ନୀଆଦିଲ୍ଲୀ, ୯।୩: ଇରାନର ରାଜନୈତିକ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ମୋଜତାବା ଖାମେନେଇଙ୍କୁ ଇରାନର ନୂତନ ସୁପ୍ରିମ ଲିଡର ଭାବେ ନିଯୁକ୍ତ କରାଯାଇଛି । ରବିବାର ବିଳମ୍ବିତ ରାତିରେ ଇରାନର 'ଆସେମ୍ବଲି ଅଫ୍ ଏକ୍ସପର୍ଟସ' ପକ୍ଷରୁ ଏହି ଆନୁଷ୍ଠାନିକ ଘୋଷଣା କରାଯାଇଛି । ଆମେରିକା ଓ ଇସ୍ରାଏଲର ମିଳିତ ଏୟାର ଷ୍ଟ୍ରାଇକରେ ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିଲା ।
କିଏ ଏହି ମୋଜତାବା ଖାମେନେଇ ?
୫୬ ବର୍ଷୀୟ ମୋଜତାବା ୧୯୬୯ ମସିହାରେ ପବିତ୍ର ସହର ମସାଦରେ ଜନ୍ମଗ୍ରହଣ କରିଥିଲେ । ସେ ଇରାନ-ଇରାକ ଯୁଦ୍ଧରେ ସେନା ଭାବେ କାର୍ୟ୍ୟ କରିଥିବା ବେଳେ କୋମର ଶିଆ ସେମିନାରୀରୁ ଧାର୍ମିକ ଶିକ୍ଷା ଗ୍ରହଣ କରିଛନ୍ତି । ଯଦିଓ ସେ ପୂର୍ବରୁ କୌଣସି ସରକାରୀ ପଦବୀରେ ନଥିଲେ, ତଥାପି ଇରାନର ଶକ୍ତିଶାଳୀ ସେନା 'ରିଭୋଲ୍ୟୁସନାରୀ ଗାର୍ଡସ' (IRGC) ସହ ତାଙ୍କର ଅତି ଘନିଷ୍ଠ ସମ୍ପର୍କ ରହିଛି । ସେଥିପାଇଁ ତାଙ୍କୁ ସୁପ୍ରିମ ଲିଡର କରିବା ପଛରେ ସେନାର ଏକ ବଡ଼ ହାତ ଥିବା ଚର୍ଚ୍ଚା ହେଉଛି । ୨୦୧୯ ମସିହାରେ ଆମେରିକା ଟ୍ରେଜେରୀ ବିଭାଗ ତାଙ୍କ ଉପରେ କଟକଣା ଲଗାଇଥିଲା । ଇରାନରେ ହୋଇଥିବା ବିଭିନ୍ନ ବିରୋଧ ପ୍ରଦର୍ଶନ ସମୟରେ ତାଙ୍କ ଭୂମିକାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି ।
ଏହା ବି ପଢ଼ନ୍ତୁ... ଇରାନ ତୈଳ ଡିପୋରେ ଇସ୍ରାଏଲ୍ ହମ୍ଲା, ତେହେରାନରେ କଳା ବର୍ଷା, ଲୋକେ ଆତଙ୍କିତ
ଟ୍ରମ୍ପ ଓ ଇସ୍ରାଏଲର ଚେତାବନୀ:
ମୋଜତାବାଙ୍କ ନିଯୁକ୍ତିକୁ ନେଇ ପଶ୍ଚିମା ଦେଶଗୁଡ଼ିକ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିଯୁକ୍ତିକୁ ଅସ୍ୱୀକାର କରି କହିଛନ୍ତି ଯେ, "ଯଦି ଆମର ଅନୁମୋଦନ ନମିଳେ, ତେବେ ସେ ବେଶୀ ଦିନ ତିଷ୍ଠି ପାରିବେ ନାହିଁ ।" ଇରାନର ନୂଆ ନେତାଙ୍କୁ ଟାର୍ଗେଟ୍ କରାଯିବ ବୋଲି ଇସ୍ରାଏଲ ପୂର୍ବରୁ ଚେତାବନୀ ଦେଇସାରିଛି । ଇରାନର ବିଚାରଧାରାରେ ବଂଶାନୁକ୍ରମିକ ଶାସନ ପାଇଁ ସ୍ଥାନ ନାହିଁ । କିନ୍ତୁ, ଆସେମ୍ବଲି ଅଫ୍ ଏକ୍ସପର୍ଟସର ସଦସ୍ୟଙ୍କ କହିବା ଅନୁଯାୟୀ, ଅଲ୍ଲି ଖାମେନେଇଙ୍କ ମାର୍ଗଦର୍ଶନ ଏବଂ ଭାରି ସଂଖ୍ୟକ ଭୋଟ୍ ଆଧାରରେ ମୋଜତାବାଙ୍କୁ ମନୋନୀତ କରାଯାଇଛି ।
