ନୂଆଦିଲ୍ଲୀ,୮।୫: ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନରେ ପାଣି ପାଇଁ ହାହାକାର।  ପହଲଗାମ୍ ହମଲା ପରେ ଭାରତ ରଦ୍ଦ କରିଥିଲା ସିଦ୍ଧୁ ନଦୀ ଚୁକ୍ତି। ଏବେ ଖାନପୁର ଡ୍ୟାମ୍‌ର ସ୍ଥିତି ସଙ୍ଗୀନ। ଏବେ ମାତ୍ର ୩୫ ଦିନର ପାଣି ରହିଛି। ଏହି ଡ୍ୟାମ୍‌ରୁ ରାଜଧାନୀ ଇସଲାମାବାଦ ଓ ରାଓ୍ବଲପିଣ୍ଡିକୁ ପାଣି ଯାଏ।  ଆଗକୁ ଯଦି ବର୍ଷା ଭଲ ଭାବରେ ନହୁଏ ତେବେ ପାକିସ୍ତାନୀ ଙ୍କ ସ୍ଥିତି ହେବ ଖୁବ୍ ଖରାପ ଟୋପାଏ ପାଣି ପାଇଁ ହେବେ ଡହଳବିକଳ। ରାଜଧାନୀ ଇସଲାମବାଦ ଓ ରାଓ୍ବଲପିଣ୍ଡି ଭଳି ବଡ଼ ସହରକୁ ପାଣି ଯାଉଥିବା ଖାନପୁର ଡ୍ୟାମ୍‌ରୁ ଶୁଖିଲାଣି ଜଳସ୍ତର।  

ଏହି ଡ୍ୟାମ୍‌ରୁ ଆଗକୁ ପଞ୍ଜାବ ଓ ଖୈବର ପୁଖତୁନଖ୍ବାକୁ ଚାଷବାସ ପାଇଁ ମଧ୍ୟ ପାଣି ଯିବ। ଖାନପୁର ଡ୍ୟାମ୍ କ୍ୟାଚମେଣ୍ଟ ଏରିଆ ବା ଯେଉଁ ଅଞ୍ଚଳରୁ ବର୍ଷା ପାଣି ଆସିଥାଏ ସେଠାରେ ଭଲ ବର୍ଷା ହେଉନାହିଁ। ଯେଉଁ କାରଣରୁ ଡ୍ୟାମରେ ବର୍ତ୍ତମାନ ସମୟରେ ପ୍ରତିଦିନ ୮୨ କ୍ୟୁସେକ ପାଣି ଆସୁଛି। ସେଭଳି ଯୋଗାଣ ପାଇଁ ୨୩୫ କ୍ୟୁସେକ ପାଣି ଛାଡିବାକୁ ପଡୁଛି। ପାକିସ୍ତାନୀ ଖବର କାଗଜ ଡନ୍ ରିପୋର୍ଟ ଅନୁସାରେ, ଖାନପୁର ଡ୍ୟାମ୍‌ ଡେଡ୍ ଲେବଲରୁ ୨୫ ଫୁଟ୍ ହିଁ ଅଧିକ ପାଣି ରହିଛି। ପାରୋ ନଦୀରେ ତିଆରି ଖାନପୁର ଡ୍ୟାମ୍‌ ଇସଲାମାବାଦର ମରଗଲା ହିଲ୍ସ ଓ ଗଲ୍ୟାତ୍ ପାହାଡି ଅଞ୍ଚଳରୁ ପାଣି ଆସିଥାଏ। ତେବେ ସେଠାରେ ବର୍ଷା ମଧ୍ୟ ଠିକ୍ ଭାବରେ ହେଉନି। ଏହି କାରଣରୁ ଜଳସ୍ତର କ୍ରମାଗତ ଭାବରେ ତଳକୁ ଖସିବାରେ ଲାଗିଛି। 

ଯଦି  ସପ୍ତାହେ ଭିତରେ ସ୍ଥିତିରେ ସୁଧାର ନହୁଏ ତେବେ ପଞ୍ଜାବ ଓ ଖୈବର ପଖତୁଖଓ୍ବାରେ ଜଳସେଚନ ପାଇଁ ପାଣିର ସପ୍ଲାଇକୁ ରୋକିବାକୁ ହେବ। ଅର୍ଥାତ ଚାଷକାମକୁ ଛାଡି ଆଗ ପାନୀୟ ଜଳ ଦିଆଯିବ।ଖାନପୁର ଡ୍ୟାମରେ ଏବେ ଇସଲାମାବାଦକୁ ୯୦ କ୍ୟୁସେକ, ଖୈବର ପଖତୁନଖ୍ବାକୁ ୪୮ କ୍ୟୁସେକ୍ ଓ ପଞ୍ଜାବକୁ ୪୨ କ୍ୟୁସେକ୍ ପାଣି ପଠାଯାଉଛି।