ନୂଆଦିଲ୍ଲୀ,୨୧ /୦୫; ମୁମ୍ବାଇ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ବିଜୟ ସହ କୋଲକାତା ପ୍ଲେ-ଅଫ ଆଶା ଉଜ୍ଜୀବିତ ରଖିଛି । ବୁଧବାର ଅନୁଷ୍ଠିତ ଚଳିତ ଆଇପିଏଲ୍‌ର ୬୫ତମ ଲିଗ୍ ମୁକାବିଲାରେ ଦଳ ୪ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ମୁମ୍ବାଇ ଦଳ ୮ ୱିକେଟ୍ ବିନିମୟରେ ୧୪୭ ରନ ସଂଗ୍ରହ କରିଥିଲା । ଜବାବରେ କୋଲକାତା ୧୮.୫ ଓଭରରେ ୬ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଏହି ବିଜୟ ସହ କୋଲକାତା ମୋଟ୍ ୧୩ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି । ଶେଷ ଲିଗ ମ୍ୟାଚରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । 

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କୋଲକାତ । ପ୍ରାରମ୍ଭରୁ ଶୃଙ୍ଖଳିତ ବୋଲିଂ କରି ମୁମ୍ବାଇର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା । ଓପନର ର୍ୟାନ ରିକେଲଟନ ୬ ରନ କରି ପ୍ରଥମେ ଆଉଟ୍ ହୋଇଥିବାବେଳେ ନମନ ଧିର ଖାତା ଖୋଲି ପାରି ନଥିଲେ । ଉଭୟଙ୍କୁ କାମେରନ ଗ୍ରୀନ ଆଉଟ୍ କରିଥିଲେ । ବାମ ହାତି ପେସ୍ ବୋଲର ଶୁଭମ ଦୁବେ ମଧ୍ୟ ଦୁଇ ତାରକା ବ୍ୟାଟର ରୋହିତ ଶର୍ମା (୧୫) ଓ ସୂର୍ଯ୍ୟକୁମାର ଯାଦବ (୧୫) ଙ୍କୁ ପାଭିଲିୟନ ପଠାଇଥିଲେ । ଏହାପରେ ତିଳକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ସତର୍କତାର ସହ ବ୍ୟାଟିଂ କରି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ଉଭୟ ୪୩ ରନର ଭାଗିଦାରୀ ଗଠନ କରିଥିଲେ ।

ଦଳୀୟ ସ୍କୋର ୮୪ ବେଳେ ତିଳକ ବ୍ୟକ୍ତିଗତ ୨୦ ରନ କରି ଆଉଟ୍ ହୋଇଥିଲେ । ପରେ ପାଣ୍ଡ୍ୟା ୨୬ ଓ ୱିଲ ଜ୍ୟାକ୍ସ ୧୪ ରନ କରି ବିଦାୟ ନେବା ସହ ୧୦୫ ରନ୍ରେ ୭ଟି ୱିକେଟ୍ର ପତନ ଘଟିଥିଲା । ଅନ୍ତିମ ଭାଗରେ କର୍ବିନ ବସ୍କ ୧୮ଟି ବଲ୍ରୁ ଦ୍ରୁତ ୩୨ (୩ଚୌକା, ୨ଛକା) ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୧୪୭ରେ ପହଞ୍ଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପକ ଚହର ୧୦ ରନ କରିଥିଲେ । କୋଲକାତା ପକ୍ଷରୁ ଦୁବେ, ଗ୍ରୀନ ଓ କାର୍ତ୍ତିକ ତ୍ୟାଗୀ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ସୁନୀଲ ନାରାଏନ ଗୋଟିଏ ୱିକେଟ୍ ନେଇଥିଲେ । ଘରୋଇ ଦଳ ପାଇଁ ୧୪୮ ରନର ଲକ୍ଷ୍ୟ ସେଭଳି କଷ୍ଟକର ନଥିଲା । ଅବଶ୍ୟ ବିସ୍ଫୋରକ ଓପନର ଫିନ ଆଲେନ (୮)ଙ୍କୁ ସହଳ ଆଉଟ୍ କରିବାରେ ସଫଳ ହୋଇଥିଲେ ଦୀପକ ଚହର । ଅନ୍ୟ ଓପନର ଅଜିଙ୍କ୍ୟ ରାହାଣେଙ୍କ ସହ ମନୀଷ ପାଣ୍ଡେ କ୍ରିଜରେ ଯୋଗଦେଇ ଦଳୀୟ ସ୍କୋରକୁ ୪୮ରେ ପହଞ୍ଚାଇଥିଲେ । କର୍ବିନ ବସ୍କ ବୋଲିଂ ଭାର ସମ୍ଭାଳିବା ପରେ ୨ଟି ୱିକେଟ୍ର ପତନ ଘଟିଥିଲା । ରାହାଣେ ୨୧ ଓ କାମେରନ ଗ୍ରୀନ ୪ ରନ କରି ଆଉଟ୍ ହୋଇଥିଲେ । ପାଣ୍ଡେଙ୍କ ସହ ରୋଭମାନ ପାୱେଲ୍ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଚତୁର୍ଥ ୱିକେଟ୍ରେ ଉଭୟ ୬୪ ରନ ଯୋଗ କରି ବିଜୟ ପଥ ପ୍ରସ୍ତୁତ କରିଥିଲେ ।

ଏହା ବି ପଢନ୍ତୁ...‘କର ବା ମର’ ମ୍ୟାଚରେ KKRବୋଲରଙ୍କ କମାଲ୍, ମୁମ୍ବାଇ ୧୪୭ରେ ସୀମିତ  ​​​​​​​

ଦଳୀୟ ସ୍କୋର ୧୧୮ରେ ପହଞ୍ଚିଥିଲା । ୧୫ତମ ଓଭରରେ ଯୋଡ଼ି ଭାଙ୍ଗିଥିଲେ ଯଶପ୍ରୀତ ବୁମରା । ପାଣ୍ଡେ ବ୍ୟକ୍ତିଗତ ୪୫ ରନ କରି ଆଉଟ୍ ହୋଇଥିଲେ । ଶେଷ ୫ ଓଭରରେ କୋଲକାତାକୁ ବିଜୟ ପାଇଁ ୩୦ ରନ ଆବଶ୍ୟକ ହେଉଥିଲା । ୧୬ତମ ଓଭରରେ ପାୱେଲ୍ (୪୦)ଙ୍କୁ ଆଉଟ୍ କରି ଆଲ୍ଲା ଗଜନଫର ମ୍ୟାଚରେ ରୋମାଞ୍ଚ ଭରିଥିଲେ । ଏହାପରେ ବ୍ୟାଟରୁ ରନ ବାହାରିବା କଷ୍ଟକର ହୋଇଥିଲା । ମାତ୍ର ଲକ୍ଷ୍ୟ ଛୋଟ ଥିବାରୁ କୋଲକାତା ୭ଟି ବଲ୍ ବାକି ଥାଇ ବିଜୟ ହାସଲ କରିଥିଲା । ରିଙ୍କୁ ସିଂହ (୯) ଓ ଅନୁକୂଳ ରୟ (୪) ଅପରାଜିତ ରହି ଦଳକୁ ଜିତାଇଥିଲେ । ମୁମ୍ବାଇ ପକ୍ଷରୁ ବସ୍କ ୩ଟି ୱିକେଟ ନେଇଥିଲେ ।  

​​​​​​​