ନୂଆଦିଲ୍ଲୀ : ହାଇଦ୍ରାବାଦ ବ୍ୟାଟ୍ସମ୍ୟାନଙ୍କ ଚମକଦାର ପ୍ରଦର୍ଶନ । ଫିକା ପଡ଼ିଲେ ରାଜସ୍ଥାନ ବୋଲର । ପରାଗ ବାହିନୀକୁ ୫ ଓ୍ବିକେଟରେ ପରାସ୍ତ କଲା କମିନ୍ସ ସେନା । ୨୨୯ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୯ ବଲ ବାକି ଥାଇ ହାଇଦ୍ରାବାଦ ବିଜୟ ହାସଲ କରିଛି । ଅଭିଶେକ ଶର୍ମା ଏବଂ ଇଶାନ କିଷନଙ୍କ ଦମଦାର ଅର୍ଦ୍ଧଶତକ ବିଜୟ କରାଇଛି । ସେପଟେ ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ଏବଂ ବ୍ରିଜେଶ ଶର୍ମା ୨ଟି ଲୋଖାଏଁ ଓ୍ବିକେଟ ନେଇଛନ୍ତି ।

୨୨୯ ରନକୁ ପିଛା କରୁଥିବାବେଳେ ହାଇଦ୍ରାବାଦର ଓପନର ଟ୍ରାଭିସ ହେଡ ୬ ରନ କରି ଆଉଟ୍ ହୋଇଥିଲେ । ମାତ୍ର ପରେ ଇଶାନ କିଷନ ଏବଂ ଅଭିଶେକ ଶର୍ମା ବଡ଼ ବଡ଼ ସଟ୍ ଖେଳି ଦଳକୁ ବିଜୟ ପଥରେ ଅଗ୍ରସ କରିଥିଲେ । ଅଭିଶେକ ୨୯ ବଲରୁ ୫୭ ରନ କରିଥିବାବେଳେ ଇଶାନ ୩୧ ବଲରୁ ୭୪ ରନ କରିଛନ୍ତି । ପରେ ନୀତିଶ କୁମାର ରେଡ୍ଡି ଏବଂ କ୍ଲାସେନ ରାଜସ୍ଥାନ ବୋଲରଙ୍କ ଉପରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କ୍ଲାସେନ ୨୪ ବଲରୁ ୨୯ ରନ କରିଥିବାବେଳେ ନୀତିଶ କୁମାର ରେଡ୍ଡି ୧୮ ବଲରୁ ୩୬ ରନ କରିଛନ୍ତି ।

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ରାଜସ୍ଥାନକୁ ବ୍ୟାଟିଂ ପାଇଁ କରିଥିଲା ଆମନ୍ତ୍ରଣ । ରାଜସ୍ଥାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଆରମ୍ଭରୁ ଦମଦାର ପାଳି ଆରମ୍ଭ କରିଥିଲେ । ୬ ଓ୍ବିକେଟ ବିନିମୟରେ ରାଜସ୍ଥାନ ୨୨୮ ରନ କରିଥିଲା । ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୩୭ ବଳରୁ ୧୦୩ ରନ କରିଥିବାବେଳେ ଶାକିବ ହୁସେନଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ଆଜିର ମ୍ୟାଚରେ ରାଜସ୍ଥାନର ଓପନର ବ୍ୟାଟ୍ସମ୍ୟାନ ଜୟସ୍ବାଲ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ । ପରେ ବୈଭବଙ୍କ ସାଥ୍ ଦେଇଥିଲେ ଧ୍ରୁବ ଜୁରେଲ୍ । ଉଭୟ ମିଶି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିବାବେଳେ ଜୁରେଲ ୩୫ ବଳରୁ ୫୧ ରନ କରିଥିଲେ। ସେପଟେ ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଧିନାୟକ ପରାଗ ମାତ୍ର ୭ ରନ କରିଥିବାବେଳେ ଦେବନ ଫେରରିଆ ୧୬ ବଲରୁ ୩୩ ରନ କରିଥିଲେ । ଏହାସହ ହେଟମାୟାର ୧୧ ରନ କରିଥିବାବେଳେ ଜାଡେଜା ରନ କରିଥିଲେ ।

ହାଇଦ୍ରାବାଦ ପକ୍ଷରୁ ଇଶାନ ମଲିଙ୍ଗା ଏବଂ ପ୍ରଫୁଲ୍ଲ ହିଙ୍ଗେ ୨ଟି ଓ୍ବିକେଟ ନେଇଥିଲେ । ବାକି ବୋଲରଙ୍କ ମଧ୍ୟରେ ପାଟ୍ କମିନ୍ସ, ସାକିବ ହୁସେନ ଏବଂ ନୀତିଶ କୁମାର ରେଡ୍ଡି ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