ନୂଆଦିଲ୍ଲୀ,୧୪/୦୫; ବିରାଟ କୋହଲିଙ୍କ ଅପରାଜିତ ଶତକ ବଳରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ଅଷ୍ଟମ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ବୁଧବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଚଳିତ ଆଇପିଏଲର ୫୭ତମ ଲିଗ୍ ମ୍ୟାଚରେ ବେଙ୍ଗାଲୁରୁ ୬ ୱିକେଟ୍‌ରେ କୋଲକାତାକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକାତା ୪ ୱିକେଟ୍ ବିନିମୟରେ ୧୯୨ ରନ ସଂଗ୍ରହ କରିଥିଲା । ଜବାବରେ ବେଙ୍ଗାଲୁରୁ ୧୯.୧ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କୋଲକାତା ପକ୍ଷରୁ ଫିନ ଆଲେନ ଓ ଅଜିଙ୍କ୍ୟ ରାହାଣେ ୨୩ରନ୍‌ର ଓପନିଂ ଭାଗିଦାରୀ ଗଠନ କରିଥିଲେ । ଆଲେନ ୧୮(୩ ଚୌକା ଓ ୧ ଛକା) ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ପରେ ରାହାଣେ ୧୯ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଅଙ୍ଗକ୍ରୀଶ ରଘୁବଂଶୀ ଓ କାମେରନ ଗ୍ରୀନ୍ ବିସ୍ଫୋରକ ସଟମାନ ଖେଳି ୬୮ ରନର ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ ସ୍କୋର ୧୧୬ରେ ପହଞ୍ଚିଥିଲା ।

​​​​​​​

୧୩ତମ ଓଭରରେ ରସିକ ସଲାମ ଯୋଡ଼ି ଭାଙ୍ଗିଥିଲେ । ଗ୍ରୀନ୍ ୩୨(୩ଚୌକା, ୧ଛକା) ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ବେଙ୍ଗାଲୁରୁ ଆଉ ୱିକେଟ ହାତେଇପାରି ନଥିଲା । ରଘୁବଂଶୀ ଓ ରିଙ୍କୁ ସିଂହ ମିଶି ଘରୋଇ ଦଳକୁ ନିର୍ମମ ପ୍ରହାର କରିବା ସହ ଦଳୀୟ ସ୍କୋରକୁ ୧୯୨ରେ ପହଞ୍ଚାଇ ଦେଇଥିଲେ । ଉଭୟ ୭୬ ରନ୍‌ର ଅପରାଜେୟ ଭାଗିଦାରୀ ଗଠନ କରିଥିଲେ । ରଘୁବଂଶୀ ୪୬ଟି ବଲ୍‌ରୁ ୭ ଚୌକା ଓ ୩ ଛକା ବଳରେ ୭୧ ରନ କରିଥିଲେ । ସେହିପରି ରିଙ୍କୁ ୨୯ଟି ବଲ୍‌ରୁ ୩ଚୌକା ଓ ୨ ଛକା ବଳରେ ୪୯ ରନ କରି ଅପରାଜିତ ରହିଥିଲେ । ୧୯୩ ରନ୍‌ର ଲକ୍ଷ୍ୟ ହାସଲ ଏତେ ସହଜ ହେବ ବୋଲି ଅନୁମାନ କରି ହେଉନଥିଲା । ହେଲେ ବିରାଟ କୋହଲି ଏକୁଟିଆ କୋଲକାତା ନିକଟରୁ ମ୍ୟାଚ ଛଡ଼ାଇ ନେଇଥିଲେ ।

ଦଳୀୟ ସ୍କୋର ୩୭ ବେଳେ ଓପନର ଜାକବ ବେଥେଲ ୧୫ ରନ କରି ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଦେବଦତ୍ତ ପାଡ଼ିକଲ ଓ ବିରାଟ କୋହଲି ମିଶି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ପୂର୍ବ ୨ଟି ମ୍ୟାଚରେ ଖାତା ଖୋଲି ପାରି ନଥିବା କୋହଲି ଦର୍ଶନୀୟ ସଟ୍ମାନ ଖେଳି କୋଲକାତା ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ । ଦ୍ୱିତୀୟ ୱିକେଟ୍‌ରେ ଉଭୟ ୯୨ ରନର ଭାଗିଦାରୀ ଗଠନ କରିଥିଲେ ।

ଏହା ବି ପଢନ୍ତୁ...ବୈଭବଙ୍କୁ ନେଇ ଏମିତି କହିଲେ ରାବାଡ଼ା 

ଦଳୀୟ ସ୍କୋର ୧୨୯ ବେଳେ ପାଡ଼ିକଲ ବ୍ୟକ୍ତିଗତ ୩୯ ରନ କରି ଆଉଟ୍ ହୋଇଥିଲେ । ପରେ ରଜତ ପାତିଦାର ୧୧ ରନ କରି ପାଭିଲିୟନ ଫେରିଥିଲେ । ମାତ୍ର କୋହଲିଙ୍କ ବ୍ୟାଟିଂ ଆଗରେ କୋଲକାତା ବୋଲିଂ ବାହିନୀ ତୁଚ୍ଛ ମନେ ହୋଇଥିଲା । ଅନ୍ୟ ପଟରେ ଟିମ ଡେଭିଡ୍ ମଧ୍ୟ ୨ ରନ କରି ପାଭିଲିୟନ ଫେରିଥିଲେ । କୋହଲି ଆକ୍ରମଣ ଜାରି ରଖି ୫୮ଟି ବଲ୍ରେ ନବମ ଆଇପିଏଲ୍ ଶତକ ପୂରଣ କରିଥିଲେ । କୋଲକାତାର ସବୁ ଆଶା ମଉଳି ଯାଇଥିଲା । ୫ଟି ବଲ୍ ବାକି ଥାଇ ବେଙ୍ଗାଲୁରୁ ବିଜୟ ହାସଲ କରିଥିଲା । କୋହଲି ୬୦ଟି ବଲ୍ରୁ ୧୧ଚୌକା ଓ ୩ ଛକା ବଳରେ ୧୦୫ ରନ କରି ଅପରାଜିତ ରହିଥିଲେ ।