ଭୁବନେଶ୍ଵର, ୨୮/୧୦ : ଲୋକସେବା ଭବନରେ ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ କୋରାପୁଟ ଏସପି ପି. କେ ଦ୍ଵିବେଦୀଙ୍କୁ ୨୦୨୩ ବର୍ଷର ଶ୍ରେଷ୍ଠ ଦୁର୍ନୀତି ନିବାରଣ ଅଧିକାରୀ ଭାବେ ସମ୍ମାନିତ କରାଯାଇଛି।ବଲାଙ୍ଗୀର ଭିଜିଲାନ୍ସ ୟୁନିଟକୁ ସର୍ବଶ୍ରେଷ୍ଠ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି। ବାଲେଶ୍ଵର ଭିଜିଲାନ୍ସ ଟିମ୍ର ଦୁଷ୍ମନ୍ତ ନାୟକଙ୍କୁ ବେଷ୍ଟ ଆଇଓ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଡିଏସପି ଶବିତାଞ୍ଜଳୀ ନାୟକଙ୍କୁ ବେଷ୍ଟ ଆଇଓ ଭାବେ ସମ୍ମାନିତ କରାଯାଇଛି। ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ହେମନ୍ତ କୁମାର ସ୍ଵାଇଁଙ୍କୁ ବେଷ୍ଟ ପବ୍ଲିକ ପ୍ରସିକ୍ୟୁଟର ଭାବେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି ଯେ, ଆମ ସରକାରରେ ଦୁର୍ନୀତି ଖୋରଙ୍କ ସ୍ଥାନ ନାହିଁ। ଅନୁମତି ନୁହେଁ ଆକ୍ସନ ନିଅ। ଯାହା ଆବଶ୍ୟକ ସରକାର ଯୋଗାଇବା ପାଇଁ ପ୍ରତିଶୃତିବଦ୍ଧ। ପୂର୍ବ ସରକାରରେ ହାତ ବନ୍ଧା ଥିଲା। ମୋ ସରକାରରେ ହାତ ଖୋଲା। ପୂର୍ବ ସରକାରରେ ରଙ୍ଗ ବୋଳିକି କୋଟି କୋଟି ଟଙ୍କା ଦୁର୍ନୀତି କରିଛନ୍ତି। ରାସ୍ତା କାମରେ ଦୁର୍ନୀତିର ସୀମା ପାର କରିଥିଲେ। ପୂର୍ବ ସରକାରରେ ଭିଜିଲାନ୍ସ ହାତକୁ ବାନ୍ଧି ରଖିଥିଲେ। ମୋ ସରକାରରେ ଭିଜିଲାନ୍ସର ହାତ ଖୋଲି ଦେଲେ। ତେବେ ଅନୁମତି ଅପେକ୍ଷା କାର୍ଯ୍ୟକୁ ଦାୟିତ୍ୱ ସହ ସମ୍ପାଦନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୁର୍ନୀତିଖୋରଙ୍କୁ ମୂଳ ଉତ୍ପାଟନ କରି ବଙ୍ଗୋପସାଗରେ ଫିଙ୍ଗିବାକୁ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ଟିମ୍ ୱାର୍କରେ କାର୍ଯ୍ୟ କରି ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି।
ଏହି ସମୟରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ ପ୍ରତିଷ୍ଠା ହେବ। ଭିଜିଲାନ୍ସ ବିଭାଗରେ ୮ ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି ଓ ୧୬ ଜଣ ଏସଆଇ ନିୟୋଜିତ ହେବେ। ତଦନ୍ତରେ ସହଯୋଗ ଲାଗି ୨୪ ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଅକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ ନିୟୋଜିତ ହେବେ। ଏହା ସହ ୧୩୫ ମୋଟର ସାଇକେଲ, ୧୬୦ ଡେସ୍କଟପ/ଲ୍ୟାପଟପ ଯୋଗାଇ ଦିଆଯିବ।