଜଗାର କରିଛି ଏହି ସିନେମା । 

୧୪ ଜୁନ ୨୦୨୪ରେ ରିଲିଜ ହୋଇଥିଲା ଏହି ସିନେମାଟି । ଡିଜନୀ ପିକ୍ସାର ଆନିମେଶନ ଦ୍ୱାରା ନିର୍ମିତ ହୋଇଥିଲା ଏହି ସିନେମା  । ରିଲେ ଆଣ୍ଡେସନ ନାମକ ଏକ ବାଳିକା ଜୀବନରେ କୈଶୋର କିପରି ଭାବନାତ୍ମକ ପରିବର୍ତ୍ତନ ଆଣିଛି ଆନିମେଶନ ମାଧ୍ୟମରେ ତାହା ଖୁବ ସୁନ୍ଦର ଭାବରେ ଚିତ୍ରଣ ହୋଇଛି । କୈଶୋରର ନୂଆ ଭାବନା ପିଲାବେଳର ଖୁସି, ସରଳତାକୁ କିପରି ଈର୍ଷା ଓ ରାଗରେ ପରିବର୍ତ୍ତନ କରାଏ ତାହା ଚଳଚ୍ଚିତ୍ରରେ ଦର୍ଶାଯାଇଛି । ଏଥି ସହିତ ଭାବନାମାନଙ୍କୁ ଏକ ଚରିତ୍ର ଭାବରେ ମଧ୍ୟ ଉପସ୍ଥାପନା କରାଯାଇଥିଲା ସିନେମାରେ । 

ଶିଶୁର ସରଳ ମନ କୈଶୋରର କ୍ରୁରତାରେ କେତେ କ୍ଷତ ବିକ୍ଷତ ହୁଏ ସିନେମାର ମୁଖ୍ୟ ଚରିତ୍ର ରିଲେକୁ ଦେଖିଲେ ତାହା ସ୍ପଷ୍ଟ ହୁଏ । ତେବେ କୈଶୋରରେ ପିତା ମାତାଙ୍କ ପ୍ରତି ପିଲାଙ୍କର ଚିଡ଼ଚିଡ଼ା ସ୍ୱଭାବ ବୃଦ୍ଧି ହେବା, କୁସଙ୍ଗ ବଢ଼ିବା ଭଳି ଦୃଶ୍ୟ ମଧ୍ୟ ସିନେମାରେ ଦେଖିବାକୁ ମିଳିଛି । ସିନେମାଟି ଯୁଗୋପଯୋଗୀ ଓ ସଂପୂର୍ଣ୍ଣ ଭିନ୍ନ ସ୍ୱାଦର ହୋଇଥିବାରୁ ଦର୍ଶକୀୟ ଆଦୃତି ଲାଭ କରିବା ସହ ବକ୍ସ ଅଫିସରେ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ସୂଚନା ଥାଉ ଯେ ମାର୍ଭେଲ ସିନେମାର ‘ଡେଡପୁଲ ଆଣ୍ଡ ୱଲଭରିନ’କୁ ମଧ୍ୟ ଏହି ସିନେମା ପଛରେ ପକାଇଛି ।