ଏ ପ୍ରବନ୍ଧ ଲେଖିଲା ବେଳକୁ ଆମେରିକା-ଇରାନ ଶାନ୍ତିବାର୍ତ୍ତା ଆୟୋଜିତ ହୋଇପାରିଲା ନାହିଁ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯୁଦ୍ଧବିରତି ଘୋଷଣା କଲେ । ଏ ପ୍ରବନ୍ଧରେ ଏହି ବିଷୟରେ ଅଳ୍ପ ଆଲୋଚନା କରିବା ।
ମଧ୍ୟପ୍ରାଚ୍ୟର ଏକ ଜଟିଳ ଓ ରକ୍ତାକ୍ତ ଇତିହାସ ଅଛି । ମୋଟାମୋଟି ଇସ୍ରାଏଲ ଓ ପାଲେଷ୍ଟାଇନ ନାମକ ଦୁଇ ଦେଶର ଅବସ୍ଥିତି ଓ ତାଙ୍କ ଆନ୍ତର୍ଜାତିକ ସ୍ୱୀକୃତିକୁ ନେଇ । ଇସ୍ରାଏଲ ପାଲେଷ୍ଟାଇନକୁ ସ୍ୱୀକାର କରେନାହିଁ । ଯଦିଓ ମୂଳ ପାଲେଷ୍ଟାଇନ ସଂସ୍ଥା ପାଲେଷ୍ଟାଇନ ଲିବରେସନ ଅର୍ଗାନାଇଜେସନ୍ (ପିଏଲଓ) ଇସ୍ରାଏଲର ଅସ୍ତିତ୍ୱକୁ ସ୍ୱୀକାର କରେ, ହାମାସ ନାମକ ଚରମପନ୍ଥୀ ପାଲେଷ୍ଟିନୀୟ ସଂଗଠନ ଇସ୍ରାଏଲର ଅସ୍ତିତ୍ୱକୁ ସ୍ୱୀକାର କରେନାହିଁ । ମିଶର, ଜର୍ଡାନ ଭଳି ଆରବ ଦେଶମାନେ ଇସ୍ରାଏଲ ସହ ଯୁଦ୍ଧ କଲା ପରେ ଇସ୍ରାଏଲ ସହିତ ବନ୍ଧୁତ୍ୱ ସ୍ଥାପନ କରିଛନ୍ତି । ଏଣୁ ମୂଳ ସମସ୍ୟା ଆରବଇସ୍ରାଏଲ-ପାଲେଷ୍ଟାଇନ ନେଇ । ଇରାନ (ପୂର୍ବତନ ପାରସ୍ୟ) ଆରବ ଦେଶ ନୁହେଁ, ଇରାନ ଇସ୍ରାଏଲର ଅସ୍ତିତ୍ୱକୁ ସ୍ୱୀକାର କରେନାହିଁ । ଅଧିକାଂଶ ଆରବ ଦେଶ ସୁନ୍ନି ମୁସଲିମ ବହୁଳ । ଇରାନ ଶିଆ ବହୁଳ । ଆରବ ଇସ୍ରାଏଲ ସନ୍ଧି ପରେ ଇରାନ ନିଜକୁ ପ୍ରମୁଖ ଇସ୍ରାଏଲ ବିରୋଧୀ ଶକ୍ତି ମନେକରେ । ହାମାସ୍, ହିଜବୁଲ୍ଲା, ହୁନି ଭଳି ସଶସ୍ତ୍ର ସଂଗଠନ ସବୁ ଇରାନ ଦ୍ୱାରା ତିଆରି ଏବଂ ଇରାନର ସାହାଯ୍ୟ ଓ ସମର୍ଥନରେ ପରିପୁଷ୍ଟ ବୋଲି ଧରାଯାଏ ।
୨୦୨୩ ମସିହାରେ ହାମାସ ଆକସ୍ମିକ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କଲା । ଉତ୍ତରରେ ଇସ୍ରାଏଲ ହାମାସର ଅଧିକାର କ୍ଷେତ୍ର ଗାଜା ଉପରେ ପ୍ରବଳ ଆକ୍ରମଣ କଲା ଏବଂ ଧ୍ୱଂସଲୀଳା ଜାରି ରଖିଲା । ଆରବ-ଇସ୍ରାଏଲ ଲଢ଼େଇରେ ଇରାନ ଦୂରେଇ ରହୁଥିଲା । ୧୯୭୯ ମସିହାର ଇସଲାମିକ ବିପ୍ଳବ ପୂର୍ବରୁ ଇରାନର ଶାହାଙ୍କ ଶାସନ କାଳରେ ଇରାନ ସହିତ ଆମେରିକାର ମଧୁର ସମ୍ପର୍କ ଥିଲା । ୧୯୭୯ ମସିହା ପରଠୁଁ ଆୟାତୋଲା ଖୋମେନିଙ୍କ ନେତୃତ୍ୱରେ ଇରାନ ରୂଢ଼ିବାଦୀ ଇସଲାମପନ୍ଥୀ ଏବଂ ଆମେରିକା ବିରୋଧୀ ନୀତି ଆପଣେଇଲା । ସମୟକ୍ରମେ ଗୋଟିଏ ପଟେ ଦେଶ ହାତରେ ପ୍ରତିବାଦର ସ୍ୱର ଉଠିବାକୁ ଲାଗିଲା ଏବଂ ଅନ୍ୟପଟେ ଇରାନର ଆମେରିକା ସହିତ ସମ୍ପର୍କ ତିକ୍ତ ହେବାକୁ ଲାଗିଲା । ବିଭିନ୍ନ ଆଳରେ ଆମେରିକା ୧୯୭୯ ପରଠୁଁ ଇରାନ ଉପରେ କଟକଣା ସବୁ ଲାଗୁ କରି ରଖିଥିଲା । ଇରାନ ଆଣବିକ ବୋମା ତିଆରି କରୁଛି ବୋଲି ସନ୍ଦେହ କରାଯାଉଥିଲା । ୨୦୨୫ ମସିହାରେ ଆମେରିକା ଇରାନ ଉପରେ ବଡ଼ଧରଣର ଆକ୍ରମଣ କରିଥିଲା । ସେ ସମୟରେ କୁହାଯାଉଥିଲା ଯେ, ଆମେରିକା ଓ ଇରାନ ମଧ୍ୟରେ ବୁଝାମଣାର ବାଟ ବାହାରୁଛି । ଆମେରିକା ତରଫରୁ ଇରାନର ଆଣବିକ କେନ୍ଦ୍ରମାନଙ୍କ ଉପରେ ବୋମା ବର୍ଷଣ ହେଲା । ଇରାନର ଅଣୁବୋମା ଧ୍ୱଂସ ହେଲା କି ନାହିଁ ଜଣାପଡ଼ିଲା ନାହିଁ । ଏ ପାଳିରେ ୨୮ ଫେବ୍ରୁଆରୀ ୨୦୨୬ ତାରିଖ ଦିନ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଭୀଷଣ ଆକ୍ରମଣ ଆରମ୍ଭ କଲେ । ଆୟାତୋଲ୍ଲା ଅଲି ଖାମେନେଇ ସମେତ ଶୀର୍ଷ ଇରାନୀୟ ନେତୃତ୍ୱ ପ୍ରାଣ ହରାଇଲେ । ଏହି ଆକ୍ରମଣର ସ୍ପଷ୍ଟ କାରଣ ଜଣାପଡ଼ୁନାହିଁ । ମୋଟାମୋଟି ଜଣାପଡ଼େ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ପ୍ରରୋଚନା କ୍ରମେ ଆମେରିକା ଇରାନ ଉପରେ ଆକ୍ରମଣ କଲା । ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ କହିଥିଲେ ତାଙ୍କ ରାଷ୍ଟ୍ରପତିତ୍ୱରେ ଆମେରିକା ଅନ୍ୟ ଦେଶରେ ସାମରିକ ହସ୍ତକ୍ଷେପ କରିବ ନାହିଁ । ବରଂ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରିବ । ହେଲେ ଭେନେଜୁଏଲାର ରାଷ୍ଟ୍ରପତି ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ଉଠାଇ ଆଣି ବନ୍ଦୀ କରି ରଖିଛନ୍ତି । ଏପଟେ ଇରାନ ଉପରେ ଆକ୍ରମଣ!
