ଇସଲାମାବାଦ/ତେହରାନ, ୨୬/୦୪ : ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାକୁ ନେଇ ସଙ୍କଟ ଲାଗି ରହିଛି । ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚି ଆଲୋଚନା ଲାଗି ପାକିସ୍ତାନ ଆସିଥିଲେ ମଧ୍ୟ ଆମେରିକା ପ୍ରତିନିଧି ଦଳ ଆସିବାକୁ ଅପେକ୍ଷା ନକରି ଫେରିଯାଇଛନ୍ତି । ଆମେରିକା ସହ ସିଧାସଳଖ ଆଲୋଚନାକୁ ସେ ଅସ୍ୱୀକାର କରିବା ସହିତ ଇରାନର ସର୍ତ୍ତ ଥିବା ଚିଠି ସେ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଧରାଇ ଫେରି ଯାଇଛନ୍ତି। ଆଲୋଚନାରେ ଇରାନ ସେନା ଆଇଆରଜିସି ହସ୍ତକ୍ଷେପ କରିବା ଫଳରେ ସମସ୍ୟା ହୋଇଛି । ସୂଚନା ଅନୁସାରେ ଇରାନର ବିଦେଶ ମନ୍ତ୍ରୀ ଅରାଘଚି ଶନିବାର ରାତିରେ ଇସ୍‌ଲାମାବାଦରେ ପହଞ୍ଚିଥିଲେ । ତାଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସିଥିଲେ । ଶନିବାର ସକାଳେ ସେ ପ୍ରଥମେ ପାକିସ୍ତାନ ସେନାମୁଖ୍ୟ ଅସିମ ମୁନିରଙ୍କୁ ଭେଟିଥିଲେ । ପରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଓ ବିଦେଶ ମନ୍ତ୍ରୀ ଇଶାକ ଦାରଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟି ଆଲୋଚନା କରିଥିଲେ । ବୈଠକ ସମୟରେ ଇରାନ ପ୍ରତିନିଧି ଦଳ ପାକିସ୍ତାନକୁ ଏକ ଚିଠି ହସ୍ତାନ୍ତର କରିଥିଲେ । ସେହି ଚିଠିରେ ଆମେରିକା ସହ ଶାନ୍ତି ଆଲୋଚନା ପାଇଁ ଇରାନ କେତେକ ସର୍ତ୍ତ ରଖିଥିଲା । ତେବେ ସେଥିରେ କ’ଣ ସବୁ ସର୍ତ୍ତ ରହିଛି ତାହା ସ୍ପଷ୍ଟ ହୋଇନାହିଁ।

ସେପଟେ ଆଜି ରାତିରେ ଆମେରିକାର ଏକ ପ୍ରତିନିଧି ଦଳ ଇସ୍‌ଲମାବାଦରେ ପହଞ୍ଚିବା ପରେ ଶାନ୍ତି ଆଲୋଚନା ଆରମ୍ଭ ହେବାର ଥିଲା । ଏହି ଦଳରେ ଆମେରିକାର ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଷ୍ଟିଭ୍‌ ୱିଟକଫ୍‌ ଓ ପରାମର୍ଶଦାତା ଜାରେଡ କୁଶନର ଆସିବାର ଥିଲା । କିନ୍ତୁ ଆମେରିକା ପ୍ରତିନିଧି ଦଳ ଆସିବାକୁ ଅରାଘଚି ଅପେକ୍ଷା କରିନଥିଲେ । ପାକିସ୍ତାନ ନେତାଙ୍କ ସହ ଆଲୋଚନା ପରେ ଅରାଘଚି ତାଙ୍କ ଟିମ୍‌ ସହ ସନ୍ଧ୍ୟାରେ ଫେରିଯାଇଛନ୍ତି । କୁହାଯାଉଛି କି ସେ ରୁଷ ଓ ଓମାନ ଗସ୍ତରେ ଯିବେ । ପ୍ରଥମେ ସେ ମସ୍କୋ ଗସ୍ତ କରିବେ ଏବଂ ସେଠାରେ ରୁଷୀ ନେତାମାନଙ୍କ ସହ ଆଲୋଚନା କରିବେ । ଏହା ପରେ ସେ ମସ୍କାଟ ଯିବେ । ଅନ୍ୟପକ୍ଷରେ ଇରାନ କହିଛି କି ଆମେରିକା ସହ ସିଧାସଳଖ ଆଲୋଚନା କରାଯିବ ନାହିଁ । ତେଣୁ ବିଦେଶ ମନ୍ତ୍ରୀ ଅରାଘଚିଙ୍କ ଇସଲାମାବାଦ ଗସ୍ତ ବେଳେ ସେଠାରେ ଆମେରିକା ପ୍ରତିନିଧିଙ୍କ ସହ କୌଣସି ପ୍ରକାର ଦ୍ୱିପାକ୍ଷିକ ଆଲୋଚନା କରାଯିବାର ଯୋଜନା ନାହିଁ ।

ଇରାନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଇସ୍‌ମାଇଲ ବଗହି ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଆମେରିକା ସହ ବୈଠକ ହେବାର କୌଣସି ଯୋଜନା ନାହିଁ । କେବଳ ଆମର ଯାହା ଦାବି କିମ୍ବା ସର୍ତ୍ତ ଆମେ ପାକିସ୍ତାନକୁ ଜଣାଇଦେବୁ । ପାକିସ୍ତାନ ମଧ୍ୟସ୍ଥି ଭୂମିକା ନିର୍ବାହ କରୁଥିବାରୁ ଏ ସମ୍ପର୍କରେ ଆମେରିକାକୁ ଜଣାଇବ । କିନ୍ତୁ ଆମେରିକା ଶୁକ୍ରବାର କହିଥିଲା କି ଇସ୍‌ଲାମାବାଦରେ ବୈଠକ ହେବାକୁ ସ୍ଥିର କରାଯାଇଛି । ହ୍ୱାଇଟ୍‌ହାଉ୍‌ସ୍‌ ମୁଖପାତ୍ର କାରୋଲିନ ଲେଭିଟ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ଏଥିସହ ସେ କହିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ୱିଟକଫ୍‌ ଓ କୁଶନରଙ୍କୁ ଇସ୍‌ଲାମାବାଦ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକା ସହ ଆଲୋଚନା ପ୍ରସଙ୍ଗରେ ଇରାନର ଆଇଆରଜିସି ହସ୍ତକ୍ଷେପ କରିଛି । ଫଳରେ ଆଲୋଚନାକୁ ନେଇ ଅଚଳାବସ୍ଥା ଦେଖାଦେଇଛି । ଆଇଆରଜିସିର ହସ୍ତକ୍ଷେପ ପରେ ଇରାନ ତାର ଆଭିମୁଖ୍ୟକୁ କଠୋର କରିଛି । ଆଇଆରଜିସିର ନୂଆ ମୁଖ୍ୟ (କମାଣ୍ଡରଇନ୍‌-ଚିଫ୍‌) ବ୍ରିଗେଡିୟର ଜେନେରାଲ ଅହମ୍ମଦ ବହିଦି ଆଲୋଚନା ପ୍ରକ୍ରିୟାରୁ କୂଟନୀତିଜ୍ଞଙ୍କୁ ହଟାଇ ଦେଇଛନ୍ତି । ଏଥିସହ ଯୁଦ୍ଧବିରତି ଆଲୋଚନା ପାଇଁ କେତେକ ସର୍ତ୍ତ ରଖିଛନ୍ତି । ସେଥିରେ ୫ବର୍ଷ ପାଇଁ ହୋର୍ମୁଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଲାଗି ଦାବି କରିଛି । ଏଥିସହ ସେ ଆମେରିକା-ଇରାନ ଯୁଦ୍ଧବିରତି ଆଲୋଚନାରେ ଲେବାନନକୁ ସାମିଲ କରିବାକୁ ଦାବି କରିଛନ୍ତି । ଇତିମଧ୍ୟରେ ଆମେରିକା ପ୍ରତିନିଧିଙ୍କ ଇସ୍‌ଲାମାବାଦ ଗସ୍ତକୁ ବାତିଲ କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଗଣମାଧ୍ୟମକୁ ନିଜେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ୱିଟକଫ୍‌ ଓ କୁଶନର ପାକିସ୍ତାନ ଗସ୍ତରେ ଯିବା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାକୁ ବାତିଲ କରିଦିଆଯାଇଛି।

ଟ୍ରମ୍ପ କହିଛନ୍ତି ଆମ ପାଖରେ ସବୁ ବ୍ୟବସ୍ଥା ରହିଛି । ସେମାନେ ଯେତେବେଳେ ଚାହିଁବେ ଡାକିବେ, ଆଉ ଆମ ଚାଲିଯିବୁ । ଆମେ ୧୮ ଘଣ୍ଟା ଧରି ଯାତ୍ରା କରି ସେଠାକୁ ଯିବୁ । ସେଠାରେ ଆଲୋଚନା କରିବୁ । ହେଲେ ଫଳ କିଛି ବାହାରିବ ନାହିଁ । ତେଣୁ ସେଠାକୁ ଆଉ ଯିବାର କୌଣସି ଆବଶ୍ୟକତା ନାହିଁ । ଇରାନ ଯଦି କଥାବାର୍ତ୍ତା କରିବାକୁ ଚାହିଁବ ତେବେ ନିଜେ ଆମ ସହିତ ଯୋଗାଯୋଗ କରିପାରିବ ବୋଲି ଟ୍ରମ୍ପ କହିଛନ୍ତି । ସୂଚନାଯୋଗ୍ୟ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ କରିବାକୁ ପାକିସ୍ତାନର ମଧ୍ୟସ୍ଥତାରେ ଇସ୍‌ଲାମାବାଦରେ ଗତ ୧୧ ଓ ୧୨ ତାରିଖରେ ଆମେରିକା ଓ ଇରାନ ମଧ୍ୟରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିଲା । ଏହା ପରେ ଉଭୟ ପକ୍ଷ ବହୁ ଛକାପଞ୍ଝା ପରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ସେଥିପାଇଁ ଟ୍ରମ୍ପ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଯୁଦ୍ଧବିରତି ଘୋଷଣା କରିଥିଲେ । ହେଲେ ଆଲୋଚନା ପୂର୍ବରୁ ଉଭୟ ଦେଶ ସର୍ତ୍ତ ଓ ଦାବି ରଖିବା ଯୋଗୁ ତାହା ସମ୍ଭବ ହୋଇପାରିନାହିଁ । ବିଶେଷକରି ଆମେରିକା ହୋର୍ମୁଜରେ ଇରାନର ସବୁ ବନ୍ଦରକୁ ଅବରୋଧ କରି ରଖିବା ଯୋଗୁ ତାହା ଆଲୋଚନାରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ।

ଏହି ଖବରଟିକୁ ପଢନ୍ତୁ- କୁଶନର ଓ ୱିଟକଫଙ୍କ ପାକିସ୍ତାନ ଯାତ୍ରାକୁ ବାତିଲ କଲେ ଟ୍ରମ୍ପ , କହିଲେ -୧୮ ଘଣ୍ଟା ବିମାନରେ ଯିବା ମୂଲ୍ୟହୀନ