ନୂଆଦିଲ୍ଲୀ,୧୧/୦୪; ପ୍ରଥମ ମ୍ୟାଚରେ ଗୌହାଟୀରେ ଚେନ୍ନାଇକୁ । ଦ୍ୱିତୀୟ ମ୍ୟାଚରେ ଅହମ୍ମଦାବାଦରେ ଗୁଜରାଟକୁ । ତୃତୀୟ ମ୍ୟାଚରେ ଗୌହାଟୀରେ ମୁମ୍ବାଇ ଏବଂ ଚତୁର୍ଥ ମ୍ୟାଚରେ ଡିଫେଣ୍ଡି ଚାମ୍ପିଅନ ବେଙ୍ଗାଲୁରୁକୁ ମାତ୍ ଦେଇଛି ।  ଚଳିତ ଆଇପିଏଲ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ପ୍ରଥମ କରି ପରାଜୟର ସ୍ୱାଦ ଚଖାଇଛି ରାଜସ୍ଥାନ । ପ୍ରଥମ ୨ଟି ମ୍ୟାଚରେ ଏକତରଫା ବିଜୟ ହାସଲ କରିଥିବା ବେଙ୍ଗାଲୁରୁ ଶୁକ୍ରବାର ଅନୁଷ୍ଠିତ ୧୬ତମ ଲିଗ୍ ମୁକାବିଲାରେ ରାଜସ୍ଥାନ ଠାରୁ ୬ ୱିକେଟ୍‌ରେ ପରାଜିତ ହୋଇଛି । ରାଜସ୍ଥାନର ବୈଭବ ସୂର୍ଯ୍ୟବଂଶୀ ଏବଂ ଧ୍ରୁବ ଜୁରେଲ ବିସ୍ଫୋରକ ପାଳି ଖେଳିଥିଲେ । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୮ ୱିକେଟ୍ ବିନିମୟରେ ୨୦୧ ରନ ସଂଗ୍ରହ କରିଥିଲା । ଜବାବରେ ରାଜସ୍ଥାନ ୧୮ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । କ୍ରମାନ୍ୱୟରେ ୪ଟି ମ୍ୟାଚ ଜିତି ୮ ପଏଣ୍ଟ ସହ ରାଜସ୍ଥାନ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି । ଦୁର୍ଦ୍ଧର୍ଷ ବ୍ୟାଟିଂ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

ବର୍ଷା ଯୋଗୁଁ ୪୦ ମିନିଟ୍ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା । ଟସ ଜିତି ରାଜସ୍ଥାନ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବେଙ୍ଗାଲୁରୁ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଥିଲା । ପ୍ରଥମ ୨ଟି ମ୍ୟାଚରେ ୫ଟି ୱିକେଟ୍ ନେଇଥିବା ଜାକବ ଡଫିଙ୍କ ସ୍ଥାନରେ ଜୋସ ହାଜେଲଉଡ୍ ଏକାଦଶକୁ ଫେରିଥିଲେ । ବେଙ୍ଗାଲୁରୁ ପ୍ରଥମ ବଲ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା । ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ ଫିଲ ସଲ୍ଟ । ଏହାପରେ ଦେବଦତ୍ତ ପାଡ଼ିକଲ ଅପରାଜିତ ଓପନର ବିରାଟ କୋହଲିଙ୍କ ସହ ମିଶି ୪୫ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ପାଡ଼ିକଲ ୧୪ ରନ କରି ଆଉଟ୍ ହେବା ପରେ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । କୋହଲି ୩୨ (୭ଚୌକା), କୃନାଲ ପାଣ୍ଡ୍ୟା ୧, ଜିତେଶ ଶର୍ମା ୫ ଓ ଟିମ ଡେଭିଡ୍ ୧୩ ରନ କରି ଆଉଟ୍ ହେବା ସହ ବେଙ୍ଗାଲୁରୁ ୯୪ ରନ୍‌ରେ ୬ଟି ୱିକେଟ୍ ହରାଇ ସଂକଟରେ ପଡ଼ି ଯାଇଥିଲା । ମାତ୍ର ଗୋଟିଏ ପଟେ ସତର୍କତାର ସହ ବ୍ୟାଟିଂ କରୁଥିବା ରଜତ ପାତିଦାର ଆକ୍ରମଣାତ୍ମକ ସଟମାନ ଖେଳି ସ୍ଥିତି ସୁଧାରି ନେଇଥିଲେ । ସେ ରୋମାରିଓ ସେଫର୍ଡଙ୍କ ସହ ସପ୍ତମ ୱିକେଟ୍‌ରେ ୩୧ ରନ୍ ଓ ଭେଙ୍କଟେଶ ଆୟରଙ୍କ ସହ ଅଷ୍ଟମ ୱିକେଟ୍‌ରେ ୪୧ ରନ୍‌ର ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ ସ୍କୋର ୨୦୧ରେ ପହଞ୍ଚି ଯାଇଥିଲା । ପାଟିଦାର ୪୦ଟି ବଲ୍‌ରେ ୪ଚୌକା ଓ ୪ଛକା ବଳରେ ୬୩ ରନ କରିଥିଲେ । ସେହିପରି ସେଫର୍ଡ ୧୧ଟି ବଲ୍‌ରେ ୨୨ (୨ଚୌକା, ୧ଛକା) ଓ ଇମ୍ପାକ୍ଟ ଖେଳାଳି ଭେଙ୍କଟେଶ ୧୫ଟି ବଲରେ ୧ଚୌକା ଓ ୨ ଛକା ବଳରେ ଅପରାଜିତ ୨୯ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର, ରବି ବିଷ୍ଣୋଇ ଓ ବ୍ରିଜେଶ ଶର୍ମା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...ଶୁଭମନ ନା ଅର୍ଜୁନ, ସାରା କହିଲେ କାହାକୁ କରିବେ ସମର୍ଥନ

