ନୂଆଦିଲ୍ଲୀ,୨୭/୦୩; ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧର ସମ୍ମୁଖୀନ ହେଉଥିବା ଇରାନ ନିଜର ସାମ୍ପ୍ରତିକ କାର୍ଯ୍ୟ ଦ୍ୱାରା ବିଶ୍ୱକୁ ଚକିତ କରିଛି । ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଏକ ମଜା ବୋଲି କହିଥିଲା, ଯାହା ଫଳରେ ଟ୍ରମ୍ପ ଆକ୍ରମଣ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି ସମୟରେ, ଭାରତ ଏବଂ ଏହାର ପଡ଼ୋଶୀମାନଙ୍କ ପାଇଁ କିଛି ଆଶ୍ୱସ୍ତି ଆସିଛି, ଯେଉଁମାନେ ଗ୍ୟାସ ସଙ୍କଟରେ ପଡ଼ିଛନ୍ତି । ହୋର୍ମୁଜ ପ୍ରଣାଳୀ ବନ୍ଦ ଯୋଗୁ ଦେଶରେ ତେଲ ଓ ଏଲ୍ପିଜି ଯୋଗାଣ ପ୍ରଭାବିତ ହୋଇଛି । ଏଭଳି ସମୟରେ ଇରାନ ଠାରୁ ଏକ ଭଲ ଖବର ସାମ୍ନାକୁ ଆସିଛି । ଭାରତ ପାଇଁ ହୋର୍ମୁଜ ଖୋଲା ରଖିଛି ତେହେରାନ । ଭାରତ ସମେତ ୫ଟି ବନ୍ଧୁ ଦେଶ ପାଇଁ ହୋର୍ମୁଜ ଅବରୋଧ ହେବନି ବୋଲି କହିଛି । କୁହାଯାଉଛି କି ଭାରତକୁ ହୋର୍ମୁଜ ପ୍ରଣାଳୀ ଦେଇ ଯାତାୟତ କରିବା ଲାଗି ଇରାନ ଅନୁମତି ଦେଇଛି । ଯାହଫଳରେ ଭାରତୀୟ ଜାହାଜ ଓ ଟ୍ୟାଙ୍କର ମଧ୍ୟପ୍ରାଚ୍ୟରୁ ଅଶୋଧିତ ତୈଳ ଏବଂ ଏଲ୍ପିଜି ଧରି ପୂର୍ବରୁ ଯେଭଳି ସୁରକ୍ଷିତ ଭାବେ ଆସୁଥିଲା ସେହିଭଳି ଆସିପାରିବ ।
ବନ୍ଧୁ ରାଷ୍ଟ୍ରମାନଙ୍କ ପାଇଁ ହୋର୍ମୁଜ ଖୋଲା- ମଧ୍ୟପ୍ରାଚ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ସତ୍ତ୍ୱେ, ଇରାନ ଘୋଷଣା କରିଛି ଯେ,ସେ ଭାରତ ସମେତ ଏହାର ସହଯୋଗୀମାନଙ୍କ ପାଇଁ ହୋର୍ମୁଜ୍ ପ୍ରଣାଳୀ ପରିବହନ ମାର୍ଗକୁ ଖୋଲି ଦେଇଛି । ଏହା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି, ରଏଟର୍ସ ରିପୋର୍ଟ କରିଛି ଯେ ଭାରତ ୨୦୨୮ ପରେ ପ୍ରଥମ ଥର ପାଇଁ ଇରାନରୁ ଏକ ଏଲପିଜି କାର୍ଗୋ କିଣିଛି । ପୂର୍ବରୁ, ଭାରତ ୨୦୧୯ରେ ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁଁ ଇରାନରୁ ଶକ୍ତି ଆମଦାନୀକୁ ସମ୍ପୂର୍ଣ୍ଣ ଭାବରେ ସ୍ଥଗିତ ରଖିଥିଲା । ପୂର୍ବରୁ, ବିଶ୍ୱ ଶକ୍ତି ସଙ୍କଟକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରୁ ତେଲ ଏବଂ ଗ୍ୟାସ କ୍ରୟ ଉପରେ ୩୦ ଦିନର ଛାଡ ଘୋଷଣା କରିଥିଲେ । କେବଳ ଭାରତ ନୁହେଁ ଚୀନ୍, ରୁଷ, ପାକିସ୍ତାନ ଓ ଇରାକ ଭଳି କିଛି ମିତ୍ର ଦେଶକୁ ମଧ୍ୟ ଇରାନ ହୋର୍ମୁଜ ଜଳମାର୍ଗ ବ୍ୟବହାର କରିବାକୁ ଅନୁମତି ଦେଇଥିବା ସୂଚନା ମିଳିଛି । ମୁମ୍ବାଇସ୍ଥିତ ଇରାନୀ ବାଣିଜ୍ୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବାଣିଜ୍ୟ ଦୂତାବାସ କହିଛି କି ଇରାନର ବିଦେଶ ମନ୍ତ୍ରୀ ଅବାସ ଅରାଘଚି ମିତ୍ର ରାଷ୍ଟ୍ରମାନଙ୍କ ଲାଗି ହୋର୍ମୁଜ ଜଳମାର୍ଗକୁ ମୁକ୍ତ କରିଛନ୍ତି । ପୂର୍ବରୁ ଇରାନ ମଧ୍ୟ ସ୍ପଷ୍ଟ କରିଦେଇଛି କି ହୋର୍ମୁଜ ଜଳମାର୍ଗକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇନାହିଁ । ଯେଉଁ ଦେଶମାନେ ଇରାନ ବିରୋଧୀ କେବଳ ସେହିମାନଙ୍କ ଲାଗି ଜଳମାର୍ଗ ବନ୍ଦ କରିଦିଆଯାଇଛି । ଅନ୍ୟ ଦେଶମାନଙ୍କୁ କିଛି ସର୍ତ୍ତରେ ଅନୁମତି ମିଳିଛି ।
ଏହା ବି ପଢନ୍ତୁ...ହୋର୍ମୁଜ ପ୍ରଣାଳୀକୁ ଅବରୋଧ କରିଥିବା ବ୍ୟକ୍ତିକୁ ହତ୍ୟା କରିଛୁ , ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପିଏମ୍ ନେତନ୍ୟାହୁଙ୍କ ବଡ଼ ଘୋଷଣା
ମୁମ୍ବାଇରେ ଥିବା ଇରାନର କନସୁଲେଟ୍ ଜେନେରାଲ୍ ଦ୍ୱାରା ଜାରି ଏକ ବିବୃତ୍ତିରେ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ଚୀନ୍, ରୁଷ, ଭାରତ, ଇରାକ ଏବଂ ପାକିସ୍ତାନ ଭଳି ବନ୍ଧୁତ୍ୱପୂର୍ଣ୍ଣ ଦେଶଗୁଡ଼ିକୁ ହୋର୍ମୁଜ୍ ପ୍ରଣାଳୀ ଦେଇ ଯିବା ପାଇଁ ଅନୁମତି ଦିଆଯାଇଛି । ଆରାଘଚିଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥକୁ ପୁନଃ ଖୋଲିବା ପାଇଁ ଆବେଦନ କରିଥିଲେ । ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣକୁ ପ୍ରାୟ ୪ ସପ୍ତାହ ବିତିଗଲାଣି, କିନ୍ତୁ ଶାନ୍ତିର କୌଣସି ସଙ୍କେତ ଦେଖାଯାଇନାହିଁ । ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ହୋମୁଜ୍ ପ୍ରଣାଳୀ ଖୋଲିବା ଅନେକ ଦେଶ ପାଇଁ ଏକ ବଡ଼ ଆଶ୍ୱସ୍ତି ହୋଇପାରେ ।