ନୂଆଦିଲ୍ଲୀ,୦୪/୦୩; ପଞ୍ଚମ ଦିନରେ ମଧ୍ୟପ୍ରାଚ୍ୟ ମହାଯୁଦ୍ଧ । ଭୟଙ୍କର ହେଉଛି ଇରାନ ଏବଂ ଇସ୍ରାଏଲ-ଆମେରିକା ୱାର । ଆମେରିକା ଏବଂ ଇରାନ ମଧ୍ୟରେ ମିସାଇଲ, ଡ୍ରୋନ୍ ଓ ରକେଟ୍ ମାଡ ହୋଇଛି । ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି । ଇରାନର ପାଲଟା ଆକ୍ରମଣରେ ଡ୍ରୋନ୍ ମାଡରେ ଥରୁଛି ଦୁବାଇ, ଦୋହା ଏବଂ ଆବୁଧାବି । ତେଲ ଅଭିଭରେ ସିରିଜ୍ ଆଟାକ୍ ହୋଇଛି । ଇସ୍ରାଏଲ୍ ଉପରେ ଘନଘନ ମିସାଇଲ୍ ମାରୁଛି ଇରାନ । ତେଲ ଅଭିଭ, ହାଇଫା ଓ ପୂର୍ବ ଜେରୁଜେଲମରେ ହମଲା ହୋଇଛି । ତେଲ୍ ଅଭିଭରେ କିଛି ବିଲଡିଂ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଆମେରିକାର କେନ୍ଦ୍ରୀୟ କମାଣ୍ଡ ଅଧିକାରୀ ବ୍ରାଡ କୁପର ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ, ସେମାନେ ଇରାନର ଆକ୍ରମଣ ବିରୁଦ୍ଧରେ ଏକ ବଡ଼ ପ୍ରତିଆକ୍ରମଣ ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ ୧୭ଟି ଇରାନୀ ଜାହାଜ ଧ୍ୱଂସ ହୋଇଛି । ଏହା ସହିତ, ସେମାନଙ୍କର ୨୦୦୦ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରାଯାଇଛି ।

​​​​​​​ଆମେରିକାର କେନ୍ଦ୍ରୀୟ କମାଣ୍ଡ ଅଧିକାରୀ ବ୍ରାଡ କୁପର କହିଛନ୍ତି ଯେ, ପ୍ରତିଶୋଧ ନେଇ ଇରାନ ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ୨,୦୦୦ରୁ ଅଧିକ ଡ୍ରୋନ୍ ନିକ୍ଷେପ କରିସାରିଛି । ଏହି ଆକ୍ରମଣ ମଧ୍ୟରୁ ଅଧିକାଂଶ ଆମେରିକୀୟ ସାମରିକ ବାହିନୀ ଦ୍ୱାରା ଧ୍ୱଂସ କରାଯାଇଛି । ପାଲଟା ଆକ୍ରମଣ ଆମେରିକୀୟ ସେନା ଏକ ବୁଡ଼ାଜାହାଜ ସମେତ ୧୭ଟି ଇରାନୀ ଜାହାଜକୁ ଧ୍ୱଂସ କରିଛି ।  ଇରାନ ଭିତରେ ପ୍ରାୟ ୨୦୦୦ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣଗୁଡ଼ିକ ଇରାନକୁ ବହୁତ କ୍ଷତି ପହଞ୍ଚାଇଛି । ଇରାନର କ୍ଷେପଣାସ୍ତ୍ର ଘାଟିଗୁଡ଼ିକ ଉପରେ ମଧ୍ୟ ନିରନ୍ତର ଆକ୍ରମଣ କରାଯାଉଛି । ଇରାନର ବାୟୁ ପ୍ରତିରକ୍ଷା ମଧ୍ୟ ଯଥେଷ୍ଟ ଦୁର୍ବଳ ହୋଇଯାଇଛି । କୁପର ଦାବି କରିଛନ୍ତି ଯେ, ରାଜଧାନୀ ତେହେରାନରେ ଇରାନର ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ଗୋଟିଏ ବି ଇରାନୀ ଜାହାଜ ଆରବ ଉପସାଗର, ହରମୁଜ୍ ପ୍ରଣାଳୀ କିମ୍ବା ଓମାନ ଉପସାଗରରେ ନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହରମୁଜ୍ ପ୍ରଣାଳୀରେ ଜାହାଜର ଏକ ଲମ୍ବା ଧାଡ଼ି ଲାଗିଛି । ଅଧିକାଂଶ ଦେଶର ଜାହାଜ ସେଠାରେ ଅଟକି ରହିଛି । ଇରାନୀ ଆକ୍ରମଣ ଭୟରେ କୌଣସି ଜାହାଜ ଆଗକୁ ବଢ଼ିବାକୁ ସାହସ କରୁନାହିଁ । ଜାହାଜରେ ଥିବା କର୍ମଚାରୀମାନେ ଭୟଭୀତ । ପରିସ୍ଥିତିରେ ଉନ୍ନତି ଆସିଲେ ହିଁ  ଜାହାଜ ଛଡାଯିବ ।

ଇରାନର କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରକୁ ଟାର୍ଗେଟ- ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, "ମୁଁ ଯାହା କରିଛି ସେଥିପାଇଁ ମୁଁ କେବେ ଏତେ ପ୍ରଶଂସା ପାଇନାହିଁ ।" ଆମେରିକୀୟ ସେନା ଇରାନ ବିରୁଦ୍ଧରେ ନିରନ୍ତର ଏକ ବଡ଼ ପ୍ରତିଆକ୍ରମଣ ଆରମ୍ଭ କରିଛି, ଯାହା କିଛି ଦିନ ଧରି ଜାରି ରହିବ । ଏହି ସମୟରେ, ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ କହିଛି ଯେ, ଆମେରିକୀୟ ସେନା ଇରାନରେ ୧୭୦୦ରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଛି । ଶନିବାର ଦିନ ଆରମ୍ଭ ହୋଇଥିବା ଏହି ଆକ୍ରମଣରେ ଇରାନୀ ନୌସେନା ଜାହାଜ, ବୁଡ଼ାଜାହାଜ, ଜାହାଜ ବିରୋଧୀ କ୍ଷେପଣାସ୍ତ୍ର ସ୍ଥାନ, ଏବଂ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା ।

ଏହା ବି ପଢନ୍ତୁ...ଇରାନକୁ ମିଳିଲା ନୂଆ ସୁପ୍ରିମ ଲିଡର, ଖାମେନେଇଙ୍କ ପୁଅ ମୋଜତବା ସମ୍ଭାଳିବେ ଦେଶର କମାଣ