ମୋଜତାବାଙ୍କୁ ଇରାନ ସେନାର ସମର୍ଥନ:
ଇରାନର ଶକ୍ତିଶାଳୀ ସାମରିକ ବାହିନୀ 'ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ' (IRGC) ଦେଶର ନୂତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସୟଦ ମୋଜତାବା ହୋସେନି ଖାମେନେଇଙ୍କ ପ୍ରତି ନିଜର ସମ୍ପୂର୍ଣ୍ଣ ସମର୍ଥନ ଓ ଆନୁଗତ୍ୟ ପ୍ରକାଶ କରିଛି । ରବିବାର ବିଳମ୍ବିତ ରାତିରେ ଏକ ଆନୁଷ୍ଠାନିକ ବିବୃତ୍ତି ଜାରି କରି ଇରାନ ଗାର୍ଡସ ପକ୍ଷରୁ ନୂଆ ନେତାଙ୍କୁ ସ୍ୱାଗତ କରାଯିବା ସହ ଶାସନରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଇରାନ ରିଭୋଲ୍ୟୁସନାରୀ ଗାର୍ଡ ପକ୍ଷରୁ ଜାରି କରାଯାଇଥିବା ବାର୍ତ୍ତାରେ କୁହାଯାଇଛି, "ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ... ଏହି ସମୟର ମାର୍ଗଦର୍ଶକ ନ୍ୟାୟଧୀଶ, ଶ୍ରଦ୍ଧେୟ ଆୟାତୋଲ୍ଲା ସୟଦ ମୋଜତାବା ଖାମେନେଇଙ୍କ ଦୈବୀ ଆଦେଶ ପାଳନ କରିବା ପାଇଁ ସମ୍ପୂର୍ଣ୍ଣ ଆନୁଗତ୍ୟ ଏବଂ ଆତ୍ମବଳିଦାନ ଦେବାକୁ ପ୍ରସ୍ତୁତ ଅଛି ।" ବାପା ଆୟାତୋଲ୍ଲା ଅଲ୍ଲି ଖାମେନେଇଙ୍କ ମୃତ୍ୟୁ ପରେ ଆସେମ୍ବଲି ଅଫ୍ ଏକ୍ସପର୍ଟସ ତାଙ୍କୁ ଇରାନର ତୃତୀୟ ସର୍ବୋଚ୍ଚ ନେତା ଭାବେ ବାଛିଛି । ଇସ୍ରାଏଲ ଏବଂ ଆମେରିକା ସହ ଚାଲିଥିବା ଘୋର ସଂଘର୍ଷ ମଧ୍ୟରେ ଇରାନ ସେନାର ଏହି ସମର୍ଥନ ମୋଜତାବାଙ୍କୁ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ । ସେନା ପକ୍ଷରୁ ଆତ୍ମବଳିଦାନ ଶବ୍ଦର ବ୍ୟବହାର ଏହା ସ୍ପଷ୍ଟ କରୁଛି ଯେ, ବାହ୍ୟ ଶତ୍ରୁଙ୍କ ମୁକାବିଲା ପାଇଁ ଇରାନ ସେନା ଏବେ ନୂଆ ନେତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ।