ନୂଆଦିଲ୍ଲୀ,୦୬/୦୨ : ଉତ୍ତରାଖଣ୍ଡର ବଦ୍ରୀନାଥ ଧାମରେ ଭୟଙ୍କର ବରଫ ଝଡ଼ । ସନ୍ଧ୍ୟା ହେବା ମାତ୍ରେ ତାପମାତ୍ରା ବିଯୁକ୍ତ ୧୫ଂକୁ ଖସିଯାଉଛି । ଚତୁର୍ଦ୍ଦିଗ ୨-୩ ଫୁଟର ମୋଟା ବରଫ ଜମା ହୋଇଛି । ନିରବତା ଭୟର ବାତାବରଣ ସୃଷ୍ଟି କରୁଛି । ଏଭଳି କଠୋର ସ୍ଥିତିରେ ୧୫ ଜଣ ସାଧୁ ଜନ କଲ୍ୟାଣ ଓ ମୋକ୍ଷ ପ୍ରାପ୍ତି ନିମନ୍ତେ ଯୋଗ-ସାଧନାରେ ଲୀନ ଅଛନ୍ତି । ପ୍ରାୟ ୧୧ ହଜାର ଫୁଟ ଉଚ୍ଚରେ ସ୍ଥିତ ବଦ୍ରୀନାଥ ଧାମ ଏବେ ସମ୍ପୂର୍ଣ୍ଣ ରୂପେ ବରଫରେ ଢାଙ୍କି ହୋଇଛି । ଶୀତଦିନେ ଏଠାରେ ସାଧାରଣ ଜୀବନଯାପନ କଷ୍ଟକର ହୋଇଥାଏ । ଏଠାକୁ ଯାତାୟାତ ବି ଅସମ୍ଭବ ହୁଏ । ଏହା ସତ୍ତେ୍ୱ ୧୫ ଜଣ ସାଧୁ କୁଡ଼ିଆ, ଗୁମ୍ଫା ଓ ଆଶ୍ରମରେ ରହି ନିରନ୍ତର ତପସ୍ୟା କରୁଛନ୍ତି ।
ଆହୁରି ପଢନ୍ତୁ-ମହକୁଛି ଓଡ଼ିଆ ଖାଇବା, ମାଷ୍ଟରସେଫ୍ ଇଣ୍ଡିଆରେ ଦୁଇ ଭଉଣୀ ଅଞ୍ଜୁ-ମଞ୍ଜୁଙ୍କ କମାଲ
ଭୟଙ୍କର ଥଣ୍ଡା, ବରଫପାତ ବି ଏମାନଙ୍କୁ ସଂକଳ୍ପରୁ ବିଚ୍ୟୁତ କରିପାରିନି । ଏମାନଙ୍କ ମଧ୍ୟରେ ସ୍ୱାମୀ ଅରସାନନ୍ଦ ଜୀ ମହାରାଜ ଗତ ୪ ବର୍ଷରୁ ନିରନ୍ତର ୧୨ ମାସ ବଦ୍ରୀନାଥ ଧାମରେ ନିବାସ କରି ଭଗବାନ ବଦ୍ରୀନାଥଙ୍କ ଧ୍ୟାନରେ ଲୀନ ରହୁଛନ୍ତି । ଭୀଷଣ ଥଣ୍ଡା ଓ ଚରମ ପ୍ରାକୃତିକ ପରିସ୍ଥିତି ମଧ୍ୟରେ ତାଙ୍କ ସାଧନା ଜାରି ରହିଛି । ଜ୍ୟୋତିର୍ମଠର ଉପ ଜିଲ୍ଲାଧିକାରୀ ଚନ୍ଦ୍ରଶେଖର ବଶିଷ୍ଠ କହିଛନ୍ତି, ନିୟମ ଅନୁସାରେ ପ୍ରଶାସନର ଅନୁମତି ପରେ ଶୀତଦିନେ ବଦ୍ରୀନାଥ ଧାମରେ ରହଣିର ଅନୁମତି ଦିଆଯାଏ । ବର୍ତ୍ତମାନ ଏହି ୧୫ ସାଧୁ ଅନୁମତି କ୍ରମେ ଏଠାରେ ଯୋଗ-ସାଧନା କରୁଛନ୍ତି । ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଠିକ୍ ସମୟରେ ଆବଶ୍ୟକ ଔଷଧ ଓ ରାସନ ଉପଲବ୍ଧ କରାଯାଉଛି । ଶୀତଦିନେ ତପସ୍ୟା କରୁଥିବା ସାଧୁ-ସନ୍ଥଙ୍କର ସ୍ୱତନ୍ତ୍ର ଚିକିତ୍ସା କରାଯାଏ । ଏଥିରେ ଅମ୍ଳଜାନ ସ୍ତର, ରକ୍ତଚାପ, ହାଡ଼ର ସ୍ଥିତି ଓ ଅନ୍ୟ ଆବଶ୍ୟକ ଯାଞ୍ଚ୍ ସାମିଲ । ଉଚ୍ଚ ହିମାଳୟ କ୍ଷେତ୍ରରେ ରହିବା ପାଇଁ ହୃତ୍ପିଣ୍ଡ ଓ ଛାତିର ଯାଞ୍ଚ୍ ଅତ୍ୟନ୍ତ ଜରୁରି । ଏ ସମସ୍ତ ଯାଞ୍ଚ୍ ପରେ ସାଧୁ-ସନ୍ଥଙ୍କୁ ମେଡିକାଲ ପ୍ରମାଣପତ୍ର ପ୍ରଦାନ କରାଯାଏ ।