ତେହରାନ୍, ୧୪/୦୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ୧୪ତମ ଦିନ । ଏହି ଯୁଦ୍ଧରେ ସାଇବର ଆକ୍ରମଣ ମଧ୍ୟ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଇରାନ ସହ ଜଡ଼ିତ ଏକ ହ୍ୟାକିଂ ଗ୍ରୁପ ହନ୍ଦାଲା ହ୍ୟାକ୍ ଆମେରିକାର ମେଡିକାଲ୍ ଡିଭାଇସ୍ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କମ୍ପାନି ଷ୍ଟ୍ରାଇକର କର୍ପୋରେସନ୍ ଉପରେ ବଡ଼ ସାଇବର ଆକ୍ରମଣ କରିଥିବା ଦାବି କରିଛି । ଆକ୍ରମଣ ଫଳରେ ବିଶ୍ୱବ୍ୟାପୀ କମ୍ପାନିର ପରିଚାଳନା ବାଧାପ୍ରାପ୍ତ ହୋଇଥିବା ଗ୍ରୁପ ପକ୍ଷରୁ ଟେଲିଗ୍ରାମ ଚ୍ୟାନେଲରେ ପୋଷ୍ଟ କରାଯାଇଥିବା ଏକ ବାର୍ତ୍ତାରେ କୁହାଯାଇଛି ।
ସେ ଅନୁସାରେ, ମାର୍ଚ୍ଚ ୧୧ ତାରିଖରେ ଏହି ସାଇବର ଆକ୍ରମଣ କରାଯାଇଥିଲା । ଏହାଦ୍ୱାରା ଷ୍ଟ୍ରାଇକର କମ୍ପାନିର ୫୧ ଟେରାବାଇଟ୍ ଡାଟାକୁ ହନ୍ଦାଲା ହ୍ୟାକ୍ ଚୋରାଇ ନେଇଥିବାବେଳେ ୨ ଲକ୍ଷରୁ ଅଧିକ ସିଷ୍ଟମ, ସର୍ଭର ଏବଂ ମୋବାଇଲ୍ ଡିଭାଇସ୍ର ତଥ୍ୟକୁ ନଷ୍ଟ କରିଦେଇଥିଲା । ଏହି ସାଇବର ଆକ୍ରମଣ ଦ୍ୱାରା ମିନାବ ସ୍କୁଲ ଉପରେ କରାଯାଇଥିବା ବୋମା ମାଡ଼ର ପ୍ରତିଶୋଧ ନେଇଥିବା ହନ୍ଦାଲା ଗ୍ରୁପ୍ ଦର୍ଶାଇଛି । ମିଶିଗାନସ୍ଥିତ ସେହି ଆମେରିକୀୟ କମ୍ପାନିରେ ପ୍ରାୟ ୫୬ ହଜାର କର୍ମଚାରୀ କାମ କରନ୍ତି । କମ୍ପାନି ୬୧ଟି ଦେଶରେ ଏହା କାମ କରିଥାଏ ।
ସୂଚନାଥାଉକି, ଫେବ୍ରୁଆରୀ ୨୮ ତାରିଖରେ ଆମେରିକାର ଟୋମାହକ୍ ମିସାଇଲ୍ ଇରାନ ମିନାବସ୍ଥିତ ଏକ ପ୍ରାଥମିକ ସ୍କୁଲ ଉପରେ ପଡ଼ିଥିଲା । ସେଥିଯୋଗୁ ପ୍ରାୟ ୧୬୦ଜଣ ଶିଶୁ ପ୍ରାଣ ହରାଇଥିଲେ ।