ଚେନ୍ନାଇ,୧୦/୦୫: ଚଳିତ ଆଇପିଏଲ୍ର ୫୩ତମ ଲିଗ୍ ମୁକାବିଲାରେ ଆଜି ଚେନ୍ନାଇ ଘରୋଇ ଗ୍ରାଉଣ୍ଡ୍ରେ ଲକ୍ଷ୍ନୌକୁ ଭେଟିବ । ଏହି ମ୍ୟାଚ ଜିତି ଚେନ୍ନାଇ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉଠିବାକୁ ଚେଷ୍ଠା କରିବ । ଲକ୍ଷ୍ନୌ ପାଇଁ ଏହି ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଜିତିଲେ ଆଶା ଉଜ୍ଜୀବିତ ରହିବ । ପରାଜିତ ହେଲେ ପ୍ରଥମ ଦଳ ଭାବେ ବିଦାୟ ନେବ ।
ଗତ ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ପରାସ୍ତ କରିବା ପରେ ଲକ୍ଷ୍ନୌର ମନୋବଳ ବୃଦ୍ଧି ପାଇଛି । କିଛି ଖେଳାଳି ଫର୍ମକୁ ଫେରିବା ମଧ୍ୟ ଦଳକୁ ଆସ୍ୱସ୍ତ କରିଛି । ବିଶେଷ କରି ମିଚେଲ ମାର୍ଶ ଶତକ ଅର୍ଜନ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି । ପନ୍ତ ମଧ୍ୟ ଡେଥ୍ ଓଭରରେ ବିଧ୍ୱଂସୀ ବ୍ୟାଟିଂ କରିଛନ୍ତି ।
ଲକ୍ଷ୍ନୌ ଭଳି ଚେନ୍ନାଇର ପ୍ରଦର୍ଶନ ଅସ୍ଥିର ରହିଥିଲେ ହେଁ ଦଳ ଇତି ମଧ୍ୟରେ ୫ଟି ମ୍ୟାଚ ଜିତି ୧୦ ପଏଣ୍ଟ ଅର୍ଜନ କରିସାରିଛି । ସଞ୍ଜୁ ସାମସନଙ୍କ ବ୍ୟାଟିଂ,ଅକିଲ ହୋସେନ, ନୂର ଅହମ୍ମଦ ଓ ଅଂଶୁଲ କାମ୍ବୋଜଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ଏହି ବିଜୟ ସମ୍ଭବ ହୋଇଛି । ବାକି ଖେଳାଳିମାନଙ୍କୁ ଏଣିକି ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ଲକ୍ଷ୍ନୌର ବୋଲିଂ ବିଭାଗ ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖିଛି । ବ୍ୟାଟିଂ ବିଭାଗ ସଫଳ ହେଲେ ଲକ୍ଷ୍ନୌ ଆଧିପତ୍ୟ ଜାହିର କରିପାରିବ ।
ଏହି ମ୍ୟାଚ ପାଇଁ ଏକ ନାଲି ମାଟିର ପିଚ୍ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଏହି ପିଚରେ ଦିଲ୍ଲୀ ଓ ଚେନ୍ନାଇ ପରସ୍ପରକୁ ଭେଟିଥିଲେ ଓ ଚେନ୍ନାଇ ବିଜୟ ହାସଲ କରିଥିଲା। ସେବେଠୁ ପିଚ୍ ଘୋଡ଼ାଇ ରଖାଯାଇଥିବାରୁ ଆଦ୍ରତା ଭରି ରହିଛି । ଆଜି ମଧ୍ୟ ବର୍ଷା ହୋଇଥିଲା । ତେଣୁ ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିବା ଏକ ପ୍ରକାର ନିଶ୍ଚିତ । ତଥାପି ବ୍ୟାଟରମାନେ କ୍ରିଜରେ ଜମି ରହିଲେ ବଡ଼ ଇନିଂସ ଖେଳିପାରିବେ ।
ଅଧିକ ପଢ଼ନ୍ତୁ :- ରାଜସ୍ଥାନକୁ ୭୭ ରନରେ ପରାସ୍ତ କଲା ଗୁଜୁରାଟ
ସମ୍ଭାବ୍ୟ ଦଳ
ଚେନ୍ନାଇ: ସଞ୍ଜୁ ସାମସନ, ଋତୁରାଜ ଗାଏକୱାଡ୍, ଊର୍ଭିଲ ପଟେଲ, କାର୍ତ୍ତିକ ଶର୍ମା, ଡିୱାଲ୍ଡ ବ୍ରେଭିସ, ଶିବମ ଦୁବେ, ଜାମି ଓଭରଟନ, ଅକିଲ ହୋସେନ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ମୁକେଶ ଚୌଧୁରୀ, ଗୁରଜନପ୍ରୀତ ସିଂହ ।
ଲକ୍ଷ୍ନୌ : ମିଚେଲ ମାର୍ଶ, ଜୋସ ଇଂଲିଶ/ଆର୍ସିନ କୂଲକର୍ଣ୍ଣୀ, ନିକୋଲାସ ପୂରନ, ରିଷଭ ପନ୍ତ, ଆଡେନ ମାରକ୍ରମ, ଅକ୍ସତ ରଘୁବଂଶୀ, ହିମତ ସିଂହ, ସାହବାଜ ଅହମ୍ମଦ, ମହମ୍ମଦ ସାମି, ପ୍ରିନ୍ସ ଯାଦବ, ମହସିନ ଖାନ/ ମୟଙ୍କ ଯାଦବ, ଦିଗବେଶ ରାଠି ।