ନୂଆଦିଲ୍ଲୀ, ୨୨।୪: ବିଶ୍ୱ ରାଜନୀତିରେ ପୁଣି ଥରେ ଯୁଦ୍ଧର କଳାବାଦଲ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସିଜ୍‌ଫାୟାର୍ ଅବଧି ବୃଦ୍ଧି ନିଷ୍ପତ୍ତିକୁ ନେଇ ଇରାନ ଏବେ ଗର୍ଜୁଛି । ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ଏକ 'ଷଡ଼ଯନ୍ତ୍ର' କହି ପ୍ରତ୍ୟାଖ୍ୟାନ କରିବା ସହ ସମୁଦ୍ର ମଝିରେ ଆତଙ୍କ ଖେଳାଇଛି ଇରାନର ଶକ୍ତିଶାଳୀ ସେନା 'ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ' (IRGC)। ହୋର୍ମୁଜ ଜଳପଥରେ ଏକ ବିରାଟ କଣ୍ଟେନର ଜାହାଜ ଉପରେ IRGC ର ଗନବୋଟ୍‌ଗୁଡ଼ିକ ଭୟଙ୍କର ଆକ୍ରମଣ କରିଛନ୍ତି, ଯାହାଫଳରେ ସମୁଦ୍ର ମଝିରେ ସ୍ଥିତି ବିସ୍ଫୋରକ ହୋଇପଡ଼ିଛି ।    

ଜାହାଜର କଣ୍ଟ୍ରୋଲ ରୁମ୍ ଧ୍ୱଂସ: ଓମାନ ସୀମାରେ ଆତଙ୍କ

ୟୁନାଇଟେଡ କିଙ୍ଗଡମ ମାରିଟାଇମ ଟ୍ରେଡ ଅପରେସନ (UKMTO)ର ସୂଚନା ଅନୁଯାୟୀ, ଓମାନର ଉତ୍ତର-ପୂର୍ବ ଦିଗରୁ ପ୍ରାୟ ୧୫ ସାମୁଦ୍ରିକ ମାଇଲ ଦୂରରେ ଏହି ଆକ୍ରମଣ ଘଟିଛି । ଏକ କଣ୍ଟେନର ଜାହାଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ IRGCର ଦ୍ରୁତଗାମୀ ଗନବୋଟ୍‌ଗୁଡ଼ିକ ହଠାତ୍ ଜାହାଜକୁ ଘେରି ଯାଇଥିଲେ । ଜାହାଜର କ୍ୟାପଟେନଙ୍କ କହିବା ଅନୁଯାୟୀ, କୌଣସି ସତର୍କ ସୂଚନା ନଦେଇ ସେନା ପକ୍ଷରୁ ଅତର୍କିତ ଗୁଳିମାଡ଼ କରାଯାଇଥିଲା । ଏହି ଫାୟାରିଂରେ ଜାହାଜର କଣ୍ଟ୍ରୋଲ ରୁମ୍ ସମ୍ପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଛି । ତେବେ ସୌଭାଗ୍ୟବଶତଃ ଜାହାଜରେ ଥିବା ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ ସମୁଦ୍ରରେ କୌଣସି ତୈଳ ନିର୍ଗତ ହୋଇନାହିଁ ।

ଟ୍ରମ୍ପଙ୍କ ପଦକ୍ଷେପକୁ ଇରାନର କଡ଼ା ଜବାବ:

ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ରଦ୍ଦ ହେବା ପରେ ତେହେରାନର ଆଭିମୁଖ୍ୟ କଠୋର ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଜ୍‌ଫାୟାର୍ ବଢ଼ାଇବା ପାଇଁ ଘୋଷଣା କରିଥିଲେ ସୁଦ୍ଧା ଇରାନ ଏହାକୁ ବିଶ୍ୱାସକୁ ନେଉନାହିଁ । ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଗେର ଗାଲିବାଫଙ୍କ ପରାମର୍ଶଦାତା କହିଛନ୍ତି ଯେ, ଟ୍ରମ୍ପଙ୍କ ଏହି ସିଜଫାୟାର୍ ଘୋଷଣା କେବଳ ଏକ 'ଚାଲ୍‌' । ଆମେରିକା ନିଜକୁ ପ୍ରସ୍ତୁତ କରି ଏକ ବଡ଼ 'ସରପ୍ରାଇଜ୍ ଆଟାକ୍' କରିବା ପାଇଁ ସମୟ ଗଡ଼ାଉଛି । ଏଣୁ ଆମେରିକାର ସାମୁଦ୍ରିକ ନାକାବନ୍ଦୀ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ହିଁ ଏକମାତ୍ର ବିକଳ୍ପ ।

"ଶତ୍ରୁ ସୀମା ପାର କଲେ ଛାଡ଼ିବୁ ନାହିଁ": IRGC କମାଣ୍ଡର

IRGCର ଏରୋସ୍ପେସ୍ କମାଣ୍ଡର ବ୍ରିଗେଡିୟର ଜେନେରାଲ ସୈୟଦ ମାଜିଦ ମୌସବୀ ଏକ ବଡ଼ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି:

"ଯଦି ଶତ୍ରୁ ପକ୍ଷ ଯୁଦ୍ଧ ବିରତି ଆଳରେ ଇସଲାମିକ ଗଣରାଜ୍ୟ ବିରୋଧରେ କୌଣସି ଆକ୍ରମଣାତ୍ମକ ମନୋଭାବ ରଖେ କିମ୍ବା ନିଜର ସୀମା ଲଙ୍ଘନ କରେ, ତେବେ IRGC ସେହିଠାରେ ହିଁ ଆକ୍ରମଣ କରିବ, ଯେଉଁଠାରେ ଜନତା ଚାହିଁବେ ।"

ବିଶ୍ୱ ବଜାର ଉପରେ ପ୍ରଭାବ:

ହୋର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ । ଏଠାରେ ଲଗାତାର ତୃତୀୟ ଥର ପାଇଁ କଣ୍ଟେନର ଜାହାଜ ଉପରେ ଆକ୍ରମଣ ହେବା ଫଳରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି । ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଏହି ଶୀତଳ ଯୁଦ୍ଧ ଏବେ କେଉଁ ମୋଡ଼ ନେଉଛି, ତାହା ଉପରେ ସାରା ବିଶ୍ୱର ନଜର ରହିଛି ।

ଆହୁରି ପଢ଼ନ୍ତୁ... ​​​​​​​US Iran Ceasefire: ନା ନା କରୁ କରୁ ବଦଳିଲା ଟ୍ରମ୍ପଙ୍କ ମୁଡ୍‌ ? ମୁନୀର-ଶେହବାଜ ସିଜ୍‌ଫାୟାର ପାଇଁ କିପରି କଲେ ବାଧ୍ୟ