- ପତ୍ନୀଙ୍କୁ ଘର ଖର୍ଚ୍ଚର ହିସାବ ମାଗିବା ଠିକ୍ ନା ଭୁଲ୍?
- ଡିସେମ୍ବର ୧୯, ୨୦୨୫ ରେ ଏପରି ଏକ ମାମଲାର ସମାଧାନ କରିଥିଲେ ସର୍ବୋଚ୍ଚ ଅଦାଲତ
- ପତ୍ନୀଙ୍କ ଅଭିଯୋଗ ଆଧାରରେ ଶୁଣାଣି ପରିବର୍ତ୍ତେ ସମାଧାନ କରିଥିଲେ ବିଚାରପତି ବି.ଭି. ନାଗରତ୍ନ ଏବଂ ଏ. ମହାଦେବନଙ୍କ ଖଣ୍ଡପୀଠ
- ପତ୍ନୀଙ୍କୁ ଘରଖର୍ଚ୍ଚର ହିସାବ ମାଗିଲେ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ ଆଇନରେ କିଛି ନିୟମ ରହିଛି କି ?
ନୂଆଦିଲ୍ଲୀ,୧୨/୦୧: ପତ୍ନୀଙ୍କୁ ଘର ଖର୍ଚ୍ଚର ହିସାବ ମାଗିବା, କିମ୍ବା ଖର୍ଚ୍ଚର ତାଲିକା ମାଗିବା କ'ଣ ନିଷ୍ଠୁରତା? କ'ଣ ଏପରି ପଚାରିବା ଦ୍ବାରା ସ୍ୱାମୀଙ୍କ ବିରୁଦ୍ଧରେ ଧାରା ୪୯୮(କ) ପରି ଏକ ଗମ୍ଭୀର ଅପରାଧିକ ମାମଲା ଚାଲିପାରେ? ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଏକ ସ୍ପଷ୍ଟ ଏବଂ ବ୍ୟାପକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ଖର୍ଚ୍ଚର ହିସାବ ଦାବି କରିବା, ସ୍ତ୍ରୀଙ୍କ ଉପରେ ଆର୍ଥିକ ନିୟନ୍ତ୍ରଣ ରଖିବା କିମ୍ବା ତାଙ୍କୁ ଖର୍ଚ୍ଚର ରେକର୍ଡ ରଖିବା ପାଇଁ ବାଧ୍ୟ କରିବା କୌଣସି ଅପରାଧିକ ନିଷ୍ଠୁରତା ନୁହେଁ, କିନ୍ତୁ ଆପଣଙ୍କର ଏପରି ପ୍ରଶ୍ନ ପତ୍ନୀଙ୍କୁ ମାନସିକ କିମ୍ବା ଶାରୀରିକ କ୍ଷତି ନପହଞ୍ଚାଇବା ଦରକାର।
ଏହି ନିଷ୍ପତ୍ତି ବିଚାରପତି ବି.ଭି. ନାଗରତ୍ନ ଏବଂ ଏ. ମହାଦେବନଙ୍କ ଖଣ୍ଡପୀଠ ୧୯ ଡିସେମ୍ବର ୨୦୨୫ରେ ପ୍ରଦାନ କରିଥିଲେ। କୋର୍ଟ ଜଣେ ସ୍ୱାମୀଙ୍କ ବିରୋଧରେ ଦାୟର ୪୯୮(କ) ମାମଲାକୁ ଖାରଜ କରିଦେଇଥିଲେ। ସ୍ୱାମୀ ଏବଂ ସ୍ତ୍ରୀ ଆମେରିକାରେ କାମ କରୁଥିବା ସଫ୍ଟୱେର୍ ଇଞ୍ଜିନିୟର ଥିଲେ। ସେମାନେ ୨୦୧୬ରେ ବିବାହ କରିଥିଲେ ଏବଂ ୨୦୧୯ରେ ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ବିବାଦ ପରେ, ସ୍ତ୍ରୀ ପିଲାଟିକୁ ନେଇ ଭାରତ ଫେରି ଆସିଥିଲେ ଏବଂ ଆଉ ତାଙ୍କ ସ୍ୱାମୀଙ୍କ ସହିତ ରହିନଥିଲେ। ଜାନୁଆରୀ ୨୦୨୨ରେ, ସ୍ୱାମୀ ତାଙ୍କୁ ଏକ ଆଇନଗତ ନୋଟିସ ପଠାଇ ତାଙ୍କ ସହିତ ରହିବାକୁ ଦାବି କରିଥିଲେ। କିଛି ଦିନ ପରେ, ସ୍ତ୍ରୀ ତାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ବିରୁଦ୍ଧରେ ୪୯୮(କ) ଏବଂ ଯୌତୁକ ନିର୍ଯାତନା ମାମଲା ଦାୟର କରିଥିଲେ।
ଅଧିକ ପଢ଼ନ୍ତୁ: ସାବରମତୀରେ ଜର୍ମାନୀ ଚାନ୍ସେଲର : ମୋଦିଙ୍କ ସହ ଉଡ଼ାଇଲେ ଗୁଡ଼ି, ଦେଖିଲେ ଭାରତର ସଂସ୍କୃତି
କ'ଣ ଅଭିଯୋଗ କରିଥିଲେ ପତ୍ନୀ?
