ତେହରାନ,୧୦।୫: ଆମେରିକା ଓ ଇରାନ ଭିତରେ ବଢୁଥିବା ବିବାଦ ଭିତରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ କହିଛନ୍ତି, ଆଲୋଚନା କରିବାର ଅର୍ଥ ଦୁର୍ବଳତା କିମ୍ବା ଆତ୍ମସମର୍ପଣ ନୁହେଁ। ସେ କହିଛନ୍ତି, ଇରାନ ନିଜ ଲୋକଙ୍କ ଅଧିକାର ଓ ଦେଶର ହିତର ରକ୍ଷା ମଜବୁତ ଭାବରେ କରିବ। ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ଏହି କଥା ଯୁଦ୍ଧରେ ହୋଇଥିବା କ୍ଷତିର ସମୀକ୍ଷା ଓ ପୁନଃ ନିର୍ମାଣକୁ ନେଇ ହୋଇଥିବା ବୈଠକରେ କହିଛନ୍ତି। ସେ କହିଛନ୍ତି, ଆଲୋଚନାର ଉଦେଶ୍ୟ ଇରାନର ଜନତାଙ୍କ ଅଧିକାର ରକ୍ଷା କରିବା ଓ ଦେଶକୁ ସୁରକ୍ଷିତ ରଖିବା।
ଏହା ଭିତରେ ଇରାନର ନୂତନ ସୁପ୍ରିମ ଲିଡର ମୁଜତବା ଖାମେନେଇଙ୍କୁ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ କଥା ସାମନାକୁ ଆସିଛି। ଇରାନର ସରକାରୀ ମିଡିଆ ଅନୁସାରେ, ଖାତାମ୍ ଅଲ୍-ଆନବିୟା ମିଳିତ ସାମରିକ କମାଣ୍ଡର ମୁଖ୍ୟ ଅଲ୍ଲୀ ଅବଦୋଲ୍ଲାହି ତାଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ଏଥି ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ଯେ, କାରଣ ତାଙ୍କ ବାପାଙ୍କ ମୃତ୍ୟୁ ଓ ତାଙ୍କ ଉପରେ ଆକ୍ରମଣରେ ଆହତ ହେବାର ଖବର ପରେ ମୁଜତବା ଖାମେନେଇ ସାର୍ବଜନୀକ ଭାବରେ ଦେଖିବାକୁ ମିଳିନଥିଲେ।
ରିପୋର୍ଟ ଅନୁସାରେ, ଅଲ୍ଲୀ ଅବଦୁଲ୍ଲାହି ସୁପ୍ରିମଲିଡରକୁ ସେନାର ପ୍ରସ୍ତୁତିର ସୂଚନା ଦେଇଥିଲେ। ଏଥିରେ ଇରାନ ସେନା, ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ, ପୋଲିସ, ସୁରକ୍ଷା ବଳ, ସୀମା ସୁରକ୍ଷା ବାହିନୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ବସିଜ ଫୋର୍ସର ସ୍ଥିତି ସାମିଲ ଥିଲା। ଇରାନର ସରକାରୀ ମିଡିଆ ଅନୁସାରେ, ମୋଜତବା ଖାମେନେଇ ସେନାର ପ୍ରଶଂସା ଓ ଶତ୍ରୁର ମଜବୁତି ଭାବରେ ସାମନା କରିବା ପାଇଁ ନୂଆ ନିର୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷେ ପାକିସ୍ତାନ ଓ କତର ମଧ୍ୟ ଏହି କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠାର ଚେଷ୍ଟାରେ ଲାଗି ରହିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଓ କତରର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ବିନ୍ ଅଲ୍-ଥାନିଙ୍କ ଭିତରେ ଫୋନ୍ରେ ଆଲୋଚନା ହୋଇଥିଲା। ପାକିସ୍ତାନ ସରକାରଙ୍କ କହିବା ଅନୁସାରେ, ଦୁଇ ନେତାଙ୍କ ଭିତରେ କ୍ଷେତ୍ରୀୟ ସ୍ଥିତି ଓ ଶାନ୍ତି ପ୍ରୟାସ ଉପରେ ଚର୍ଚ୍ଚା ହୋଇଥିଲା। ଶେହବାଜ ଶରିଫ୍ ପାକିସ୍ତାନରେ ଶାନ୍ତି ଆରମ୍ଭ କରିବାରେ ସହଯୋଗକୁ ନେଇ କତରକୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟପକ୍ଷେ କତରର ବୈଦେଶିକ ମନ୍ତ୍ରଣାଳୟ କହିଛି, କତରର ପ୍ରଧାନମନ୍ତ୍ରୀ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଓ ଆମେରିକା ଦୂତ ଷ୍ଟିଭ୍ ଭିଟ୍କଫ୍ ସାକ୍ଷାତ କରିଛନ୍ତି। ଏହି ବୈଠକରେ ଇରାନ ଯୁଦ୍ଧ, ପାକିସ୍ତାନର ମଧ୍ୟସ୍ଥତା ଓ କ୍ଷେତ୍ରରେ ଉତ୍ତେଜନା କମ୍ କରିବାର ଚେଷ୍ଟା ଉପରେ ଚର୍ଚ୍ଚା ହୋଇଛି।
ଆହୁରି ପଢନ୍ତୁ : ମୁନିର ସେନା ଦଗାବାଜ,ପାକିସ୍ତାନୀ ସେନା ଉପରେ ମାସୁଦ ଆଝାରର ବଡ଼ ଆକ୍ରମଣ