ମୁମ୍ବାଇ,୨୦/୫ : ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୮ଓ୍ବିକେଟ ହରାଇ ୧୪୭ରନ୍ କରିଛି । କୋଲକାତା ନାଇଟ୍ ରାଇଡର୍ସର ବୋଲରମାନେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟରଙ୍କୁ ଅକଳରେ ପକାଇଥିଲେ । ମୁମ୍ବାଇର ସମସ୍ତ ଷ୍ଟାର୍ ଖେଳାଳି ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବିଫଳ ହୋଇଥିଲେ। କର୍ବିନ ବୋଶ ୧୮ ବଲରେ ୩୨ ରନର ଏକ ଇନିଂସ ଖେଳି ସ୍କୋରକୁ ୧୪୭ରନରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ପାଳିରେ ଯେତେବେଳେ ମାତ୍ର ୮ ଓଭର ଖେଳ ହୋଇଥିଲା ସେତେବେଳେ ବର୍ଷା ଆସିଥିଲା। ସେହି ସମୟ ପର୍ଯ୍ୟନ୍ତ ମୁମ୍ବାଇ ୪ୱିକେଟ୍ ହରାଇ ମାତ୍ର ୫୭ ରନ୍ କରିଥିଲା। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମା ୪୩ରନର ଭାଗୀଦାରି କରି ମୁମ୍ବାଇର ଇନିଂସକୁ ସ୍ଥିର କରିଥିଲେ। ତିଲକ ୨୦ ରନ୍ କରିଥିଲେ ଏବଂ ହାର୍ଦ୍ଦିକ ୨୬ରନର ପାଳି ଖେଳିଥିଲେ ।
ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଫେରିଥିଲେ, ଯିଏ ପୂର୍ବ ୩ମ୍ୟାଚରେ ବାହାରେ ବସିଥିଲେ । ସେ ୨୭ବଲରେ ୨୬ରନ୍ କରିଥିଲେ । ସେହିଭଳି ରୋହିତ ଶର୍ମା କେବଳ ୧୫ରନ୍ କରିପାରିଥିଲେ । ସୂର୍ଯ୍ୟକୁମାର ଯାଦବ ଦୁଇଟି ଚୌକା ଏବଂ ଗୋଟିଏ ଛକା ମାରି ଭଲ ଆରମ୍ଭ କରିଥିଲେ, କିନ୍ତୁ ସେ ମଧ୍ୟ ୬ବଲରେ ୧୫ରନ୍ କରି ବିଦାୟ ନେଇଥିଲେ। ସେହିଭଳି କର୍ବିନ୍ ବୋଶ୍ ୧୮ ବଲରେ ୩୨ ରନ୍ କରି MIର ସମ୍ମାନ ରକ୍ଷା କରିଥିଲେ।
କୋଲକାତା ନାଇଟ୍ ରାଇଡର୍ସ ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ କେକେଆରକୁ ସେମାନଙ୍କର ନେଟ୍ ରନ୍ ରେଟ୍ ଉନ୍ନତ କରିବାକୁ ପଡିବ। ଯଦି କୋଲକାତା ୧୩.୩ ଓଭରରେ ୧୪୮ରନ୍ ଟାର୍ଗେଟକୁ ପିଛା କରେ, ତେବେ ସେମାନଙ୍କର ନେଟ୍ ରନ୍ ରେଟ୍ ପଞ୍ଜାବ କିଙ୍ଗ୍ସକୁ ଅତିକ୍ରମ କରିବ ଏବଂ ସେମାନେ ୧୩ ପଏଣ୍ଟ ସହିତ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିବେ। କୋଲକାତା ପକ୍ଷରୁ ସୌରଭ ଦୁବେ, କ୍ୟାମେଋନ ଗ୍ରୀନ ଏବଂ କାର୍ତ୍ତିକ ତ୍ୟାଗୀ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ସୁନୀଲ ନାରିନ କେବଳ ଗୋଟିଏ ୱିକେଟ ନେଇଥିଲେ, କିନ୍ତୁ ୪ ଓଭରରେ କେବଳ ୧୩ ରନ ଦେଇଥିଲେ। ମୁମ୍ବାଇର ବ୍ୟାଟରମାନେ ତାଙ୍କ ବିପକ୍ଷରେ ସ୍କୋର କରିବାକୁ ସଂଘର୍ଷ କରିଥିଲେ।