ନୂଆଦିଲ୍ଲୀ,୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି । ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଘରୋଇ ଗ୍ୟାସ୍ ସିଲିଣ୍ଡର (ଏଲିପିଜି) ପାଇଁ ବୁକିଂ ଅବଧିକୁ ବୃଦ୍ଧି କରିଛି। ସୂତ୍ର ଅନୁସାରେ, ଏହାକୁ ୨୧ ଦିନରୁ ୨୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କଳାବଜାରୀ ଏବଂ ମହଜୁଦକାରୀଙ୍କୁ ମୁକାବିଲା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସରକାର କହିଛନ୍ତି ଯେ ବର୍ତ୍ତମାନ ଘରୋଇ ଗ୍ୟାସ୍ କିମ୍ବା ଡିଜେଲ ଏବଂ ପେଟ୍ରୋଲର କୌଣସି ଅଭାବ ନାହିଁ।
ମନ୍ତ୍ରଣାଳୟ ମାତ୍ର ତିନି ଦିନ ପୂର୍ବରୁ ଏଲପିଜି ସିଲିଣ୍ଡର ବୁକିଂ ଅବଧିକୁ ୧୫ ଦିନରୁ ୨୧ ଦିନକୁ ବୃଦ୍ଧି କରିଥିଲା, କିନ୍ତୁ ଏବେ ଏହାକୁ ୨୫ ଦିନକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ଗ୍ରାହକଙ୍କୁ ଏବେ ଦୁଇଟି ସିଲିଣ୍ଡର ବୁକିଂ ମଧ୍ୟରେ ୨୪ ଦିନର ବ୍ୟବଧାନ ବଜାୟ ରଖିବାକୁ ପଡିବ।
ପଶ୍ଚିମ ଏସିଆରେ ଜାରି ସଂଘର୍ଷ ଭିତରେ ଦୁଇ ଦିନ ପୂର୍ବରୁ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ରେ ୬୦ ଟଙ୍କା ଓ କମର୍ସିଆଲ ସିଲିଣ୍ଡରର ଦାମ୍ରେ ୧୧୪.୫ ଟଙ୍କା ବୃଦ୍ଧି କରାଯାଇଛି। ଇଣ୍ଡିଆନ୍ ଅଏଲ୍ କର୍ପେରେସନ୍ (ଆଇଓସି)ର ଓ୍ବେବସାଇଟ୍ ଅନୁସାରେ,ଦିଲ୍ଳୀରେ ଏବେ ଅଣ-ସବସିଡି ଥିବା ଏଲପିଜିର ୧୪.୨ କିଲୋଗ୍ରାମ୍ର ସିଲିଣ୍ଡର ୯୧୩ ଟଙ୍କାରେ ମିଳିବ। ସେଭଳି ପୂର୍ବରୁ ଏହାର ଦାମ୍ ୮୫୩ ଟଙ୍କା ଥିଲା। ବର୍ଷକ ଭିତରେ ଏହା ଦ୍ବିତୀୟ ଥର ଯେତେବେଳେ ଏଲପିଜି ସିଲିଣ୍ଡର ଦାମ୍ ବଢାଯାଇଛି। ଦାମ୍ରେ ବୃଦ୍ଧି ୭ ମାର୍ଚ୍ଚରୁ ଲାଗୁ ହୋଇସାରିଛି। ଏହା ପୂର୍ବରୁ ଗତ ବର୍ଷ ଏପ୍ରିଲରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ମୁମ୍ବାଇରେ ଅଣ ସବସିଡି ଥିବା ଏଲପିଜି ଏବେ ୯୧୨ ଟଙ୍କା ୫୦ ପଇସା, କୋଲକତାରେ ୯୩୯ ଟଙ୍କା ଓ ଚେନ୍ନାଇରେ ୯୨୮ ଟଙ୍କା ୫୦ ପଇସା ରହିଛି।
ଆହୁରି ପଢନ୍ତୁ :ବାଇକ୍ ଟ୍ୟାକ୍ସି ଚାଳକଙ୍କୁ ବଡ଼ ଝଟକା: ଏହି ରାଜ୍ୟରେ ବନ୍ଦ ହେଲା ସର୍ଭିସ, ନିୟମ ନମାନିଲେ ଆକ୍ସନ