ଲକ୍ଷ୍ନୌ, ୨୦/୦୫: ସନ୍‌ରାଇଜର୍ସ ହାଇଦ୍ରାବାଦର ପେସ୍‌ ବୋଲର ହର୍ଷଲ ପଟେଲ ଆଇପିଏଲ୍‌ରେ ୧୫୦  ୱିକେଟ୍‌ କ୍ଲବ୍‌ରେ ସାମିଲ୍‌ ହୋଇଛନ୍ତି । ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ ସେ ଆଡେନ ମାରକ୍ରମକୁ ଆଉଟ୍‌ କରି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ।  ଏଥିସହ ହର୍ଷଲ ଭାରତୀୟ ବୋଲର ଭାବେ ଦ୍ରୁତତମ  ୧୫୦ ୱିକେଟ୍‌ ନେବାରେ ରେକର୍ଡ଼ ସ୍ଥାପନ କରିଛନ୍ତି ।  ପୂର୍ବରୁ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କ ନାମରେ ଏହି  ରେକର୍ଡ଼ ରହିଥିଲା । ସେ ୧୧୮ଟି ମ୍ୟାଚ୍‌ ଖେଳି ୧୫୦  ୱିକେଟ୍‌ ପୂରଣ କରିଥିଲେ । ହର୍ଷଲଙ୍କୁ ଏହି କ୍ଲବ୍‌ରେ  ସାମିଲ୍‌ ହେବା ପାଇଁ ୧୧୪ଟି ଇନିଂସ୍‌ ଲାଗିଥିଲା । 

ଆଇପିଏଲ୍‌ରେ ଦ୍ରୁତତମ ୧୫୦ ୱିକେଟ୍‌  ରେକର୍ଡ଼ ମୁମ୍ବାଇ ଇଣ୍ଡିଆନ୍ସ ତଥା ଶ୍ରୀଲଙ୍କାର ପୂବତନ  ପେସ୍‌ ବୋଲର ଲାସିଥ ମାଲିଙ୍ଗାଙ୍କ ନାମରେ ରହିଛି ।  ସେ ୧୦୫ଟି ମ୍ୟାଚ୍‌ ଖେଳି ଏହି ରେକର୍ଡ଼ ସ୍ଥାପନ  କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ ଟାଇଟନ୍ସ  ପକ୍ଷରୁ ଖେଳୁଥିବା ଆଫଗାନିସ୍ତାନ ସ୍ପିନର ରସିଦ ଖାନ  (୧୨୨ଟି ମ୍ୟାଚ୍‌) ଓ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ପେସ୍‌  ବୋଲର ଯଶପ୍ରୀତ ବୁମରା (୧୨୪ଟି ମ୍ୟାଚ୍‌) ଯଥାକ୍ରମେ  ତାଲିକାରେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।