ଧର୍ମଶାଳା, ୧୭/୦୫: ଚଳିତ ଆଇପିଏଲ୍ରେ ଆଜି ଅପରାହ୍ଣରେ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯିବ । ଗତ ବର୍ଷ ଫାଇନାଲ୍ ଖେଳିଥିବା ପଞ୍ଜାବ ଓ ବେଙ୍ଗାଲୁରୁ ପରସ୍ପରକୁ ଭେଟିବେ । ଚଳିତ ସିଜନରେ ଉଭୟ ଦଳ ପ୍ରଥମ ଥର ପାଇଁ ସମ୍ନା ସାମ୍ନି ହେବେ । ଏହି ମ୍ୟାଚ ଜିତିଲେ ବେଙ୍ଗାଲୁରୁ ପ୍ଲେ-ଅଫ ସହ ଶ୍ରେଷ୍ଠ ୨ ମଧ୍ୟରେ ସ୍ଥାନ ସୁରକ୍ଷିତ ରଖିବ ଓ ପ୍ରଥମ କ୍ୱାଲିଫାୟର ଖେଳିବାକୁ ଯୋଗ୍ୟ ବିବେଚିତ ହେବ । ପଞ୍ଜାବ ଜିତିଲେ ପ୍ଲେ-ଅଫ ଦ୍ୱାରରେ ପହଞ୍ଚିବ । ଫଳରେ ମ୍ୟାଚ୍ଟି ସଂଘର୍ଷପୂର୍ଣ୍ଣ ହେବା ଏକ ପ୍ରକାର ନିଶ୍ଚିତ ।
ପଞ୍ଜାବ କ୍ରମାନ୍ୱୟରେ ୫ଟି ମ୍ୟାଚ ପରାଜିତ ହୋଇଥିବାରୁ ଯଥାସମ୍ଭବ ବିଜୟଧାରାକୁ ଫେରିବାକୁ ତତ୍ପର । ବେଙ୍ଗାଲୁରୁକୁ ହରାଇବାକୁ ହେଲେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । ଗତ ସିଜନରେ ଉଭୟ ଦଳ ୪ଥର ସାମ୍ନା ସାମ୍ନି ହୋଇଥିଲେ ଓ ଏଥିରୁ ବେଙ୍ଗାଲୁରୁ ୩ଟି ମ୍ୟାଚ ଜିତିଥିଲା । ଫାଇନାଲରେ ମଧ୍ୟ ପଞ୍ଜାବକୁ ହରାଇ ବେଙ୍ଗାଲୁରୁ ଚାମ୍ପିଅନ୍ ହୋଇଥିଲା । ଏଥର ପ୍ରତିଶୋଧ ନେବା ପାଇଁ ପଞ୍ଜାବ ନିକଟରେ ଉପଯୁକ୍ତ ସମୟ ଉପନୀତ ହୋଇଛି ।
ଫର୍ମରେ ରହିଥିବା ବେଙ୍ଗାଲୁରୁକୁ ହରାଇବା ଏକେ ସହଜ ହେବ ନାହିଁ । ଅପରାହ୍ଣରେ ମ୍ୟାଚ ଖେଳାଯାଉଥିବାରୁ ଟସ ମଧ୍ୟ ସେଭଳି ଗୁରୁତ୍ୱ ରଖିବ ନାହିଁ । ତେଣୁ ଲୟ ହରାଇଥିବା ବୋଲିଂ ବିଭାଗ ଆସନ୍ତା କାଲି ଶୃଙ୍ଖଳିତ ବୋଲିଂ କରିପାରିଲେ ବିଜୟ ସମ୍ଭବ ହୋଇପାରିବ । ପଞ୍ଜାବକୁ ଫିଲ୍ଡିଂରେ ମଧ୍ୟ ସୁଧାର ଆଣିବାକୁ ହେବ । ବେଙ୍ଗାଲୁରୁ ଉଭୟ ବିଭାଗରେ ଉନ୍ନତ ପ୍ରଦର୍ଶନ କରୁଥିଲେ ହେଁ ଓପନର ଜାକବ ବେଥେଲଙ୍କ ଫର୍ମକୁ ନେଇ ଚିନ୍ତାରେ ରହିଛି । ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସେମି ଫାଇନାଲ୍ ଭାରତ ବିପକ୍ଷରେ ଶତକ ଅର୍ଜନ କରିଥିବା ବେଥେଲ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନାହାନ୍ତି ।
