ହାଇଦ୍ରାବାଦ : ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ ର ୫୬ତମ ମ୍ୟାଚରେ ମଙ୍ଗଳବାର (୧୨ ମେ) ଦିନ ଗୁଜରାଟ ଟାଇଟନ୍ସ (GT) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ମୁକାବିଲା ହୋଇ ଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ୮୨ ରନରେ ଏକ ବଡ଼ ବିଜୟ ହାସଲ କରିଛି। ଗୁଜରାଟ ପକ୍ଷରୁ ଦିଆଯାଇଥିବା ୧୬୯ ରନର ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ଦଳ ମାତ୍ର ୮୬ ରନରେ ଅଲଆଉଟ୍ ହୋଇଯାଇ ଥିଲା। ଏହି ଧମାକାଦାର ବିଜୟ ସହ ଗୁଜରାଟ ଟାଇଟନ୍ସ ଏବେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉଠିଛି।
ଚଳିତ ସିଜନରେ ଉଭୟ ଦଳର ପ୍ରଦର୍ଶନ ଚମତ୍କାର ରହିଛି। ଗୁଜରାଟ ଟାଇଟନ୍ସ ୧୨ଟି ମ୍ୟାଚରୁ ୮ଟି ଜିତି ୧୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ, ହାଇଦ୍ରାବାଦ ୧୨ଟି ମ୍ୟାଚରୁ ୭ଟି ଜିତି ୧୪ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି।
ରନକୁ ପିଛା କରିବାକୁ ଓହ୍ଲାଇଥିବା ସନରାଇଜର୍ସ ହାଇଦ୍ରାବାଦର ଆରମ୍ଭ ଅତ୍ୟନ୍ତ ଖରାପ ରହିଥିଲା। ଦଳ ପାୱାରପ୍ଲେ ମଧ୍ୟରେ ହିଁ ୪ଟି ୱିକେଟ୍ ହରାଇଥିଲା। ମହମ୍ମଦ ସିରାଜ ଟ୍ରାଭିସ୍ ହେଡ୍ଙ୍କୁ ଶୂନରେ ଆଉଟ୍ କରି ଥିବାବେଳେ, କଗିସୋ ରବାଡା ଅଭିଷେକ ଶର୍ମା (୬), ଇଶାନ କିଷନ (୧୧) ଏବଂ ସ୍ମରଣ ରବିଚନ୍ଦ୍ରନ (୯)ଙ୍କୁ ପ୍ୟାଭିଲିୟନ ପଠାଇ ଥିଲେ। ସଲିଲ ଆରୋରା (୧୬) କିଛି ଭଲ ସଟ୍ ଖେଳିଥିଲେ ମଧ୍ୟ ପ୍ରସିଦ୍ଧ କ୍ରିଷ୍ଣା ତାଙ୍କୁ ଆଉଟ୍ କରି ଥିଲେ।
ଏହାପରେ ଜେସନ ହୋଲ୍ଡର ଗୋଟିଏ ଓଭରରେ ହେନରିକ କ୍ଲାସେନ (୧୪) ଏବଂ ନୀତିଶ କୁମାର ରେଡ୍ଡୀ (୨)ଙ୍କୁ ଆଉଟ୍ କରି ହାଇଦ୍ରାବାଦର ଅଣ୍ଟା ଭାଙ୍ଗି ଦେଇ ଥିଲେ। ଗୁଜରାଟ ପକ୍ଷରୁ ରବାଡା ଓ ହୋଲ୍ଡର ୩ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୨ଟି ଏବଂ ରାଶିଦ ଖାନ ଓ ସିରାଜଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।
ଗୁଜରାଟ ଟାଇଟନ୍ସର ବ୍ୟାଟିଂ ପ୍ରଦର୍ଶନ-
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ୫ ୱିକେଟ୍ ହରାଇ ୧୬୮ ରନ୍ କରିଥିଲା। ଅଧିନାୟକ ଶୁଭମନ ଗିଲ୍ (୫) ଏବଂ ଜୋସ୍ ବଟଲର (୭) ଶୀଘ୍ର ଆଉଟ୍ ହେବା ପରେ ନିଶାନ୍ତ ସିନ୍ଧୁ (୨୨) ଏବଂ ସାଇ ସୁଦର୍ଶନ ଇନିଂସ ସମ୍ଭାଳିଥିଲେ। ସାଇ ସୁଦର୍ଶନ ୪୪ଟି ବଲରୁ ୬୧ ରନର (୫ ଚୌକା, ୨ ଛକା) ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଥିଲେ। ଶେଷ ଭାଗରେ ୱାଶିଂଟନ ସୁନ୍ଦର ଧୂଆଁଧାର ବ୍ୟାଟିଂ କରି ୩୩ଟି ବଲରେ ୫୦ ରନ୍ (୭ ଚୌକା, ୧ ଛକା) ସଂଗ୍ରହ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ସାକିବ ହୁସେନ ଓ ପ୍ରଫୁଲ୍ଲ ହିଙ୍ଗେ ସଫଳ ବୋଲର ରହିଥିଲେ।
ଆଇପିଏଲ୍ ଇତିହାସରେ ଏହି ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳା ଯାଇଛି। ସେଥି ମଧ୍ୟରୁ ଗୁଜରାଟ ଟାଇଟନ୍ସ ୬ଟି ମ୍ୟାଚ୍ ଜିତି ଥିବାବେଳେ ହାଇଦ୍ରାବାଦ ମାତ୍ର ଗୋଟିଏ ବିଜୟ ପାଇଛି ଏବଂ ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି।
ଗୁଜରାଟ ଟାଇଟନ୍ସ ପ୍ଲେଇଂ -୧୧ : ଶୁଭମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର(ୱିକେଟକିପର), ୱାସିଂଟନ ସୁନ୍ଦର, ଜାସନ ହୋଲ୍ଡର, ନିଶାନ୍ତ ସିନ୍ଧୁ, ରାହୁଲ ତେୱାତିଆ, ରଶିଦ ଖାନ, ଅର୍ଶଦ ଖାନ, କାଗିସୋ ରାବାଡା, ମହମ୍ମଦ ସିରାଜ
ହାଇଦ୍ରାବାଦ ଟାଇଟନ୍ସ ପ୍ଲେଇଂ -୧୧ : ଅଭିଷେକ ଶର୍ମା, ଇଶାନ କିଷନ(ୱିକେଟକିପର), ହେନରିକ କ୍ଲାସେନ, ସଲିଲ ଆରୋରା ,ନୀତିଶ କୁମାର ରେଡ୍ଡୀ, ସ୍ମରଣ ରବିଚନ୍ଦ୍ରନ, , ପ୍ୟାଟ୍ କମିନ୍ସ (ଅଧିନାୟକ), ଶିବାଙ୍ଗ କୁମାର, ଇଶାନ ମାଲିଙ୍ଗା, ସାକିବ ହୁସେନ , ପ୍ରଫୁଲ୍ଲ ହିଙ୍ଗେ ।