ନୂଆଦିଲ୍ଲୀ,୦୬/୦୨; ଓମାନରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଯାହା ଉପରେ ସାରା ବିଶ୍ୱ ନଜର ରଖିଛି । ଇରାନରେ ଚାଲିଥିବା ବିରୋଧ ପ୍ରଦର୍ଶନ ଏବଂ ଆମେରିକାର ନିରନ୍ତର ଧମକ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେଉଛି । ବୈଠକ ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଇରାନର ସର୍ବୋଚ୍ଚ ନେତା "ଅତ୍ୟନ୍ତ ଚିନ୍ତିତ ହେବା ଉଚିତ" କାରଣ ଦୁଇ ଦେଶ ପରମାଣୁ ଆଲୋଚନା ପୁଣି ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ପୂର୍ବରୁ ଏହି ବୈଠକ ତୁର୍କିର ରାଜଧାନୀ ଅଙ୍କାରାରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ପରେ ଇରାନ ଓମାନରେ ବୈଠକ କରିବାକୁ ଅନୁରୋଧ କରିଥିଲା, ଯାହାକୁ ଆମେରିକା ରାଜି ହୋଇଛି ।

ଆମେରିକା-ଇରାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚି ଥିବାବେଳେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନର ପ୍ରମୁଖ ନେତା ଅୟାତୋଲ୍ଲା ଅଲି ଖାମେନି ପରସ୍ପରକୁ ନାଲି ଆଖି ଦେଖାଉ ଥିବାବେଳେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଦେଖାଯାଇଛି । କତାର, ତୁର୍କୀ, ଓମାନ ଦୁଇ ଦେଶ ମଧ୍ୟରେ ସ୍ଥିତି ସାମାନ୍ୟ କରିବାକୁ ପ୍ରୟାସ କରୁଥିବାବେଳେ ଓମାନ ରାଜଧାନୀ ମାସ୍କଟରେ ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଅନୁଷ୍ଠିତ ହେବ । କତାର ଓ ତୁର୍କୀ ଏଥିରେ ମଧ୍ୟସ୍ଥତା କରିବେ । ଇତିମଧ୍ୟରେ ତେହେରାନସ୍ଥିତ ଆମେରିକା ଦୂତାବାସ ଏହାର ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦେଇଛି ।

ଏହି ବୈଠକରେ ଇରାନର ପରମାଣୁ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଓମାନର ବୈଦେଶିକ ମନ୍ତ୍ରୀ ବଦର ଅଲ-ବୁସାଇଦି ଏହି ବୈଠକର ଆୟୋଜନ କରିବେ, ଯେଉଁଥିରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଏବଂ ଆମେରିକାର ପ୍ରତିନିଧି ଜାରେଡ କୁଶନର ଏବଂ ଷ୍ଟିଭ ୱିଟକଫ ଯୋଗଦେବେ । ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ବୁଧବାର ବିଳମ୍ବିତ ରାତିରେ ନିଶ୍ଚିତ କରିଛନ୍ତି ଯେ, ବୈଠକ ଏବେ ମସ୍କଟରେ ହେବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଚେତାବନୀ ଦେଇ କହିଛନ୍ତି ଯେ, ଇରାନ ତାର ପରମାଣୁ କାର୍ଯ୍ୟକ୍ରମ ଉପରେ ଏକ ଚୁକ୍ତିରେ ରାଜି ନ ହେଲେ କିଛି ବି ଘଟିପାରେ । ଆମେରିକା ପଶ୍ଚିମ ଏସିଆରେ ବିମାନ ବାହକ ଏବଂ ଅନ୍ୟାନ୍ୟ ସାମରିକ ବାହିନୀ ମଧ୍ୟ ମୁତୟନ କରିଛି ।

ଏହା ବି ପଢନ୍ତୁ...ବିଯୁକ୍ତ ୧୫ଂରେ ସାଧୁଙ୍କ ତପସ୍ୟା, ଏମାନଙ୍କୁ ସଂକଳ୍ପରୁ ବିଚ୍ୟୁତ କରିପାରିନି ଭୟଙ୍କର ଥଣ୍ଡା ଓ ବରଫପାତ

ଇରାନ କେବଳ ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ଚାହୁଁଛି- ଉଭୟ ପକ୍ଷ ଏଜେଣ୍ଡାକୁ ନେଇ ଅସହମତି । ଇରାନ କେବଳ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବାକୁ ଚାହୁଁଛି । ସେ ସ୍ପଷ୍ଟ କରିଛି ଯେ ସେ ଏହାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କିମ୍ବା ଅନ୍ୟାନ୍ୟ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବ ନାହିଁ । ତଥାପି, ଆମେରିକା ଚାହୁଁଛି ଯେ ଆଲୋଚନାର ପରିସର ବ୍ୟାପକ ହେଉ । ଆମେରିକା ଏବଂ ଇରାନ ମଧ୍ୟରେ ଏହି ବୈଠକ ଉପରେ ସାରା ବିଶ୍ୱ ନଜର ରଖିଛି । ଯଦି ଆଲୋଚନା ବିଫଳ ହୁଏ, ତେବେ ପଶ୍ଚିମ ଏସିଆର ଅନେକ ଦେଶ ପାଇଁ ସଙ୍କଟ ଆହୁରି ଘନେଇବ । ଇରାନ ସିଧାସଳଖ ସଂଘର୍ଷର ସମ୍ମୁଖୀନ ହୋଇପାରେ ଏବଂ ଆର୍ଥିକ ଏବଂ ସାମରିକ ଚାପ ମଧ୍ୟ ବୃଦ୍ଧି ପାଇପାରେ ।