ନୂଆଦିଲ୍ଲୀ,୦୯/୦୧: ଇରାନରେ ତେଜିଛି ସରକାର ବିରୋଧୀ ହିଂସା । ରାଜଧାନୀ ତେହରାନରେ ଗୁରୁବାର ବିଳମ୍ବିତ ରାତିରେ ବ୍ୟାପକ ଅଶାନ୍ତି ଦେଖା ଦେଇଛି । ଗତ ୧୨ ଦିନ ଧରି ଚାଲିଥିବା ପ୍ରତିବାଦ ତୀବ୍ରତର ହୋଇଛି । ଅନିୟନ୍ତ୍ରିତ ପରିସ୍ଥିତି ମଧ୍ୟରେ, ସମଗ୍ର ଇରାନରେ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ୧୦୦ରୁ ଅଧିକ ସହରରେ ପୋଡ଼ାଜଳା ସହିତ ପ୍ରଦର୍ଶନ ଦେଇଖିବାକୁ ମିଳିଛି । ବିଶାଳ ଜନସମାଗମ ରାସ୍ତାକୁ ଓହ୍ଲାଇଛନ୍ତି । ଉତ୍ତ୍ୟକ୍ତ ପ୍ରଦର୍ଶନକାରୀମାନେ କେବଳ ପାର୍କିଂ ହୋଇଥିବା କାର ଏବଂ ବାଇକ୍ ଜାଳି ଦେଇଥିଲେ ତାହା ନୁହେଁ ବରଂ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ଜାଳି ଦେଇଛନ୍ତି । ଖେମନେଇଙ୍କୁ ଗାଦିଚ୍ୟୁତ କରିବାକୁ ୧୨ ଦିନରେ ଆନ୍ଦୋଳନ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨୬୦ ଜଣ ଅଟକ ଅଛନ୍ତି ।
ଇରାନରେ ପ୍ରତିବାଦ ତୀବ୍ରତର ହେଉଛି- ଇରାନ୍ ସରକାର ଏବଂ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବିରୁଦ୍ଧରେ ଜନସାଧାରଣଙ୍କ ଆକ୍ରୋଶ-କ୍ରୋଧ ବଢି ବଢି ଚାଲିଛି । ମୁଦ୍ରାସ୍ଫୀତି ଏବଂ ହ୍ରାସ ପାଉଥିବା ଟଙ୍କାର ବିରୋଧରେ ଗତ ୧୨ ଦିନ ଧରି ପ୍ରତିବାଦ ଜାରି ରହିଛି । ଏହା ଏବେ ସାରା ଦେଶରେ ବ୍ୟାପିଛି । ଗୁରୁବାର ବିଳମ୍ବିତ ରାତିରେ ଇରାନର ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଛି । ରାଜଧାନୀ ତେହେରାନ ସମେତ ୧୦୦ଟି ସହରରେ ହିଂସାତ୍ମକ ପ୍ରତିବାଦ ପ୍ରଦର୍ଶନ କରାଯାଉଛି । ଏକଛତ୍ରବାଦୀ ଶାସକ ନିପାତ ହେବ ବୋଲି ସ୍ଲୋଗାନ ଦେଇଛନ୍ତି । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇରାନରେ ଇଣ୍ଟରନେଟ୍ ଏବଂ ଫୋନ୍ ସେବା ବନ୍ଦ କରିଦିଆଯାଇଛି । ଏହା ବ୍ୟତୀତ, ସମଗ୍ର ଦେଶର ଏୟାରସ୍ପେସ୍ ମଧ୍ୟ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି ।
ତେହରାନରେ କ'ଣ ଚାଲିଛି- ନିର୍ବାସନରେ ରହିଥିବା କ୍ରାଉନ ପ୍ରିନ୍ସ ରେଜା ପହଲବି ତେହରାନରେ ବିରୋଧ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ । ପହଲବି ଗୁରୁବାର ଏବଂ ଶୁକ୍ରବାର ସ୍ଥାନୀୟ ସମୟ ଅନୁସାରେ ରାତି ୮ଟାରେ ପ୍ରଦର୍ଶନ ଆହ୍ୱାନ ଦେଇଥିଲେ । ଏହାପରେ ତେହରାନ ଆଖପାଖ ଅଞ୍ଚଳରେ ଲୋକଙ୍କ ବିଶାଳ ରାଲି ହୋଇଥିଲା । ଏକଛତ୍ରବାଦୀ ଶାସନ ହଟାଇବାକୁ ନାରା ଦିଆଯାଇଥିଲା । ଏହା ଶେଷ ଯୁଦ୍ଧ ପହଲବି ଫେରିବେ ବୋଲି ସ୍ଲୋଗାନ ଦିଆଯାଇଛି ।
ଟ୍ରମ୍ପଙ୍କ ଚେତାବନୀ- ଖାମନେଇକୁ ଆମେରିକା ଅଲଟିମେଟମ୍ ଦେଇଛି । ଇରାନ୍ରେ ବିକ୍ଷୋଭକୁ ନେଇ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରତି ଡେନାଲ୍ଡ ଟ୍ରମ୍ପ । ଆନ୍ଦୋଳନକାରୀଙ୍କୁ ହତ୍ୟା କଲେ ଦୃଢ ପଦକ୍ଷେପ ନେବୁ । ଗୁଳି ଚଳାଇବ ତ ହମଲା ହେବ ବୋଲି ଚେତାବନୀ ଦେଇ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ପ୍ରତିବାଦକୁ ଆମେରିକାର ସମର୍ଥନ- ଆମେରିକା ଇରାନର ପରିସ୍ଥିତି ଉପରେ ନଜର ରଖିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଇରାନ୍ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ସେମାନେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇବା ଏବଂ ହତ୍ୟା କରିବା ଜାରି ରଖନ୍ତି, ତେବେ ଏହାର ଗମ୍ଭୀର ପରିଣାମ ହେବ । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଇରାନ ଲୋକଙ୍କ ପ୍ରତି ଆମେରିକାର ସମର୍ଥନକୁ ଦୋହରାଇ କହିଛନ୍ତି, ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏବଂ ମୁକ୍ତ ସଂଗଠନର ଅଧିକାର ପ୍ରୟୋଗ କରିବାକୁ ଚେଷ୍ଟା କରୁଥିବା ଯେକୌଣସି ବ୍ୟକ୍ତିଙ୍କ ସହିତ ଆମେରିକା ଠିଆ ହୋଇଛି । ଇରାନ ପାଇଁ ଆମେରିକା ସହିତ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ଉନ୍ନତ ବୁଝାମଣା କାର୍ଯ୍ୟ ହେବ। ରାଷ୍ଟ୍ରପତି ଭବିଷ୍ୟତରେ ଆମେ କ'ଣ କରିବାକୁ ଯାଉଛୁ ସେ ବିଷୟରେ କହିବେ, କିନ୍ତୁ ଆମେ ନିଶ୍ଚିତ ଭାବରେ ବିଶ୍ୱର ସମସ୍ତଙ୍କ ସହିତ ଠିଆ ହେବୁ, ଇରାନ ଜନତା ସମେତ, ଯେଉଁମାନେ ସେମାନଙ୍କ ଅଧିକାର ପାଇଁ ଲଢୁଛନ୍ତି ଆମେ ତାଙ୍କ ସହିତ ଅଛୁ ।"