ନୂଆଦିଲ୍ଲୀ,୧୦।୫: ‘ଅପରେସନ୍ ସିନ୍ଦୁର’ରୁ ପାକିସ୍ତାନ ଓ ସେଠାର ସକ୍ରିୟ ଆତଙ୍କୀ ସଂଗଠନକୁ ଏଭଳି କ୍ଷତ ମିଳିଛି, ଯାହାକି ବର୍ଷକ ପରେ ଶୁଖିନି। ଏପରିକି ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ସଂଗଠନ ଜୈଶ-ଇ-ମହମ୍ମଦ ପାକିସ୍ତାନ ସେନାକୁ କଡା ସମାଲୋଚନା କରିଛି। ଜୈଶ କହିଛି, ଅପରେସନ୍ ସିନ୍ଦୁର ବେଳେ ଯେତେବେଳେ ଭାରତ ଆକ୍ରମଣ କରିଥିଲା, ସେତେବେଳେ ମୁନିରଙ୍କ ସେନା ତାଙ୍କର ସାହାଯ୍ୟ କରିନଥିଲା।ଉଲ୍ଲେଖନୀୟ ଯେ, ପାକିସ୍ତାନ ସେନା ଓ ଗୁଇନ୍ଦା ସଂଗଠନ ଆଇଏସଆଇ ପକ୍ଷରୁ ଜୈଶକୁ ସଂରକ୍ଷଣ ମିଳିଥାଏ। ଏଭଳି ସ୍ଥିତିରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏଭଳି ବୟାନ ସାମନାକୁ ଆସିବା ବହୁ ଦିଗକୁ ଇଶାରା କରୁଛି। ଅପରେସନ୍ ସିନ୍ଦୁର ପରେ ଜୈଶ ଓ ପାକିସ୍ତାନ ସେନା ଭିତରେ ଦୂରତ୍ବ ବଢିବାରେ ଲାଗିଛି।
ଜୈଶ ପାକିସ୍ତାନ ସେନା ଉପରେ ଅଭିଯୋଗ କରିଛି ଯେ, ୭ ମଇ ୨୦୨୫ ରେ ବାହାବଲପୁରରେ ହୋଇଥିବା ଭାରତ ପକ୍ଷରୁ ଆକ୍ରମଣ ବେଳେ ପାକିସ୍ତାନ ସେନା ତା’ର କୌଣସି ସାହାଯ୍ୟ କରିନଥିଲା। ଅପରେସନ୍ ସିନ୍ଦୁରରେ ମୃତ ଆତଙ୍କବାଦୀ ଓ ହାଫିଜ୍ ସଇଦ୍ ଏବଂ ମାସୁଦ ଆଝାରଙ୍କ ଘନିଷ୍ଠଙ୍କୁ ଯଦିଓ ପାକ୍ ସେନାର ସାମରିକ ସମ୍ମାନ ମିଳଥିଲା, କିନ୍ତୁ ଆକ୍ରମଣ ସମୟରେ ସିଧା ସଳଖ ବଞ୍ଚାଇବା ପାଇଁ ସେନା ଆଗକୁ ଆସିଥିଲା। ରିପୋର୍ଟ ଅନୁସାରେ, ୭ ମଇ ୨୦୨୫ ରେ ଭାରତ ଅପରେସନ୍ ସିନ୍ଦୁର ଦ୍ବାରା ବାହାବଲପୁର ସ୍ଥିତ ଜୈଶ-ଇ-ମହମ୍ମଦର ମୁଖ୍ୟାଳୟକୁ ଟାର୍ଗେଟ କରିଥିଲା। ମାସୁଦ ଆଝାର ନିଜେ ମାନିଥିଲା ଯେ, ଏହି ଆକ୍ରମଣରେ ତା’ ପରିବାରର ୧୦ ସଦସ୍ୟ ଓ ୪ ଜଣ ଘନିଷ୍ଠଙ୍କ ମୃତ୍ୟୁ ହୋଇଥିଲା।
କିଛି ପାକିସ୍ତାନ ନେତା ଓ ଜୈଶ ଆତଙ୍କବାଦୀ ଏହା ମଧ୍ୟ କହିଛନ୍ତି ଯେ, ବାହାବଲପୁର ଓ ମୁରିଦକେ ଉପରେ ଆକ୍ରମଣ ସମୟରେ ପାକିସ୍ତାନ ସେନା ସକ୍ରିୟ ରୂପରେ ସାମନାକୁ ଆସିନଥିଲା। ପରେ ମୃତ ଆତଙ୍କବାଦୀଙ୍କ ଶେଷକୃତ୍ୟରେ ପାକିସ୍ତାନ ସେନା ଅଧିକାରୀ ଉପସ୍ଥିତ ଥିଲେ। ଜୈଶର ଜଣେ ଶୀର୍ଷ ଆତଙ୍କବାଦୀ କହିଥିଲେ ମାସୁଦ ଆଝାରର ପରିବାରକୁ ଖଣ୍ଡ ଖଣ୍ଡ କରି ଉଡାଇ ଦିଆଯାଇଥିଲା ଓ ତାଙ୍କୁ ତୁରନ୍ତ ସୁରକ୍ଷା ମିଳିନଥିଲା। ପ୍ରଥମ ଥର ପାଇଁ, ଜୈଶ ପାକିସ୍ତାନ ବିରୁଦ୍ଧରେ ଏଭଳି ବଡ଼ ଅଭିଯୋଗ ଆଣିଛି, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ୭ ମଇ ୨୦୨୫ରେ ବାହାବଲପୁରରେ ଭାରତୀୟ ଆକ୍ରମଣ ସମୟରେ ପାକିସ୍ତାନ ସେନା ସହାୟତା ଯୋଗାଇବାରେ ବିଫଳ ହୋଇଥିଲା। ଅପରେସନ ସିନ୍ଦୁରରେ ମାସୁଦ ଆଝାରର ପରିବାରର ଅନେକ ସଦସ୍ୟ ନିହତ ହୋଇଥିଲେ। ଏବେ, ଜୈଶ ଦାବି କରୁଛି ଯେ ତାଙ୍କୁ ଉଦ୍ଧାର କରିବା ପାଇଁ କେହି ଆଗକୁ ଆସି ନଥିଲେ।
ଜୈଶ-ଇ-ମହମ୍ମଦ ମୁନିରଙ୍କ ସେନା ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣି କହିଛି ଯେ ସେମାନେ ଦିଲ୍ଲୀ, କାବୁଲ ଏବଂ କାନ୍ଦାହାରରେ ଆମ ମାଧ୍ୟମରେ ଯୁଦ୍ଧ କରିଥିଲେ, କିନ୍ତୁ ‘ଅପରେସନ ସିନ୍ଦୁର’ରେ ଆମକୁ ମରିବାକୁ ଛାଡି ଦେଇଥିଲେ। ଜୈଶ ର କଥିତ ବୟାନ ପାକିସ୍ତାନ ସେନା ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛି। ପାକିସ୍ତାନ ସେନା ଏବଂ ଆତଙ୍କବାଦୀ ସଂଗଠନ ମଧ୍ୟରେ ତିକ୍ତ ସମ୍ପର୍କ ଏବେ ସାଧାରଣ ଆଲୋଚନାର ବିଷୟ ପାଲଟିଛି।