ନୂଆଦିଲ୍ଲୀ,୨୩/୦୩; ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଭୟ ଦେଶର ଲୋକମାନଙ୍କୁ ସେମାନଙ୍କର ସୁରକ୍ଷା ପାଇଁ ଗଭୀର ଚିନ୍ତାରେ ପକାଇଛି । ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ପରେ, ଇସ୍ରାଏଲ ଏବଂ ଆମେରିକା ଉପରେ କ୍ରୋଧିତ ହୋଇ ପ୍ରତିଶୋଧ ପରାୟଣ ହୋଇଛି ଇରାନ । ଅନେକ ସ୍ଥାନରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି । ଇସ୍ରାଏଲ ବିରୋଧରେ ସ୍ଲୋଗାନ ଦେଉଛନ୍ତି । ସେମାନଙ୍କ ସେନାକୁ ସମର୍ଥନ କରି ଲୋକ ଏକାଠି ହୋଇଥିଲା ଦେଖିବାକୁ ମିଳିଛି । ସେହିପରି ଇସ୍ରାଏଲରେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କ୍ଷେପଣାସ୍ତ୍ର ଆକ୍ରମଣର ନିରନ୍ତର ଧମକ ମଧ୍ୟରେ, ସାଇରନ୍ ବାଜିବା ମାତ୍ରେ ଲୋକମାନେ ଆତଙ୍କିତ ହୋଇ ବଙ୍କରରେ ଆଶ୍ରୟ ନେଉଛନ୍ତି । ଇରାନୀ ଆକ୍ରମଣ ମଧ୍ୟ କ୍ରୋଧକୁ ଆହୁରି ବଢ଼ାଇ ଦେଇଛି । ଏପରି ସ୍ଥିତିରେ ଉଭୟ ଦେଶର ଲୋକ କଣ ଖୋଜୁଛନ୍ତି ଏବଂ ସେମାନଙ୍କ ମନର ଅବସ୍ଥା କଣ ତାହା ବୁଝିବାକୁ ଗୁଗଲ ଟ୍ରେଣ୍ଡ ମାଧ୍ୟମରେ ଏକ ପ୍ରୟାସ କରାଯାଇଛି ।

୨୮ ଫେବୃଆରୀ, ୨୦୨୬ରେ, ଆମେରିକା-ଇସ୍ରାଏଲ ଦ୍ୱାରା ହୋଇଥିବା ପ୍ରମୁଖ ଆକ୍ରମଣରେ ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ, ଇରାନରେ ଇଣ୍ଟରନେଟ୍ ସଂଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଥିଲା, ଯାହା ପ୍ରାୟ ୪% ରୁ ୧% କିମ୍ବା ତା'ଠାରୁ କମ୍ ଥିଲା । ୨୩ ମାର୍ଚ୍ଚ, ୨୦୨୬ ସୁଦ୍ଧା ପରିସ୍ଥିତି ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇନାହିଁ । ରିପୋର୍ଟଗୁଡ଼ିକ ସୂଚାଇଛି ଯେ, ଇଣ୍ଟରନେଟ୍ ଟ୍ରାଫିକ୍ ୦ ରୁ ୧% ମଧ୍ୟରେ ରହିଛି, ଯାହା ସୂଚାଇ ଦେଉଛି ଯେ, ଅଧିକାଂଶ ଇରାନୀ ନାଗରିକ ବିଶ୍ୱ ଇଣ୍ଟରନେଟ୍ ଠାରୁ ପ୍ରାୟତଃ ବିଚ୍ଛିନ୍ନ ହୋଇଯାଇଛନ୍ତି । 

​​​​​​​ଇରାନ ଲୋକ କଣ ଖୋଜୁଛନ୍ତି ? ଉପଲବ୍ଧ ସୀମିତ ତଥ୍ୟ ଅନୁସାରେ ଇରାନରେ ସର୍ଚ୍ଚ ଧାରାଗୁଡିକରେ ଏକ ସ୍ୱତନ୍ତ୍ର ପାର୍ଟନ ଜାରି ହୋଇଛି । ଗତ ସପ୍ତାହରେ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୃତ୍ୟୁ ଖବର ନେଇ ଅଧିକ ସର୍ଚ୍ଚ କରିଛନ୍ତି । କାରଣ ସୋସିଆଲ ମିଡିଆରେ ଗୁଜବ ପ୍ରସାରିତ ହୋଇଥିଲା କି ନେତାନ୍ୟାହୁଙ୍କର ମୃତ୍ୟୁ ହୋଇଥିଲା ।

ଏହା ବି ପଢନ୍ତୁ...'ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ, ଭାରତୀୟଙ୍କ ସୁରକ୍ଷା ଆମ ପ୍ରାଥମିକତା'; ଯୁଦ୍ଧକୁ ନେଇ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ  

ଇସ୍ରାଏଲୀମାନେ କଣ ଖୋଜୁଛନ୍ତି ? ସେହିପରି ଇସ୍ରାଏଲରେ ସମାନ ସର୍ଚ୍ଚ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଲୋକମାନେ ନେତାନ୍ୟାହୁ ବଞ୍ଚିଛନ୍ତି କି ?  ନେତାନ୍ୟାହୁ ମୃତ ଭଳି କିୱାର୍ଡ ସର୍ଚ୍ଚ କରୁଛନ୍ତି । ଏହା ଅର୍ଥ ଇସ୍ରାଏଲରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ବିଷୟରେ କୌତୁହଳ ଏବଂ ଚିନ୍ତା ଜାରି ରହିଛି । ହେଲେ ନିଜେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏ ଗୁଜବକୁ ପ୍ରେସମିଟରେ ଖଣ୍ଡନ କରି ବଞ୍ଚିଥିବା କହିଛନ୍ତି । ସାମଗ୍ରିକ ଭାବରେ ଗୁଗଲ ଟ୍ରେଣ୍ଡ ଦର୍ଶାଉଛି ଯେ ଯୁଦ୍ଧ ଭଳି ପରିବେଶରେ କେବଳ ଆକ୍ରମଣ ନୁହେଁ ବରଂ ଗୁଜବ ବି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଲୋକ ସତ ଜାଣିବାକୁ ଇଣ୍ଟରନେଟର ସାହାଯ୍ୟ ନେଉଛନ୍ତି ।
​​​​​​​