ମସ୍କୋ, ୧୧/୦୫: ୪ ବର୍ଷ ଧରି ଜାରି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଥମିବ । ୟୁକ୍ରେନର ଜନତା ଶାନ୍ତିରେ ନିଃଶ୍ୱାସ ମାରିବେ । ପୂର୍ବ ଭଳି ପୁଣି ସ୍ୱାଭାବିକ ହେବ ଜୀବନ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ବନ୍ଦ ହେବା ନେଇ ସଙ୍କେତ ଦେବା ପରେ ଏଭଳି ଆଶା ଦେଖାଦେଇଛି । ପୁଟିନ କହିଛନ୍ତି, ଯୁଦ୍ଧ ଏବେ ଶେଷ ହେବା ସ୍ଥିତିରେ ପହଞ୍ଚିଛି । ଯଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବ୍ୟକ୍ତିଗତ ଭାବେ ଆଲୋଚନା ଚାହାନ୍ତି, ତେବେ ସେ ମସ୍କୋ ଆସିପାରିବେ । ମସ୍କୋରେ ଆମ ସହ ସିଧାସଳଖ ଚର୍ଚ୍ଚା କରିପାରିବେ । ପୁଟିନ ଯଦିଓ ଆଲୋଚନା ଲାଗି ଜେଲେନସ୍କିଙ୍କୁ ସିଧାସଳଖ ପ୍ରସ୍ତାବ ଦେଇନାହାନ୍ତି, କିନ୍ତୁ ତାଙ୍କ ସହ ସାକ୍ଷାତ କରିବାକୁ ମନା ବି କରିନାହାନ୍ତି । ଏମିତି କି ଅନ୍ୟ କୌଣସି ଦେଶରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପୁଟିନ । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ରୁଷ ରାଷ୍ଟ୍ରପତି ଆଉ ଯୁଦ୍ଧ ଚାହୁଁନାହାନ୍ତି । ରୁଷର ବିଜୟ ଦିବସ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମ ସହ କଥା ହୋଇ ପୁଟିନ ଏଭଳି ବୟାନ ଦେଇଛନ୍ତି ।

ପୁଟିନ ଏହି ସମ୍ଭାବ୍ୟ ସାକ୍ଷାତ ଆଲୋଚନା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ବି ରଖିଛନ୍ତି । କହିଛନ୍ତି, ଉଭୟ ଦେଶ ମଧ୍ୟରେ ପୂର୍ଣ୍ଣ ଶାନ୍ତି ବୁଝାମଣା ହେବା ପରେ ହିଁ ଅନ୍ୟ କୌଣସି ଦେଶରେ ବାର୍ତ୍ତା ସମ୍ଭବ ହେବ । ଏହି ସାକ୍ଷାତ କେବଳ ବୁଝାମଣା ଏବଂ ଦସ୍ତଖତ ଲାଗି ଉଦ୍ଦିଷ୍ଟ ହେବ । ତାଙ୍କ ଅନୁସାରେ, ପ୍ରାରମ୍ଭିକ ବୈଠକ ବିଶେଷଜ୍ଞଙ୍କ ଦ୍ୱାରା ହେବା ଆବଶ୍ୟକ । ‘ମିନ୍‌ସ୍କ  ବୁଝାମଣା’ର ଉଦାହରଣ ଦେଇ ପୁଟିନ କହିଛନ୍ତି, ଏଭଳି ଚର୍ଚ୍ଚା ଘଣ୍ଟା ଘଣ୍ଟା ଚାଲୁଥିଲେ ହେଁ ତାହାର କୌଣସି ନିଷ୍କର୍ଷ ବାହାରି ନ ଥାଏ । ମିନ୍‌ସ୍କ ବୁଝାମଣା ୨୦୧୪ ଓ ୨୦୧୫ରେ ବେଲାରୁଷରେ ହୋଇଥିଲା । ୟୁକ୍ରେନର ଡୋନବାସ କ୍ଷେତ୍ରରେ ହିଂସା ରୋକିବା ଏହାର ଲକ୍ଷ୍ୟ ଥିଲା । କିନ୍ତୁ ତାହା ବିଫଳ ହୋଇଥିଲା । ତେଣୁ ପୁଟିନ ଚାହୁଁଛନ୍ତି ଏଥର ବିଶେଷଜ୍ଞମାନେ ସବୁ କିଛି ପ୍ରଥମରୁ ସ୍ପଷ୍ଟ କରିବେ । ଏହାପରେ ରାଷ୍ଟ୍ରପତି କେବଳ ସମାରୋହରେ ସାମିଲ ହୋଇ ବୁଝାମଣାରେ ସ୍ୱାକ୍ଷର କରିବେ ।

ଅଧିକ ପଢ଼ନ୍ତୁ :- Balen Government Order: ନେପାଳରେ ୩୦ ଦିନ ହିଁ ରହି ପାରିବେ ପର୍ଯ୍ୟଟକ , ଏହାପରେ ଜବତ ହେବ ଗାଡ଼ି

ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ପ୍ରଶାସନର ପ୍ରଶଂସା କରିଛନ୍ତି । କହିଛନ୍ତି, ଟ୍ରମ୍ପ୍ ୟୁକ୍ରେନ ସଙ୍କଟକୁ ଶେଷ କରିବା ଏବଂ ବୁଝାମଣା କରାଇବା ଲାଗି ସଚ୍ଚୋଟତାର ସହ ଉଦ୍ୟମ କରୁଛନ୍ତି । ଟ୍ରମ୍ପ୍‌ଙ୍କ ଯୁଦ୍ଧବିରତି ଅବଧି ବଢ଼ାଇବାର ପ୍ରସ୍ତାବକୁ ରୁଷ ତୁରନ୍ତ ସ୍ୱୀକାର କରିନେଇଥିଲା । ପୁଟିନ କହିଛନ୍ତି ଯେ ସେ ୟୁରୋପ ସହ ନୂଆ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା ଲାଗି ପ୍ରସ୍ତୁତ । ତାଙ୍କ ପସନ୍ଦର ସାଥୀ ଜର୍ମାନୀର ପୂର୍ବତନ ଚାନ୍ସେଲର ଗେରହାର୍ଡ ଶ୍ରୋଡରଙ୍କ ଦ୍ୱାରା ଆଲୋଚନା ହେବା ନେଇ ପୁଟିନ ଚାହିଁଛନ୍ତି ।