ଭୁବନେଶ୍ବର, ୨୩।୧୧ : ଖରିଫ ମାର୍କେଟିଂ ଋତୁ ୨୦୨୫ -୨୬ ପାଇଁ ଧାନ ସଂଗ୍ରହ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି।ଏଥିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅଧ୍ୟକ୍ଷତା କରିଥିଲେ। ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କ ସମନ୍ବୟରେ ଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ କରିବା ନିମେନ୍ତ ମୁଖ୍ୟଶାସନ ସଚିବ ପରାମର୍ଶ ଦେଇଛନ୍ତି।

୨୦୨୫-୨୬ ବର୍ଷ ପାଇଁ ୧୯.୬୮ ଲକ୍ଷ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ଏହି ସଂଖ୍ୟା ୧୭.୫୦ ଲକ୍ଷ ଥିଲା। ଏ ବର୍ଷ ୯୩  ଲକ୍ଷ ମେଟ୍ରିକ ଟନ ଧାନ ଉଭୟ ଖରିଫ ଓ ରବି ଋତୁ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ନଭେମ୍ବର ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖରିଫ ଧାନ କ୍ରୟ ରହିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କ୍ରୟ ପ୍ରକ୍ରିୟାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ପ୍ରେରଣ ବ୍ୟବସ୍ଥା ରହିଛି।

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ଆରମ୍ଭ ତାରିଖ ଚୁଡାନ୍ତ କରିବାକୁ ଯୋଜନା ପ୍ରସ୍ତୁତି ପାଇଁ ନିର୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରୀୟ ପ୍ରବର୍ତ୍ତନ ସ୍କ୍ବାର୍ଡ ନିୟମିତ ତଦାରଖ କରିବା, ଅନ୍ୟ ରାଜ୍ୟରୁ ଧାନ ଅନଧିକୃତ ଭାବେ ପ୍ରବେଶ ରୋକିବା ପାଇଁ ସୀମାରେ କଡା ତଦାରଖ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନଙ୍କୁ ପ୍ରତିଦିନ ଧାନ ସଂଗ୍ରହ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରିବା ଏବଂ ଏ ସମ୍ପର୍କିତ କୌଣସି ଅଭିଯୋଗ ଆସିଲେ ତ୍ବରିତ ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି।

ବୈଠକରେ ଖାଦ୍ୟ ଓ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ସଂଜୟ କୁମାର ସିଂ, ଅର୍ଥ ବିଭାଗ ସଚିବ ସଂଜୀବ କୁମାର ମିଶ୍ର, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ରାଜ୍ୟ ଯୋଗାଣ ନିଗମ ଲିମିଟେଡର ପରିଚାଳନା ନିର୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ, କୃଷି ନିର୍ଦେଶକ ଶୁଭମ ସକ୍କେନା ପ୍ରମୁଖ ଯୋଗ ଦେଇଥିଲେ।