ଇସ୍ରାଏଲର ନିଜସ୍ୱ ସମସ୍ୟା ଅଛି । ନେତନ୍ୟାହୁ କଷ୍ଟେମଷ୍ଟେ ଏକ ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳର ନେତୃତ୍ୱ ବହନ କରୁଛନ୍ତି । ତାଙ୍କ ବିରୁଦ୍ଧରେ ଗୁରୁତର ଦୁର୍ନୀତି ଅଭିଯୋଗ ଅଛି । ସେ ଦେଶର ନ୍ୟାୟବ୍ୟବସ୍ଥାର ସ୍ୱାତନ୍ତ୍ର୍ୟ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଯୁଦ୍ଧ ଜାରି ରହିଲେ ଦେଶ ଏକଜୁଟ ହୋଇ ଶତ୍ରୁର ମୁକାବିଳା କରିବ । ଏପଟେ ଇରାନର ଆୟାତୋଲ୍ଲା ଓ ରୂଢ଼ିବାଦୀ ଶାସନ ବ୍ୟବସ୍ଥା ବିରୁଦ୍ଧରେ ଜନଅସନ୍ତୋଷ ଥିଲା । ଆମେରିକା ଓ ଇସ୍ରାଏଲ ମିଶି ଆକଳନ କରିଥିଲେ ଏତେ ଦିନର କଟକଣା, ୨୦୨୫ ମସିହାର ଆକ୍ରମଣ, ଆଭ୍ୟନ୍ତରୀଣ ଜନଅସନ୍ତୋଷ ଆଦି ଯୋଗୁଁ ୨/୩ ଦିନ ଭିରେ, ଅତି ବେଶିରେ ଏକ ସପ୍ତାହ ଭିତରେ ଇରାନ ଭାଙ୍ଗିପଡ଼ିବ । ସତ୍ତା ପରିବର୍ତ୍ତନ ହେବ ଏବଂ ଇରାନ ସୈନ୍ୟ ଆତ୍ମସମର୍ପଣ କରିବେ । ସେମିତି କିଛି ହେଲାନାହିଁ । ଇରାନ ସବୁପ୍ରକାର କ୍ଷୟକ୍ଷତି ସତ୍ତେ୍ୱ ଦୃଢ଼ତାର ସହ ମୁକାବିଲା କଲା, ପଡ଼ୋଶୀ ଦେଶରେ ଥିବା ଆମେରିକୀୟ ଠିକଣା, ଇସ୍ରାଏଲ ଆଦି ଉପରେ ସଫଳତାର ସହ ଆକ୍ରମଣ କଲା, ହୋର୍ମୁଜ ପ୍ରଣାଳୀ ଉପରେ ଅବରୋଧ କରି ଆନ୍ତର୍ଜାତିକ ସ୍ତରରେ ତୈଳ ସଂକଟ ସୃଷ୍ଟି କଲା, ଦେଶ ଭିତରେ ଲୋକେ ଏକଜୁଟ ହୋଇଗଲେ । ଅଣୁ ଅସ୍ତ୍ର ଛଡ଼ା ଆମେରିକା ତା’ର ସବୁପ୍ରକାର ଶକ୍ତି ପ୍ରୟୋଗ କରିସାରିଛି । ଇରାନ ହାରୁନାହିଁ । ବର୍ତ୍ତମାନ ଆମେରିକା ଏକ ସମ୍ମାନଜନକ ପ୍ରସ୍ଥାନ ପଥ ଖୋଜୁଛି । ଆଶ୍ଚର୍ଯ୍ୟର କଥା ହେଲା, ପାକିସ୍ତାନ ଆମେରିକା ଓ ଇରାନ ମଧ୍ୟରେ ବୁଝାମଣା ପାଇଁ ଚେଷ୍ଟା କରୁଛି । ଆହୁରି ଆଶ୍ଚର୍ଯ୍ୟର କଥା ହେଲା, ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବ୍ୟତୀତ ପାକିସ୍ତାନର ସେନାମୁଖ୍ୟ ଆସୀମ ମୁନୀରଙ୍କ ପ୍ରମୁଖ ଭୂମିକା! ସାମରିକ ପୋଷାକ ପରିଧାନ କରି ମୁନୀର ଏସବୁ ଶାନ୍ତି ବାର୍ତ୍ତାରେ ଅଂଶଗ୍ରହଣ କରୁଥିବା ଦେଖାଯାଇଛି । ବିଡ଼ମ୍ବନା ଦେଖନ୍ତୁ, ପାକିସ୍ତାନ ଇସ୍ରାଏଲ ଅସ୍ତିତ୍ୱକୁ ସ୍ୱୀକାର କରେନାହିଁ । ତଥାପି, ପାକିସ୍ତାନ ଶାନ୍ତିଦୂତ ।
