ନୂ୍ଆଦିଲ୍ଲୀ,୦୯/୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଆମେରିକାର ନ୍ୟାୟ ବିଭାଗ ଏକ ବଡ଼ ଖୁଲାସା କରିଛି। ନ୍ୟାୟବିଭାଗ ପକ୍ଷରୁ କୁହାଯାଇଛି ଯେ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଇରାନର ହାତ ଥିଲା। ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଇରାନ ଚୁକ୍ତି କରିଥିଲା। ମେନ୍‌ହଟ୍ଟନର ସଂଘୀୟ ଅଦାଲତରେ ଦାଖଲ ହୋଇଥିବା ଅପରାଧିକ ତଥ୍ୟରେ ଏହି ଅଭିଯୋଗ କରାଯାଇଛି। କୋର୍ଟଙ୍କୁ କୁହାଯାଇଥିଲା ଯେ ଇରାନର ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡର ଜଣେ ଅଧିକାରୀ ଟ୍ରମ୍ପଙ୍କ ଉପରେ ନଜର ରଖିବା ଏବଂ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିବା ପାଇଁ ସେପ୍ଟେମ୍ବରରେ ଜଣେ ସୁଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗରେ ଆହୁରି କୁହାଯାଇଛି ଯେ ଫରହାଦ୍ ଶକେରି ନାମକ ଜଣେ ବ୍ୟକ୍ତିଙ୍କୁ ଟ୍ରମ୍ପଙ୍କୁ ହତ୍ୟା କରିବାର ସୁପାରୀ ଦିଆଯାଇଥିଲା। କୁହାଯାଉଛି ଯେ ସେ ଜଣେ ଇରାନର ସରକାରୀ କର୍ମଚାରୀ ଥିଲେ।

ଜୁଲାଇ ୧୩ ତାରିଖରେ ଟ୍ରମ୍ପଙ୍କ ଉପରେ ହୋଇଥିଲା ଆକ୍ରମଣ:

କହିରଖୁଛୁ ଯେ ଡୋନାଲ୍ଡ ଟ୍ରମ୍ପ ଜୁଲାଇ ୧୩ ରେ ପେନସିଲଭାନିଆର ବଟଲର ସହରରେ ଏକ ନିର୍ବାଚନ ସମାବେଶରେ ସମ୍ବୋଧିତ କରୁଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ଗୁଳିଟି ଡୋନାଲ୍ଡ ଟ୍ରମ୍ପଙ୍କ କାନକୁ ହାଲ୍‌କା ଘସିହୋଇ ବାହାରିଯାଇଥିଲା। ଏହି ଘଟଣାର ପ୍ରାୟ ୬୪ ଦିନ ପରେ ପୁଣି ଥରେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା। ସେତେବେଳେ ଟ୍ରମ୍ପ ଫ୍ଲୋରିଡାର ପାମ ବିଚ କାଉଣ୍ଟିର ଆନ୍ତର୍ଜାତୀୟ ଗଲ୍ଫ କ୍ଲବରେ ଥିଲେ।

ଟ୍ରମ୍ପଙ୍କ ବିଜୟକୁ ନେଇ ନରମ ପ୍ରତିକ୍ରିୟା ଦେଇଛି ଇରାନ: 

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଇରାନ ଏକ ନରମ ପ୍ରତିକ୍ରିୟା ଦେଇଛି। ଇରାନର ସରକାରୀ ପ୍ରତିକ୍ରିୟାରେ କୁହାଯାଇଛି ଯେ ଟ୍ରମ୍ପଙ୍କ ବିଜୟ ଇରାନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଇରାନ ରାଷ୍ଟ୍ରପତିଙ୍କ ମୁଖପାତ୍ର ଫତେହ ମୋହଜେରାନୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ମୁଖ୍ୟ ନୀତି ସ୍ଥିର ହୋଇସାରିଛି। ଯଦି କୌଣସି ବ୍ୟକ୍ତି ପଦବିକୁ ଆସନ୍ତି ତେବେ କିଛି ପରିବର୍ତ୍ତନ ହେବ ନାହିଁ। କିନ୍ତୁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଇରାନ ସରକାର ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଏବଂ ବୁଡ଼ି ଯାଉଥିବା ମୁଦ୍ରାକୁ ବଢ଼ାଇବା ପାଇଁ ପଦକ୍ଷେପ ନେବାକୁ ଜୋର ଦେବେ।