ଜବାବରେ ରାଜସ୍ଥାନ ପ୍ରଥମ ୧୧ଟି ବଲ୍‌ରେ ୨୧ ରନ ସଂଗ୍ରହ କରିଥିଲେ ହେଁ ୧୨ତମ ବଲ୍‌ରେ ୱିକେଟ୍ ହରାଇଥିଲା । ଯଶସ୍ୱୀ ଜୈସ୍ୱାଲ୍ ୧୩ ରନ କରି ଆଉଟ୍ ହୋଇଥିଲେ । ରାଜସ୍ଥାନର ଚତୁର୍ଥ ବିଜୟ ଆଇପିଏଲ୍-୧୯ ଡିଫେଣ୍ଡିଂ ଚାମ୍ପିଅନକୁ ୬ ୱିକେଟ୍‌ରେ ହରାଇଲା ଅନ୍ୟ ଓପନର ବୈଭବ ସୂର୍ଯ୍ୟବଂଶୀ ବେଙ୍ଗାଲୁରୁ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । ତାଙ୍କ ସହ କ୍ରିଜରେ ଯୋଗ ଦେଇଥିବ ଧ୍ରୁବ ଜୁରେଲ ମଧ୍ୟ ଆକ୍ରମଣ ଜାରି ରଖିଥିଲେ । ପରବର୍ତ୍ତୀ ୬ଓଭର ପର୍ଯ୍ୟନ୍ତ ଗୌହାଟୀ ସହର ଉଭୟଙ୍କ ଛକାର ବିସ୍ଫୋରଣରେ କମ୍ପିଥିଲା । ୮ଓଭର ମଧ୍ୟରେ ଦଳୀୟ ସ୍କୋର ୧୨୯ରେ ପହଞ୍ଚି ଯାଇଥିଲା । ନବମ ଓଭର ବୋଲିଂ କରିବାକୁ ଆସିଥିଲେ କୃନାଲ ପାଣ୍ଡ୍ୟା ଓ ସୂର୍ଯ୍ୟବଂଶୀଙ୍କୁ ଆଉଟ୍ କରି ଦଳକୁ ଆଶ୍ୱସ୍ତ କରିଥିଲେ । ସୂର୍ଯ୍ୟବଂଶୀ ୨୬ଟି ବଲ୍‌ରେ ୮ ଚୌକା ଓ ୭ ଛକା ବଳରେ ୭୮ ରନ କରି ଆଉଟ୍ ହୋଇଥିଲେ ।

ପର ବଲ୍‌ରେ ସିମରନ ହେତମାୟର ମଧ୍ୟ ବିଦାୟ ନେଇଥିଲେ । ହାଜେଲଉଡ୍ ଦଶମ ଓଭରରେ ରିୟାନ ପରାଗ (୩)ଙ୍କୁ ପାଭିଲିୟନ ପଠାଇଥିଲେ । ତଥାପି ରାଜସ୍ଥାନ ନିୟନ୍ତ୍ରଣରୁ ମ୍ୟାଚ ଖସି ନଥିଲା । ଘରୋଇ ଦଳକୁ ବିଜୟ ପାଇଁ ୬୨ଟି ବଲ୍‌ରେ ୬୮ରନ ଆବଶ୍ୟକ ହେଉଥିଲା । ବେଙ୍ଗାଲୁରୁ ବୋଲର ଆଉ ୱିକେଟ୍ ନେଇ ପାରିନଥିଲେ । ଅପରାଜିତ ଜୁରେଲଙ୍କ ସହ ରବିନ୍ଦ୍ର ଜାଡ଼େଜା ମିଶି ଦଳକୁ ଜିତାଇଥିଲେ । ୨ ଓଭର ବାକି ଥାଇ ରାଜସ୍ଥାନ ବିଜୟ ହାସଲ କରିଥିଲା । ଜୁରେଲ ୪୩ଟି ବଲ୍‌ରେ ୮ ଚୌକା ଓ ୩ ଛକା ବଳରେ ଅପରାଜିତ ୮୧ ରନ କରିଥିଲେ । ଜାଡ଼େଜା ୨୪ ରନ କରି ଅପରାଜିତ ରହିଥିଲେ । ବେଙ୍ଗାଲୁରୁ ପକ୍ଷରୁ ହାଜେଲଉଡ୍ ଓ କୃନାଲ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

​​​​​​​