ନୂଆଦିଲ୍ଲୀ, ୧୧।୫: ଇରାନର ରାଜନୈତିକ ଆକାଶରେ ଏବେ ଅନିଶ୍ଚିତତାର କଳାବାଦଲ । ଗୋଟିଏ ପଟେ ଆମେରିକା ସହ ଯୁଦ୍ଧ ଶେଷ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ, ଅନ୍ୟପଟେ ଦେଶର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ରହସ୍ୟଜନକ ଭାବେ ନିଖୋଜ ଅଛନ୍ତି । ଯୁଦ୍ଧ ଆରମ୍ଭ ହେବାର ଦୁଇ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେ ଜନସାଧାରଣଙ୍କ ସାମ୍ନାକୁ ଆସିନାହାଁନ୍ତି କିମ୍ବା କୌଣସି ଭିଡିଓ ବା ଅଡିଓ ବାର୍ତ୍ତା ଜାରି କରିନାହାଁନ୍ତି । ଏହି ଘଟଣା ଏବେ ଇରାନୀ ପ୍ରଶାସନ ଓ ବାର୍ତ୍ତାକାରୀଙ୍କ ମଧ୍ୟରେ ଟେନସନ ବଢ଼ାଇ ଦେଇଛି ।
୨୮ ଫେବୃଆରୀର ସେହି ରହସ୍ୟମୟ ଆକ୍ରମଣ:
ଆମେରିକୀୟ ଏବଂ ଇରାନୀ ଅଧିକାରୀଙ୍କ ସୂତ୍ର ଅନୁସାରେ, ଗତ ଫେବୃଆରୀ ୨୮ ତାରିଖରେ ହୋଇଥିବା ଏକ ଭୟଙ୍କର ବିମାନ ଆକ୍ରମଣରେ ମୋଜତବା ଖାମେନେଇ ଗୁରୁତର ଭାବେ ଆହତ ହୋଇଥିଲେ । ସେବେଠାରୁ ସେ କେଉଁଠି ଅଛନ୍ତି, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଇରାନର ରାସ୍ତାଘାଟରେ ତାଙ୍କର ବଡ଼ ବଡ଼ ପୋଷ୍ଟର ଲଗାଯାଇ ଲୋକଙ୍କୁ ଭରସା ଦେବାକୁ ଚେଷ୍ଟା କରାଯାଉଛି । ଏପରିକି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ତାଙ୍କ ଆକାଉଣ୍ଟରୁ କ୍ରମାଗତ ପୋଷ୍ଟ କରାଯାଉଛି । କିନ୍ତୁ ବିଶେଷଜ୍ଞଙ୍କ ଦାବି ଅନୁଯାୟୀ, ଏହି ଫଟୋ ଏବଂ ପ୍ରୋଫାଇଲ୍ ପିକ୍ଚରଗୁଡ଼ିକ କୃତ୍ରିମ ବୁଦ୍ଧିମତା ବା AI ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯାହା ସନ୍ଦେହକୁ ଦ୍ୱିଗୁଣିତ କରୁଛି ।
କଟ୍ଟରପନ୍ଥୀ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ:
ୟେଲ୍ ୟୁନିଭରସିଟିର ଇତିହାସକାର ଅର୍ଶଦ ଅଜିଜିଙ୍କ କହିବା ଅନୁସାରେ, ମୋଜତବାଙ୍କ ଅନୁପସ୍ଥିତି ତାଙ୍କ କଟ୍ଟର ସମର୍ଥକଙ୍କୁ ବିଚଳିତ କରୁଛି । ସେମାନେ ଆମେରିକା ସହ ଚାଲିଥିବା ଶାନ୍ତି ବାର୍ତ୍ତାର ବୈଧତା ଉପରେ ପ୍ରଶ୍ନ ଉଠାଉଛନ୍ତି । ସମର୍ଥକମାନେ ଭୟ କରୁଛନ୍ତି ଯେ, ସୁପ୍ରିମ ଲିଡରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଇରାନୀ ଅଧିକାରୀମାନେ ଆମେରିକା ଆଗରେ ଅତ୍ୟଧିକ ନଇଁ ଯାଉଛନ୍ତି ।
