ନୂଆଦିଲ୍ଲୀ: ସୋମବାର ଇସ୍ରାଏଲ ଦେଶରୁ ଇରାନର ଏକ ଗୁପ୍ତଚର ନେଟୱାର୍କକୁ ଭାଙ୍ଗି ଦେଇଛି । ଗୁପ୍ତଚର କାର୍ଯ୍ୟରେ ନିଜକୁ ଲିପ୍ତ ରଖିଥିବା ୭ ଜଣ ନାଗରିକଙ୍କୁ ଗିରଫ କରିଛି । ଏହି ନାଗରିକ ମାନେ ସାଧାରଣ ନାଗରିକଙ୍କ ଭଳି ଜୀବନଶୈଳୀ ବିତାଉଥିଲେ । ଏମାନେ ଇସ୍ରାଏଲର ଶକ୍ତି ଭିତ୍ତିଭୂମି ଏବଂ ସାମରିକ ବେସରୁ ଇରାନ ଗୁପ୍ତଚର ସଂସ୍ଥାକୁ ପଠାଇବା ପାଇଁ ସୂଚନା ସଂଗ୍ରହ କରୁଥିବା ଜଣାଯାଇଛି।

ଇସ୍ରାଏଲର ପୋଲିସ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଏହି ୭ ନାଗରିକଙ୍କୁ ଦେଶରୁ ଗିରଫ କରିଛି। ଏହି ସାତଜଣ ଇସ୍ରାଏଲ୍ ନାଗରିକ ଦେଶର ହାଇଫା ସହର ଏବଂ ଦେଶର ଅନ୍ୟ ଉତ୍ତର ଅଞ୍ଚଳର ଥିଲେ। ଏମାନେ ଏକ ନେଟଓ୍ବାର୍କ ଆଧାରରେ କାର୍ଯ୍ୟ କରୁଥିଲେ । IDF (ସାମରିକ) ବେସ୍ ଏବଂ ଶକ୍ତି ଭିତ୍ତିଭୂମି ଉପରେ ସମ୍ବେଦନଶୀଳ ସୂଚନା ସଂଗ୍ରହରେ ଏମାନେ ନିୟୋଜିତ ଥିଲେ ।

ପୋଲିସର ସୂଚନାନୁସାରେ, ଇସ୍ରାଏଲ୍ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଲୋକମାନେ ଗତ ଦୁଇ ବର୍ଷ ଧରି "ଆଲଖାନ୍ ଏବଂ ଅର୍ଖାନ୍" ନାମକ ଦୁଇଜଣ ଇରାନୀୟ ଏଜେଣ୍ଟଙ୍କ ନିର୍ଦ୍ଦେଶରେ ବିଭିନ୍ନ ମିଶନ କରି ଆସୁଥିଲେ। ପୋଲିସ କହିଛି ଯେ ନେଟୱାର୍କର ସଦସ୍ୟ ମାନେ ଜାଣିଥିଲେ ଯେ, ସେମାନେ ପ୍ରଦାନ କରିଥିବା ଗୁପ୍ତଚର ତଥ୍ଯ ଜାତୀୟ ସୁରକ୍ଷାକୁ କ୍ଷୁର୍ଣ୍ଣ କରିବେ ଏବଂ ଶତ୍ରୁ କ୍ଷେପଣାସ୍ତ୍ର ଆକ୍ରମଣକୁ ସହଜ କରିବେ । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ,ବାୟୁସେନା ଏବଂ ନୌସେନା ବେସ୍,ବନ୍ଦର, ଆଇରନ୍ ଡୋମ୍ ସିଷ୍ଟମ ବେସ୍ ଏବଂ ହାଇଡ୍ରୋ ପାୱାର ପ୍ଲାଣ୍ଟ ପରି ଶକ୍ତି ଭିତ୍ତିଭୂମି ଉପରେ ଏମାନଙ୍କ ଫୋକସ ଥିଲା।