ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭାରତର ବନ୍ଧୁ ରାଷ୍ଟ୍ର ଇରାନ୍‌ ନିଜର ରାଜଧାନୀ ପରିବର୍ତ୍ତନ କରିବାକୁ ଯାଉଛି । ଭବିଷ୍ୟତରେ ଦେଶର ରାଜଧାନୀ ତେହରାନ୍‌ ରହିବ ନାହିଁ ବୋଲି ଇରାନ୍‌ ସରକାର ଘୋଷଣା କରିଛନ୍ତି ।  ତେହରାନ୍‌ ପରିବର୍ତ୍ତେ ଇରାନ୍‌ର ରାଜଧାନୀ ତଟୀୟ ସହର ମକରାନ୍‌ ହେବ ବୋଲି ଜଣାପଡ଼ିଛି । ତେହରାନ୍‌ରେ ଲୋକସଂଖ୍ୟା ବୃଦ୍ଧି, ବିଜୁଳୀ ଏବଂ ପାଣିର ଅଭାବ ଭଳି ସମସ୍ୟାରୁ ମୁକ୍ତି ଲାଗି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି । 

ସେପଟେ ଇରାନର ଏହି ପଦକ୍ଷେପ ଭାରତ ଲାଗି ଫାଇଦା ହେବ। ଇରାନ୍‌ର ଦକ୍ଷିଣରେ ଥିବା ମକରାନ୍‌ ସହର ରଣନୈତିକ ଦୃଷ୍ଟିକୋଣରୁ ମହତ୍ବପୂର୍ଣ୍ଣ । ଭାରତୀୟ ଉଦ୍ୟୋଗ, ମଧ୍ୟ ଏସିଆ ବଜାର ଏବଂ ଏହି ସହର ମଧ୍ୟରେ ଯୋଗାଯୋଗ ଅତି ସହଜ ହୋଇପାରିବ । ଭାରତ ମଧ୍ୟ-ଏସିଆରେ ପହଞ୍ଚିବା ଲାଗି ସରଳ ରାସ୍ତା ଖୋଜିବାକୁ ଚେଷ୍ଟା କରୁଛି । କାସପିଆନ ସାଗର ମାଧ୍ୟମରେ ମକରାନ୍‌କୁ ପରିବହନ ଖର୍ଚ୍ଚ କମ୍‌ ହେବ, ଏହା ଦ୍ବାରା ଭାରତ ଶସ୍ତା ଏବଂ ନିର୍ଭରଯୋଗ୍ୟ ବାଣିଜ୍ୟ କରିପାରିବ । 

ଭାରତ-ଇରାନ୍‌-ତୁର୍କୀ କରିଡର ପାଇଁ ମକରାନ୍‌ ମହତ୍ବପୂର୍ଣ୍ଣ ଭୂମିକା ନେବ । ଏହା ଭାରତକୁ ସିଧାସଳଖ ୟୁରୋପ ସହ ସଂଯୋଗ କରିବ । ମକରାନ୍‌ ପାଖରେ ଚବାହାର ବନ୍ଦର ବିକଶିତ କରିଛି ଭାରତ ।  ମକରାନ୍‌ ସହର ଭାରତ ଏବଂ ଋଷ ମଧ୍ୟରେ ଶକ୍ତି ବୁଝାମଣା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ସେପଟେ ମକରାନ୍‌ର ବିକାଶ କ୍ଷେତ୍ରରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାଟଅପ୍‌କୁ ଅଗ୍ରାଧିକାର ମିଳିବାର ସମ୍ଭାବନା ମଧ୍ୟ ରହିଛି । ଭାରତୀୟ କମ୍ପାନି ସେଠାରେ ବନ୍ଦର ଏବଂ ଅନ୍ୟ ବିକାଶମୂଳକ କାର୍ଯ୍ୟ ଲାଗି ଯୋଗଦାନ ଦେବେ, ଫଳରେ ଭାରତର ଅର୍ଥନୀତିକୁ ଗତି ମିଳିବ ।