ଶାସନରେ ବିବାଦ: ଏହି ନିରବତା କାରଣରୁ ଇରାନ ସରକାରଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । କଟ୍ଟରପନ୍ଥୀ ଗୋଷ୍ଠୀ ଏବେ ସଂସଦ ଅଧ୍ୟକ୍ଷ ମହମ୍ମଦ ବାଗେର ଗାଲିବାଫଙ୍କ ଭଳି ଉଦାରବାଦୀ ନେତାଙ୍କୁ ସମାଲୋଚନା କରୁଛନ୍ତି । ସେମାନଙ୍କ ଅଭିଯୋଗ ଯେ ଗାଲିବାଫ ଆମେରିକା ଆଗରେ ଆଣ୍ଠୁ ମାଡ଼ି ବସୁଛନ୍ତି ।
ଭଏସ୍ ମେସେଜ୍ ଦାବି: ସମର୍ଥକମାନେ ଦାବି କରିଛନ୍ତି ଯେ, ମୋଜତବା ଅତି କମରେ ଏକ ଭଏସ୍ ମେସେଜ୍ ଜାରି କରନ୍ତୁ, ଯାହାଦ୍ୱାରା ସେ ଜୀବିତ ଥିବା ଏବଂ ଶାନ୍ତି ପ୍ରକ୍ରିୟାରେ ତାଙ୍କର ସହମତି ଥିବା ପ୍ରମାଣିତ ହେବ ।
ଇରାନ ସରକାରଙ୍କ ସ୍ପଷ୍ଟୀକରଣ ଓ ଆହତ ହେବା ଖବର:
ଅଡ଼ୁଆ ବଢ଼ୁଥିବା ଦେଖି ଇରାନ ରାଷ୍ଟ୍ରପତି ମସୁଦ ପେଜେସକିଆନ ଦାବି କରିଛନ୍ତି ଯେ, ସେ ନିକଟରେ ମୋଜତବାଙ୍କ ସହ ପ୍ରାୟ ଅଢ଼େଇ ଘଣ୍ଟା ଧରି ବୈଠକ କରିଛନ୍ତି । ସେ କହିଛନ୍ତି ଯେ ମୋଜତବା ସୁରକ୍ଷିତ ଅଛନ୍ତି ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି । ସୁରକ୍ଷା ବିଶେଷଜ୍ଞ ସଇଦ ଗୋଲକରଙ୍କ ଅନୁସାରେ, ମୋଜତବା ଇସ୍ରାଏଲର 'କିଲ୍ ଲିଷ୍ଟ'ରେ ଶୀର୍ଷରେ ଥିବାରୁ ତାଙ୍କୁ ଅତି ଗୋପନୀୟ ଭାବେ ରଖାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ସୁପ୍ରିମ ଲିଡରଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ମଜହର ହୁସେନୀ ପ୍ରଥମ କରି ସ୍ୱୀକାର କରିଛନ୍ତି ଯେ, ବିମାନ ଆକ୍ରମଣରେ ମୋଜତବାଙ୍କ ମେରୁଦଣ୍ଡ ଏବଂ ଆଣ୍ଠୁରେ ଆଘାତ ଲାଗିଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସୁଥିବା ସେ ଦାବି କରିଛନ୍ତି ।
ଏହା ବି ପଢ଼ନ୍ତୁ... Russia - Ukraine War: ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ! ସଙ୍କେତ ଦେଲେ ରାଷ୍ଟ୍ରପତି ପୁଟିନ୍,ପରୋକ୍ଷରେ ଜେଲେନସ୍କିଙ୍କୁ ମସ୍କୋ ଡାକିଲେ
ସନ୍ଦେହ ଘେରରେ ଇରାନର ଭବିଷ୍ୟତ:
ସରକାରୀ ବୟାନ ସତ୍ତ୍ୱେ ସାଧାରଣ ଜନତା ଏବଂ ବିଶେଷଜ୍ଞମାନେ ସମ୍ପୂର୍ଣ୍ଣ ଆଶ୍ୱସ୍ତ ନୁହନ୍ତି । ରାଷ୍ଟ୍ରପତି ବୈଠକ ବିଷୟରେ କହିଲେ ସତ, କିନ୍ତୁ ସେହି ବୈଠକ କେବେ ଏବଂ କେଉଁଠି ହୋଇଥିଲା, ତାହାର କୌଣସି ପ୍ରମାଣ ବା ଫଟୋ ଜାରି କରାଯାଇନାହିଁ । ବିଶେଷଜ୍ଞ ଏଲେକ୍ସ ଭଟନକାଙ୍କ ଅନୁସାରେ, ଏକ ରାଷ୍ଟ୍ର ଭାବରେ ଇରାନକୁ ଏବେ ଏମିତି ଏକ ନେତାଙ୍କ ଆବଶ୍ୟକତା ରହିଛି ଯିଏ ସାମ୍ନାକୁ ଆସି ଦୃଢ଼ ନିଷ୍ପତ୍ତି ନେଇପାରିବେ । ମୋଜତବାଙ୍କ ଏହି ରହସ୍ୟମୟ ଅନୁପସ୍ଥିତି ଇରାନର ଶାନ୍ତି ବାର୍ତ୍ତା ଏବଂ ଭବିଷ୍ୟତ ଉପରେ ଏକ କଳାବାଦଲ ଭଳି ମାଡ଼ି ରହିଛି ।