ଭୁବନେଶ୍ୱର,୦୪/୦୮: ୩  ବର୍ଷୀୟା ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଓ  ଏମ୍‌ଏଡ୍‌ ନାମଲେଖା ପାଇଁ ଉଚ୍ଚଶିକ୍ଷା  ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ସୋମବାରଠୁ  ଅନ୍‌ଲାଇନ୍‌ରେ ଆବେଦନ ଆରମ୍ଭ ହୋଇଛି । ୧୭ ତାରିଖ ଯାଏଁ ଆବେଦନର ସୁଯୋଗ  ମିଳିବ । ଆବେଦନ ସମୟରେ କୌଣସି  ତ୍ରୁଟି ଥିଲେ ୧୮ ତାରିଖରେ ସଂଶୋଧନ  ସୁଯୋଗ ଦିଆଯିବ । 

ପ୍ରଥମ ରାଉଣ୍ଡ  ନାମଲେଖା ପାଇଁ ୨୨ ତାରିଖରେ ମେଧା  ତାଲିକା ପ୍ରକାଶ ପାଇବ । ସମସ୍ତ ପର୍ଯ୍ୟାୟ  ନାମଲେଖା ସେପ୍ଟେମ୍ବର ୧୩ ତାରିଖ  ସୁଦ୍ଧା ଶେଷ ହେବ । ମାତ୍ର ସେପ୍ଟେମ୍ବର  ୮ ତାରିଖରୁ ପାଠପଢ଼ା ଆରମ୍ଭ କରାଯିବ ।  ଆବେଦନକାରୀଙ୍କ କ୍ୟାରିୟର ମାର୍କକୁ  ନେଇ ନାମଲେଖା ହେବ । ୨୨ ତାରିଖରେ  ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ଛାତ୍ରଛାତ୍ରୀ ୨୩ରୁ ୨୬  ତାରିଖ ମଧ୍ୟରେ ନାମ ଲେଖାଇବେ ।  ସେପ୍ଟେମ୍ବର ୧ରେ ଦ୍ୱିତୀୟ ରାଉଣ୍ଡ  ତଥା ଶେଷ ରାଉଣ୍ଡ ନାମଲେଖା ପାଇଁ  ମେଧା ତାଲିକା ପ୍ରକାଶ ପାଇବ । ଏଥିରେ  ଚୟନ ଛାତ୍ରଛାତ୍ରୀ ସେପ୍ଟେମ୍ବର ୨ରୁ ୪ ତାରିଖ ମଧ୍ୟରେ ନାମ ଲେଖାଇବେ ।  ସେପ୍ଟେମ୍ବର ୮ ତାରିଖରେ ତୃତୀୟ  ରାଉଣ୍ଡ (ୱେଟିଂ ଲିଷ୍ଟ/ସ୍ପଟ୍‌) ନାମଲେଖା  ପାଇଁ ଏକ ୱେଟିଂ ର‌୍ୟାଙ୍କ ତାଲିକା ପ୍ରକାଶ  ପାଇବ । ୯ରେ ନାମଲେଖା ପାଇଁ ଯୋଗ୍ୟ  ଆବେଦନକାରୀଙ୍କ ତାଲିକା ପ୍ରକାଶ  ପାଇବ । ଏଥିପାଇଁ ୧୦ରୁ ୧୧ ତାରିଖ  ମଧ୍ୟରେ ନାମ ଲେଖାହେବ ।  

ଦିଆଯାଇଥିବା ମାର୍ଗଦର୍ଶିକା  ଅନୁଯାୟୀ, ଜଣେ ଆବେଦନକାରୀ  ସର୍ବାଧିକ ୪ଟି ଉଚ୍ଚଶିକ୍ଷାନୁଷ୍ଠାନର  ନାମ ଦେଇପାରିବେ । ଯଦି କୌଣସି  ଛାତ୍ରଛାତ୍ରୀ ଭୁଲରେ ପ୍ରିଜ୍‌ କିମ୍ବା ସ୍ଲାଇଡ୍‌  ଅପସନ୍‌ରେ କ୍ଲିକ୍‌ କରିଥାନ୍ତି ତେବେ  ନାମଲେଖା ସମୟରେ ଓଟିପି ଯାଞ୍ଚ  ପ୍ରକ୍ରିୟା ଦ୍ୱାରା ଏହାକୁ ରିଭର୍ଟ କରାଯାଇ  ପାରିବ । ଶିକ୍ଷାର୍ଥୀ ନାମଲେଖା ସମୟରେ  କଲେଜ ଲିଭିଂ ସାର୍ଟିଫିକେଟ୍‌ ଆଣି ନଥିଲେ  ଅଣ୍ଡରଟେକିଂ ଲେଖି ୧୫ ଦିନ ମଧ୍ୟରେ  ସିଏଲ୍‌ସିକୁ ଦାଖଲ କରିପାରିବେ ।