ରାଷ୍ଟ୍ରପତି ଟ୍ରମ୍ପ କେତେବେଳେ କ’ଣ କହୁଛନ୍ତି ସେଥିରେ ତାଳମେଳ ରହୁନାହିଁ । ପବିତ୍ର ରମଜାନ ସମୟରେ ରାଷ୍ଟ୍ରମୁଖ୍ୟ ଏବଂ ଧର୍ମଗୁରୁ ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ଏକ ସ୍ଥାୟୀ ଶତ୍ରୁତା ସୃଷ୍ଟି କରିବ । ଦ୍ୱିତୀୟତଃ, ଭେନେଜୁଏଲା, ଏହା ପୂର୍ବରୁ ଇରାକ ଏବଂ ବର୍ତ୍ତମାନ ଇରାନ ଆକ୍ରମଣ ଆମେରିକାର ପୃଥିବୀର ତୈଳ ସମ୍ପତ୍ତି ଉପରେ ଆଧିପତ୍ୟର ମାନସିକତାର ସୂଚନା ଦିଏ । ତୃତୀୟତଃ, ସାମରିକ ହସ୍ତକ୍ଷେପ ପାଇଁ ମିଳିତ ଜାତିସଂଘ ବା ଆମେରିକୀୟ ସଂସଦର ଅନୁମୋଦନ ନାହିଁ । ଚତୁର୍ଥତଃ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା, ବିଶେଷତଃ ନାଟୋ ନାମକ ସାମରିକ ସଂଗଠନ ମାଧ୍ୟମରେ ପାଶ୍ଚାତ୍ୟ ଦେଶମାନଙ୍କ ନେତୃତ୍ୱ ବହନ କରୁଥିଲା । ଏହି ଯୁଦ୍ଧରେ ନାଟୋର ଦେଶମାନେ ହାତ ବଢ଼େଇଲେ ନାହିଁ । ଅର୍ଥାତ୍, ନାଟୋରେ ଫାଟ । ପଞ୍ଚମତଃ, ଆମେରିକାର ସେନାବାହିନୀରେ ମତଭେଦ ଦେଖାଦେଇଛି । ଏପ୍ରିଲ ୨୦୨୬ରେ ଆମେରିକାର ସେନାଧ୍ୟକ୍ଷ ରାଣୀ ଜର୍ଜ ପଦତ୍ୟାଗ କଲେ । ଏହି ମାସ ୨୨ ତାରିଖ ଦିନ ଜଳବାହିନୀର ସଚିବ ଜନ୍ ଫେଲାନ ପଦତ୍ୟାଗ କଲେ । ଯୁଦ୍ଧ ଚାଲିଥିବା ସମୟରେ ବିଶେଷତଃ ହୋର୍ମୁଜ ଅବରୋଧ ମଧ୍ୟରେ ଏମିତି ପଦତ୍ୟାଗ କୌତୁହଳ ସୃଷ୍ଟିକରେ । ଷଷ୍ଠତଃ, ଏପ୍ରିଲ ୧୩, ୨୦୨୬ ତାରିଖ ଦିନ ଶହେଜଣରୁ ଊଦ୍ଧ୍ୱର୍ ଆମେରିକୀୟ ଆଇନ ବିଶେଷଜ୍ଞ ଏକ ଖୋଲାଚିଠି ଲେଖି ଇରାନରେ ଆମେରିକୀୟ ସାମରିକ ହସ୍ତକ୍ଷେପକୁ ବେଆଇନ ଓ ଜାତିସଂଘର ନିୟମ ବିରୋଧୀ ବୋଲି କହିଲେ । ସପ୍ତମତଃ, ଟ୍ରମ୍ପଙ୍କ ବ୍ୟକ୍ତିଗତ ପ୍ରତିଷ୍ଠା ପ୍ରଭାବିତ ହେଉଥିବା ମନେହୁଏ । ବ୍ୟକ୍ତିଗତ ଭାବେ ଟ୍ରମ୍ପଙ୍କ ବିରୋଧ ସତ୍ତେ୍ୱ ଗୁଜରାଟ ସୁନ୍ଦର ଜୋହରାନ ମାମଦାନୀ ଡେମୋକ୍ରାଟିକ ଦଳ ତରଫରୁ ନ୍ୟୁୟର୍କ ସହରର ମେୟର ନିର୍ବାଚିତ ହେଲେ । ସେହିପରି ଏହି ମାସ ନିର୍ବାଚନରେ ଚରମ ଦକ୍ଷିଣପନ୍ଥୀ ଭିକ୍ଟର ଓର୍ଗାନଙ୍କୁ ଟ୍ରମ୍ପ ସମର୍ଥନ ଜଣାଇଲେ । ହଙ୍ଗେରୀର ଏହି ନିର୍ବାଚନରେ ଓର୍ଗାନ ପରାସ୍ତ ହେଲେ ଏବଂ ଉଦାରବାଦୀ ପିଟର ମାଗାର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।
ଅଷ୍ଟମତଃ, ନଭେମ୍ବର ମାସରେ ଆମେରିକୀୟ ସଂସଦ ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ । ଇରାନରେ ଅସଫଳ ସାମରିକ ଅଭିଯାନ ଟ୍ରମ୍ପଙ୍କ ରିପବ୍ଲିକାନ ଦଳକୁ ମହଙ୍ଗା ପଡ଼ିପାରେ । ଶେଷତଃ, ଏହି ପ୍ରବନ୍ଧ ଲେଖିଲା ବେଳକୁ ଆମେରିକା ହୋର୍ମୁଜ ପ୍ରଣାଳୀର ଅବରୋଧ ଜାରି ରଖିଛି । ଇରାନକୁ ପରାସ୍ତ କରିନପାରି ହୋର୍ମୁଜକୁ ବନ୍ଦ କରି ଇରାନକୁ ଶାନ୍ତି ଚୁକ୍ତି ପାଇଁ ବାଧ୍ୟ କରିବାକୁ ଚେଷ୍ଟା କରୁଛି । ୨୧ ଏପ୍ରିଲ ୨୦୨୬ ତାରିଖ ଦିନ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ନେତୃତ୍ୱରେ ଆମେରିକାର ଦଳ ପାକିସ୍ତାନ ପହଞ୍ଚିବାର ଥିଲା । ଇରାନ ଆଲୋଚନାରେ ଯୋଗଦାନ କରିବାକୁ ମନା କରିଦେଲା । ଏଣୁ ବର୍ତ୍ତମାନ ପାଇଁ ଶାନ୍ତିବାର୍ତ୍ତା ସ୍ଥଗିତ ହେଇଗଲା । ହେଲେ, ଟ୍ରମ୍ପ ଯୁଦ୍ଧବିରତିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରଖିବା କଥା କହିଛନ୍ତି । ତେଣେ, ଇସ୍ରାଏଲ ଓ ହିଜବୁଲ୍ଲାର ଯୁଦ୍ଧକ୍ଷେତ୍ର ଲେବାନନରେ ମଧ୍ୟ ଯୁଦ୍ଧବିରତି ହୋଇଛି ଏବଂ ଶାନ୍ତି ବାର୍ତ୍ତାର ପ୍ରୟାସ ହେଉଛି ।
