ନୂଆଦିଲ୍ଲୀ,୦୪/୦୩; ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଯୋଗୁଁ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଚାଲିଥିବା ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ଏହି ଅଞ୍ଚଳରେ ଏକ ବଡ଼ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି । ଏବେ ସାଉଦି ଆରବର ରାଜଧାନୀ ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ ହୋଇଥିବା ରିପୋର୍ଟ ଆସୁଛି । ଆମେରିକା ଏବଂ ଇସ୍ରାଏଲର ଆକ୍ରମଣର ଜବାବ ଦେଉଥିବା ଇରାନ ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି । ଇରାନ ସାଉଦି ଆରବରେ ଅବସ୍ଥିତ ଆମେରିକୀୟ ଗୁପ୍ତଚର ସଂସ୍ଥା CIAର ଷ୍ଟେସନକୁ ଡ୍ରୋନ୍ ଆକ୍ରମଣରେ ଉଡ଼ାଇ ଦେଇଛି । ଏହି ଆକ୍ରମଣ ଏପରି ସମୟରେ କରାଯାଇଛି ଯେବେ ଆମେରିକୀୟ ଗୁପ୍ତଚର ସଂସ୍ଥା ଇରାନରେ ବିଦ୍ରୋହ ସୃଷ୍ଟି କରିବା ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଯୋଜନା କରୁଛି । ଆକ୍ରମଣର ମାତ୍ର ଦୁଇ ଦିନ ପୂର୍ବରୁ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇ ଆମେରିକୀୟ ଏବଂ ଇସ୍ରାଏଲୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ପାଇଁ ସ୍ଥାନ CIA ଦ୍ୱାରା ସଂଗ୍ରହ କରାଯାଇଥିଲା ।
CIA ଷ୍ଟେସନର ଏକ ଅଂଶ ଭୁଶୁଡ଼ି ପଡ଼ିଲା- ୱାଶିଂଟନ୍ ପୋଷ୍ଟ ରିପୋର୍ଟରେ ଦର୍ଶାଯାଇଛି ଯେ, ଡ୍ରୋନ୍ ଆକ୍ରମଣରେ CIA ଷ୍ଟେସନର ଏକ ଅଂଶ ଭୁଶୁଡ଼ି ପଡ଼ିଛି । ପରିସର ଧୂଆଁମୟ ହୋଇଛି । ଷ୍ଟେସନର ମଧ୍ୟ କ୍ଷତି ହୋଇଛି । ଆମେରିକା ଏବଂ ସାଉଦି ଆରବ ରିପୋର୍ଟ କରିଛି ଯେ, ଦୁଇଟି ଡ୍ରୋନ୍ ଦୂତାବାସ ପରିସରରେ ଆକ୍ରମଣ କରିଛି କିନ୍ତୁ CIA ଷ୍ଟେସନ ପ୍ରଭାବିତ ହୋଇଛି କି ନାହିଁ ତାହା କହିହେବ ନାହିଁ । ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଦୁଇଟି ଡ୍ରୋନ୍ ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଏକ ସାମାନ୍ୟ ଅଗ୍ନିକାଣ୍ଡ ଏବଂ କିଛି ସମ୍ପତ୍ତି କ୍ଷତି ହୋଇଥିବା ନିଶ୍ଚିତ କରାଯାଇଛି । ଏହା ପରେ, ସାଉଦି ଆରବରେ ଥିବା ଆମେରିକୀୟ ସେନା ଏକ ସୁରକ୍ଷା ସତର୍କତା ଜାରି କରି ଆମେରିକୀୟ ନାଗରିକମାନଙ୍କୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଦୂତାବାସଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ଏହି ଆକ୍ରମଣ ସାଉଦି ଆରବରେ ଗୁପ୍ତଚର ସଂସ୍ଥାର ଉପସ୍ଥିତି ପାଇଁ ଏକ ଛୋଟ ଧକ୍କା । ହେଲେ ଏହା ସଂଘର୍ଷପୂର୍ଣ୍ଣ ଇରାନ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଯିଏକି ଦୀର୍ଘ ଦିନ ଧରି CIAକୁ ନିଜର ସବୁଠାରୁ ବଡ଼ ଶତ୍ରୁ ବୋଲି ବିବେଚନା କରିଆସୁଛି । କାରଣ ୱାଶିଂଟନ୍ ଗୁପ୍ତ ଭାବରେ ଏକ ସାମରିକ ବିଦ୍ରୋହ ଆୟୋଜନରେ ସାହାଯ୍ୟ କରିଥିଲା ଯାହା ୧୯୫୩ ମସିହାରେ ଇରାନର ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିଥିଲା ।
ଏହା ବି ପଢନ୍ତୁ...ଇରାନ ଦାଗିଲା ୫୦୦ ମିସାଇଲ, ୨୦୦୦ ଡ୍ରୋନ୍; ଆମେରିକାର ପାଲଟା ଆକ୍ରମଣ, ୨୦୦୦ ଠିକଣାରେ ଆଟାକ୍, ୧୭ ଜାହଜ ଧ୍ୱଂସ
ଇରାନରେ ବିଦ୍ରୋହକୁ ଉସୁକାଇବାକୁ CIAର ଯୋଜନା - ଇରାନର ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେବେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପାଇଁ କୁର୍ଦ୍ଦ ନେତାମାନଙ୍କ ସହିତ ଆଲୋଚନା କରୁଛି । ଇରାନୀ କୁର୍ଦ୍ଦ ମିଲିସିଆମାନଙ୍କର ଇରାକ-ଇରାନ ସୀମାରେ ହଜାର ହଜାର ସୈନ୍ୟ ମୁତୟନ ଅଛନ୍ତି । ଯେଉଁମାନେ ଉତ୍ତର କୁର୍ଦ୍ଦିସ୍ତାନ ଅଞ୍ଚଳରୁ ସମର୍ଥନ ପାଇଛନ୍ତି । ଟ୍ରମ୍ପ ପ୍ରଶାସନ ଏବେ ଏହି ରାସ୍ତା ଦେଇ ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛି । ସଦ୍ଦାମ ହୁସେନଙ୍କ ପତନ ପରଠାରୁ ଏହି ଅଞ୍ଚଳ ସ୍ଥାନୀୟ କୁର୍ଦ୍ଦିଶ ଗୋଷ୍ଠୀଙ୍କ ପାଇଁ ଏକ ସ୍ୱର୍ଗ ହୋଇଛି । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏହି ଅଞ୍ଚଳରେ ଡ୍ରୋନ ଆକ୍ରମଣ ସହିତ ଗୋଷ୍ଠୀକୁ ଟାର୍ଗେଟ କରିଛି ।