ଆଜି ଉଭୟ ଦଳ ଅପରିବର୍ତ୍ତିତ ରହିବା ଆଶା କରାଯାଉଛି । ପ୍ରଥମେ ବ୍ୟାଟିଂ ସୁଯୋଗ ମିଳିଲେ ଅଜମତୁଲ୍ଲା ଓମାରଜାଇଙ୍କୁ ଏକାଦଶରେ ରଖି ମାର୍କସ ଷ୍ଟଇନିସ୍ଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଇବାକୁ ପଞ୍ଜାବ ଯୋଜନା କରିପାରେ । ଗତ ମୁମ୍ବାଇ ବିପକ୍ଷ ମ୍ୟାଚରେ ପଞ୍ଜାବ ସେଭଳି କିଛି ଯୋଜନା କରିଥିଲା । ମାତ୍ର ଡେଥ୍ ଓଭରରେ ରନ୍ ବଢାଇବା ପାଇଁ ବିଷ୍ଣୁ ବିନୋଦଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳା ଯାଇଥିଲା । ଫଳ ସ୍ୱରୂପ ବୋଲିଂ ବେଳକୁ ଜଣେ ବୋଲରଙ୍କ ଅଭାବ ପରିଲକ୍ଷିତ ହୋଇଥିଲା ।
ଆଜି ବିରାଟ କୋହଲିଙ୍କ ଉପରେ ନଜର ରହିବ । ସେ ପଞ୍ଜାବ ବିପକ୍ଷରେ ସର୍ବାଧିକ ୧୧୫୯ ରନ ସଂଗ୍ରହ କରିସାରିଛନ୍ତି । ଆଜି ଶ୍ରେୟାସ ଆୟର ୧୦୦ତମ ଆଇପିଏଲ ମ୍ୟାଚରେ ନେତୃତ୍ୱ ନେବେ । ସେ ଦିଲ୍ଲୀ ପକ୍ଷରୁ ୪୧ଟି ମ୍ୟାଚ, କୋଲକାତା ପକ୍ଷରୁ ୨୯ ଓ ପଞ୍ଜାବ ପକ୍ଷରୁ ୨୮ଟି ମ୍ୟାଚରେ ନେତୃତ୍ୱ ନେଇ ସାରିଛନ୍ତି ।
ଧର୍ମଶାଳା ପିଚ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଆଜି ଅପରାହ୍ଣରେ ମ୍ୟାଚ ଖେଳାଯାଉଥିବାରୁ ଟସକୁ ଚିନ୍ତା କରିବାକୁ ପଡ଼ିବ ନାହିଁ । ତଥାପି ଏଠାରେ ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଦଳର ବିଜୟ ରେକର୍ଡ ଅଧିକ ରହିଛି । ଧର୍ମଶାଳାରେ ପଞ୍ଜାବ ଖେଳିଥିବା ୭ଟି ମ୍ୟାଚରୁ କେବଳ ଗୋଟିଏ ମ୍ୟାଚ ଜିତିଛି ।
ସମ୍ଭାବ୍ୟ ଦଳ
ପଞ୍ଜାବ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, କୁପର କନ୍ନଲି, ଶ୍ରେୟାସ ଆୟର(ଅଧିନାୟକ), ଶଶାଙ୍କ ସିଂହ, ସୂର୍ୟାଂଶ ସେଡଗେ, ମାର୍କସ ଷ୍ଟଇନିସ୍/ ଅଜମତୁଲ୍ଲା ଓମାରଜାଇ, ମାର୍କୋ ଜାନସେନ, ଜାଭିୟର ବାର୍ଟଲେଟ୍, ଅର୍ଶଦୀପ ସିଂହ, ବିଜୟ କୁମାର ବୈଶାଖ, ୟୁଝବେନ୍ଦ୍ର ଚହଲ ।
ବେଙ୍ଗାଲୁରୁ: ଜାକବ ବେଥେଲ, ବିରାଟ କୋହଲି, ଦେବଦତ୍ତ ପାଡ଼ିକଲ, ରଜତ ପାତିଦାର (ଅଧିନାୟକ), ଟିମ ଡେଭିଡ୍, ଜିତେଶ ଶର୍ମା, ବେଙ୍କଟେଶ ଆୟର, କୃନାଲ୍ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜାକବ ଡଫି, ଜୋସ ହାଜେଲଉଡ୍, ରସିକ ସଲାମ ।