ନୂଆଦିଲ୍ଲୀ, ୨୧/୦୪ : ଦିନକ ପରେ ସରିବ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ୧୪ ଦିନିଆ ଯୁଦ୍ଧବିରତି। ସିଜଫାୟାର ସରିବା ପୂର୍ବରୁ ଆଜି ଇସଲାମାବାଦରେ ଆମେରିକା-ଇରାନ ମଧ୍ୟରେ ହେବ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା। ଯୁଦ୍ଧ ବନ୍ଦ ନେଇ ବୈଠକରେ ବାଟ ଫିଟିବ ବୋଲି ଆଶା କରାଯାଉଛି। ଶାନ୍ତି ଆଲୋଚନା ଉପରେ ସାରା ବିଶ୍ଵର ନଜର ରହିଛି। ଏହି ବୈଠକରେ କୌଣସି ନିଷ୍କର୍ସ ନବାହାରିଲେ ଇରାନ ଉପରେ ବୋମା ବର୍ଷା ହେବ ବୋଲି ଟ୍ରମ୍ପ ଚରମବାଣୀ ଶୁଣାଇଛନ୍ତି। ସେପଟେ ନେତନ୍ୟାହୁ ମଧ୍ୟ ଇରାନକୁ ଧମକ ଦେଇଛନ୍ତି। ଇରାନ ସହ ଏବେବି ହିସାବ ବାକି ଅଛି ବୋଲି କହିଛନ୍ତି। ନେତନ୍ୟାହୁ କହିଛନ୍ତି ଯେ, "ଇରାନ ବିରୋଧରେ ଇସ୍ରାଏଲ୍ ର ଅପରେସନ ଏବେ ଯାଏଁ ଶେଷ ହୋଇନାହିଁ। ଇରାନରେ ଏବେବି ଆମ କାମ ବାକି ଅଛି।"
ଆଗାମୀ ୨୪ ଘଣ୍ଟା ନିର୍ଣ୍ଣାୟକ
ନେତନ୍ୟାହୁଙ୍କ ଏହି ବାର୍ତ୍ତା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆହୁରି ଘମାଘୋଟ ହେବ ବୋଲି ଆଶଙ୍କା କରାଯାଉଛି। ଆଗାମୀ ୨୪ ଘଣ୍ଟା ଆହୁରି ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। କୂଟନୀତି ମାଧ୍ୟମରେ ଶାନ୍ତି ଆଲୋଚନା ସଫଳ ନହେଲେ ଉତ୍ତେଜନା ଆହୁରି ବଢିବ। ସେପଟେ ଇରାନର ଜବାବ ମୂଳକ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହି ମଧ୍ୟରେ ରାଷ୍ଟ୍ରପତିଙ୍କ ଚରମବାଣୀ ମଧ୍ୟ ଶାନ୍ତି ଆଲୋଚନା ନେଇ ଆହୁରି ଅନିଶ୍ଚିତତା ବଢାଇ ଦେଇଛି।.
ଇରାନ ସଂସଦ ସ୍ପିକର୍ ମହମ୍ମଦ ଗାଲିବାଫ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ସିଜଫାୟାର ଉଲ୍ଲଙ୍ଘନ ଏବଂ କୂଟନୀତିକୁ ଦୁର୍ବଳ କରିବା ଅଭିଯୋଗ ଲଗାଇଛନ୍ତି। ତେହରାନ ଚାପଗ୍ରସ୍ତ ହୋଇ ଡିଲ୍ କରିବ ନାହିଁ ବୋଲି କହିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଗାଲିବାଫ କହିଛନ୍ତି ଯେ, ୱାଶିଂଟନ ଆଲୋଚନାକୁ ସରେଣ୍ଡର ନାମ ଦେବାକୁ ଚେଷ୍ଟା କରୁଛି। ଯଦି ଉତ୍ତେଜନା ଆହୁରି ବଢେ, ତାହେଲେ ଇରାନ ଯୁଦ୍ଧ ଭୂମିରେ ପତା ଖୋଲିବା ପାଇଁ ପ୍ରସ୍ତୁତ ଅଛି।
ଆହୁରି ପଢନ୍ତୁ- Islamabad peace talks: ଟ୍ରମ୍ପଙ୍କ ଧମକ ଭିତରେ ଆଜି ଇସଲାମାବାଦରେ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା, ଯୁଦ୍ଧ ବନ୍ଦ ନେଇ ଫିଟିପାରେ ବାଟ