ପତ୍ନୀ ଅଭିଯୋଗ କରିଥିଲେ ଯେ, 'ସ୍ୱାମୀ ଖର୍ଚ୍ଚର ସମ୍ପୂର୍ଣ୍ଣ ହିସାବ ମାଗିଲେ, ତାଙ୍କୁ ଏକ ଏକ୍ସେଲ ସିଟରେ ଲେଖିବାକୁ କହିଲେ ଏବଂ ତାଙ୍କ ପିତାମାତାଙ୍କୁ ଟଙ୍କା ପଠାଇଲେ। ଗର୍ଭାବସ୍ଥାରେ ତାଙ୍କୁ ପାଖରେ ଭାବାତ୍ମକ ସମର୍ଥନ ମିଳିନଥିଲା ଏବଂ ତାଙ୍କ ଓଜନ ବୃଦ୍ଧି ପାଇଁ ତାଙ୍କୁ ଉପହାସ କରୁଥିଲେ। ଏହି ଅଭିଯୋଗଗୁଡ଼ିକୁ ଆଧାର କରି, ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରିଥିଲେ। ତଥାପି, ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ଅଭିଯୋଗଗୁଡ଼ିକ ଦୈନନ୍ଦିନ ବୈବାହିକ ମନମାଳିନ୍ୟ ସହିତ ସମାନ କିନ୍ତୁ ଏହା କୌଣସି ଅପରାଧିକ ନିଷ୍ଠୁରତା ନୁହେଁ। କୋର୍ଟ କହିଛନ୍ତି ଯେ ସ୍ୱାମୀଙ୍କ ଆର୍ଥିକ ପ୍ରାଧାନ୍ୟ ପାଇଁ ପତ୍ନୀଙ୍କୁ ଖର୍ଚ୍ଚର ହିସାବ ମାଗିବା ନିଷ୍ଠୁରତା ନୁହେଁ, କିନ୍ତୁ ଏହାଦ୍ବାରା ପତ୍ନୀଙ୍କ ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ମାନସିକ କିମ୍ବା ଶାରୀରିକ କ୍ଷତି ନପହଞ୍ଚିବା ଦରକାର। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ପୁରୁଷମାନେ ପ୍ରାୟତଃ ପରିବାରର ଆର୍ଥିକ ନିୟନ୍ତ୍ରଣ କରନ୍ତି, କିନ୍ତୁ ଏହି ଆଧାରରେ ଅପରାଧିକ ଅଭିଯୋଗ ଆରମ୍ଭ କରାଯାଇପାରିବ ନାହିଁ।
ପ୍ରମାଣ ନାହିଁ,ଅଭିଯୋଗ ଅତି ସାଧାରଣ:
ସୁପ୍ରିମକୋର୍ଟ ସ୍ତ୍ରୀଙ୍କ ଅଭିଯୋଗକୁ ଅତ୍ୟଧିକ ସାଧାରଣ ଏବଂ କୌଣସି ଠୋସ୍ ଘଟଣା କିମ୍ବା ପ୍ରମାଣ ବିନା ବୋଲି ଜାଣିପାରିଲେ। ଯୌତୁକ ଦାବି କରାଯାଇଥିଲା, କିନ୍ତୁ କୌଣସି ତାରିଖ, ଘଟଣା କିମ୍ବା ପ୍ରମାଣ ପ୍ରଦାନ କରାଯାଇ ନଥିଲା। କୋର୍ଟ କହିଛନ୍ତି ଯେ ଧାରା ୪୯୮ (କ) ଭଳି ଆଇନ ବ୍ୟକ୍ତିଗତ ପ୍ରତିଶୋଧ ନେବା କିମ୍ବା ବ୍ୟକ୍ତିଗତ ଆକ୍ରୋଷର ସମାଧାନ ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ସ୍ୱାମୀଙ୍କ ଆଚରଣ ଭୁଲ ହୋଇପାରେ, କିନ୍ତୁ ଅପରାଧ ନୁହେଁ। କୋର୍ଟ ସ୍ୱୀକାର କରିଛନ୍ତି ଯେ ସ୍ୱାମୀଙ୍କ ଆଚରଣ ଅସମ୍ବେଦନଶୀଳ କିମ୍ବା ଭୁଲ ହୋଇପାରେ, କିନ୍ତୁ ପ୍ରତ୍ୟେକ ଭୁଲ ଅପରାଧିକ ନିଷ୍ଠୁରତା ନୁହେଁ। ତମାମ ମାମଲାରେ ସୁପ୍ରିମକୋର୍ଟ ଏଫଆଇଆର ଏବଂ ସ୍ୱାମୀଙ୍କ ବିରୁଦ୍ଧରେ ଦାୟର ମାମଲାକୁ ସମ୍ପୂର୍ଣ୍ଣ ରଦ୍ଦ କରିଥିଲେ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଦେଶରେ ବର୍ଷକୁ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ଅବେଳରେ ଯାଉଛି ଲକ୍ଷେ ୭୦ ହଜାର ଜୀବନ