ଏ ପାଳିର ଇରାନ ଉପରେ ଆମେରିକାର ଆକ୍ରମଣ ଯଥାର୍ଥ କାରଣଯୁକ୍ତ ମନେ ହୁଏନାହିଁ । ଇସ୍ରାଏଲର ଆକ୍ରମଣ ବୁଝିହୁଏ । ଆମେରିକା କାହିଁକି ଏଥିରେ ହାତ ଦେଲା ବୁଝି ହେଉନାହିଁ । ଏଭଳି ଆମେରିକୀୟ କାର୍ଯ୍ୟକଳାପରୁ ଉପନିବେଶବାଦ ତଥା ସାମ୍ରାଜ୍ୟବାଦର ଆଭାସ ମିଳେ । ମିଳିତ ଜାତିସଂଘ ସମ୍ପୂର୍ଣ୍ଣ ନିଷ୍କ୍ରିୟ ମନେହୁଏ । ଆଲୋଚନା, ମିଳାମିଶା ବଦଳରେ ବାହୁବଳ ସମସ୍ୟା ସମାଧାନର ପନ୍ଥା ମନେହୁଏ । ଆମେରିକାରେ ଏକ ବିଶାଳକାୟ ଅସ୍ତ୍ରଶସ୍ତ୍ର ତିଆରି ବ୍ୟବସ୍ଥା (ମିଲିଟାରୀ-ଇଣ୍ଡଷ୍ଟ୍ରିଆଲ କମ୍ପେ୍ଲକ୍ସ) ଅଛି । ପୃଥିବୀରେ ଯେତେ ଯୁଦ୍ଧ ହେଉଥିବ, ଆମେରିକାର ଏହି କାରଖାନା ସେତେ ଲାଭବାନ ହେଉଥିବେ । ଭିଏତନାମ ଓ ଆଫଗାନିସ୍ତାନରେ ଦୀର୍ଘ ଅଭିଯାନ ସତ୍ତେ୍ୱ ଆମେରିକା ପରାସ୍ତ ହେଇଥିଲା । କାରଣ ଥିଲା ସ୍ଥାନୀୟ ଲୋକଙ୍କ ସମ୍ମିଳିତ ବିରୋଧ । କେବଳ ଟେକନୋଲୋଜି ମାଧ୍ୟମରେ ଯୁଦ୍ଧ ଜିଣି ହୁଏନାହିଁ । ଏ ପର୍ଯ୍ୟନ୍ତର ଘଟଣାରୁ ମନେହୁଏ, ଇରାନ ବାଧ୍ୟହୋଇ ଶାନ୍ତି ବାର୍ତ୍ତାରେ ଯୋଗଦାନ ପାଇଁ ରାଜି ନୁହେଁ । ଏଣୁ ଉଭୟ ପକ୍ଷ ପାଇଁ ଏକ ସମ୍ମାନଜନକ ମଝିବାଟ ଅନ୍ୱେଷଣ କରାଯିବା ଉଚିତ । ଏସବୁ ଘଟଣାର ମୂଳ କାରଣ ଇସ୍ରାଏଲ- ପାଲେଷ୍ଟାଇନ ସମସ୍ୟାର ସ୍ଥାୟୀ ସମାଧାନ ଆବଶ୍ୟକ । ପାଲେଷ୍ଟାଇନ ଓ ଇସ୍ରାଏଲ ପରସ୍ପରର ଅସ୍ତିତ୍ୱକୁ ସ୍ୱୀକାର କରିବେ, ଦୁଇ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମାସମ୍ପନ୍ନ ଦେଶ ହୋଇ ରହିବେ, ଏହା ହିଁ ସମାଧାନର ବାଟ । ଏହାକୁ ଟୁଷ୍ଟେଟ୍ ଥିଓରୀ କହନ୍ତି । ଏହାକୁ ଆଗକୁ ନେବା ଉଚିତ । ତୈଳ ସମ୍ପତ୍ତିରେ ଭରପୂର ଆରବ ଉପସାଗରୀୟ ଦେଶମାନେ ଆମେରିକାର ସୁରକ୍ଷା ବଳୟ ଭିତରେ ରହି ନିଜକୁ ସୁରକ୍ଷିତ ମନେ କରୁଥିଲେ । ଏ ଦେଶମାନଙ୍କରେ ଇରାନର ଆକ୍ରମଣ ଏହି ବିଶ୍ୱାସକୁ ଭଙ୍ଗ କରିଦେଲା । ଏହି ଇରାନ ଯୁଦ୍ଧ ଆମେରିକାର ଆଧିପତ୍ୟର ନିମ୍ନଗତିର ସୂଚନା ଦିଏ ଏବଂ ଇରାନ ଏକ ଆଞ୍ଚଳିକ ମହାଶକ୍ତି ଭାବରେ ଉଭା ହୋଇଛି ମନେହୁଏ । ଯାହାହେଉ, ଶାନ୍ତି ଓ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଖୋଜାଯିବା ଉଚିତ । ଏହା ହିଁ ଏକମାତ୍ର ବାଟ