ନୂଆଦିଲ୍ଲୀ, ୪।୪: ଇରାନ ଏବେ ଯୁଦ୍ଧ କ୍ଷେତ୍ରରେ ନିଜର ରଣନୀତି ବଦଳାଇବାରେ ଲାଗିଛି । କେବଳ ମିସାଇଲ କିମ୍ବା ଡ୍ରୋନ୍ ନୁହେଁ, ବରଂ ଶତ୍ରୁ ପକ୍ଷର 'ଡାଟା ସେଣ୍ଟର'କୁ ଧ୍ୱଂସ କରି ଦେଶର ଅଣ୍ଟା ଭାଙ୍ଗିବାକୁ ଇରାନ ଏବେ ନୂଆ ଲକ୍ଷ୍ୟ ଭାବେ ଗ୍ରହଣ କରିଛି । ବାହାରିନ ପରେ ଏବେ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଡାଟା ସେଣ୍ଟରକୁ ନିଶାଣ କରିଛି ଇରାନର ସୈନ୍ୟବାହିନୀ IRGC । ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଦାବି କରିଛି ଯେ, ସେମାନେ ଦୁବାଇରେ ଥିବା ଆମେରିକୀୟ କମ୍ପାନୀ 'ଓରେକଲ୍'ର ଡାଟା ସେଣ୍ଟର ଉପରେ ସଫଳ ଆକ୍ରମଣ କରିଛନ୍ତି। ଏହା ପୂର୍ବରୁ ବାହାରିନ ଏବଂ UAE ରେ ଥିବା ଆମାଜନ ୱେବ୍ ସର୍ଭିସେସ୍ (AWS)କୁ ମଧ୍ୟ ଇରାନ କ୍ଷତି ପହଞ୍ଚାଇଥିବା ସୂଚନା ମିଳିଛି । ଗତ ମାର୍ଚ୍ଚ ୧ ତାରିଖରେ ଇରାନ ନିଜର ଶକ୍ତିଶାଳୀ 'ଶାହେଦ ଡ୍ରୋନ୍' ସାହାଯ୍ୟରେ ଦୁଇଟି ଡାଟା ସେଣ୍ଟରକୁ ଟାର୍ଗେଟ୍ କରିଥିଲା ।
ଏହା ବି ପଢ଼ନ୍ତୁ... ଆମେରିକାକୁ ବଡ଼ ଚେତାବନୀ ! UAE ଓ ବାହାରିନର ଡାଟା ସେଣ୍ଟରକୁ କାହିଁକି ଟାର୍ଗେଟ୍ କରୁଛି ଇରାନ ?
କାହିଁକି ଡାଟା ସେଣ୍ଟରକୁ ଟାର୍ଗେଟ୍ କରୁଛି ଇରାନ ?
ଡାଟା ସେଣ୍ଟରଗୁଡ଼ିକ ହେଉଛି ଆଧୁନିକ ଅର୍ଥନୀତି ଏବଂ ସାମରିକ ଶକ୍ତିର ମେରୁଦଣ୍ଡ । ଇରାନ ଏହାକୁ ନଷ୍ଟ କରିବା ପଛରେ କେତେକ ମୁଖ୍ୟ କାରଣ ରହିଛି ।
ବ୍ୟାଙ୍କିଙ୍ଗ ଓ ସେବା ବାଧାପ୍ରାପ୍ତ: ଏହି ଆକ୍ରମଣ ଯୋଗୁଁ ସମ୍ପୃକ୍ତ ଦେଶର ବ୍ୟାଙ୍କିଙ୍ଗ ସିଷ୍ଟମ, ସରକାରୀ ସେବା ଏବଂ ସଫ୍ଟୱେୟାର ପ୍ଲାଟଫର୍ମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
ଆମେରିକା ଉପରେ ଚାପ: ଖାଡ଼ି ଦେଶଗୁଡ଼ିକରେ ଗୁଗଲ୍, ମାଇକ୍ରୋସଫ୍ଟ, ଆପଲ୍ ଏବଂ ମେଟା ଭଳି ବଡ଼ ଆମେରିକୀୟ କମ୍ପାନୀମାନେ ଅରବିନ୍ଦ ଡଲାର ନିବେଶ କରିଛନ୍ତି । ଏହି ଇନଫ୍ରାଷ୍ଟ୍ରକ୍ଚରକୁ ନଷ୍ଟ କରି ଇରାନ ସିଧାସଳଖ ଆମେରିକାକୁ ଚେତାବନୀ ଦେଉଛି ।
AI ଓ ସାମରିକ କ୍ଷମତାକୁ ଦୁର୍ବଳ କରିବା: ଆଜିକାଲି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ସୈନ୍ୟ ପରିଚାଳନା ଏବଂ ଗୁପ୍ତଚର ତଥ୍ୟ ବିଶ୍ଳେଷଣ କରାଯାଉଛି । ଡାଟା ସେଣ୍ଟର ଧ୍ୱଂସ ହେଲେ ସାମରିକ ଅପରେସନରେ ବଡ଼ ବାଧା ସୃଷ୍ଟି ହୁଏ ।
ଇରାନର ଏହି ଆକ୍ରମଣ ପଛରେ ତିନୋଟି ବଡ଼ ରଣନୀତି ଲୁଚି ରହିଛି:
ଅର୍ଥନୈତିକ କ୍ଷତି: ଖାଡ଼ି ଦେଶଗୁଡ଼ିକର ଟେକ୍ନୋଲୋଜି ନିବେଶକୁ ଧୂଳିସାତ୍ କରିବା ।
ସାମରିକ ପ୍ରତିବନ୍ଧକ: ଆମେରିକୀୟ ସେନା ଏବଂ ସହଯୋଗୀ ଦେଶର କ୍ଲାଉଡ୍-ଆଧାରିତ ପ୍ରତିରକ୍ଷା ପ୍ରଣାଳୀକୁ ଅଚଳ କରିବା ।
ରାଜନୈତିକ ଚେତାବନୀ: ଆମେରିକା ସହ ବନ୍ଧୁତା ରଖୁଥିବା ଦେଶମାନଙ୍କୁ ଭୟଭୀତ କରାଇବା ।
ବାହାରିନ୍ର ଗୃହ ମନ୍ତ୍ରଣାଳୟ ଆକ୍ରମଣ ପରର ଅଗ୍ନିକାଣ୍ଡକୁ ସ୍ୱୀକାର କରିଥିଲେ ମଧ୍ୟ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ଗୋପନ ରଖିଛି । ଅନ୍ୟପଟେ ଦୁବାଇ ଏହି ଆକ୍ରମଣ ଖବରକୁ ଖଣ୍ଡନ କରିଛି । କିନ୍ତୁ ବିଶେଷଜ୍ଞଙ୍କ ମତରେ, ଡିଜିଟାଲ ଯୁଦ୍ଧରେ ଇରାନର ଏହି ନୂଆ ରୂପ ବିଶ୍ୱ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିଛି ।