ନୂଆଦିଲ୍ଲୀ ୨୩/୦୬: ଇସ୍ରାଏଲ୍‌ ସହ ଯୁଦ୍ଧ ଓ ଆମେରିକାର ଭୟଙ୍କର ଆକ୍ରମଣ ମଧ୍ୟରେ ଇରାନ୍‌  ଏକ ବଡ଼ ପଦକ୍ଷେପ ନେଇଛି । ଇସ୍ରାଏଲ୍‌ର ଗୁଇନ୍ଦା ଏଜେନ୍ସି ମୋସାଦ୍‌ର ଜଣେ ଏଜେଣ୍ଟଙ୍କୁ ରବିବାର ଇରାନ୍‌ ଫାଶୀ ଦଣ୍ଡ ଦେଇଛି । 

ସରକାରୀ ସୂତ୍ରରୁ ଜଣାପଡ଼ିଛି  ଯେ ମୋସାଦ୍‌ ଏଜେଣ୍ଟ ମାଜିଦ୍‌ ମୋସାୟେବି ଦୀର୍ଘଦିନ ହେଲା ଇରାନ୍‌ରେ ରହି ଇସ୍ରାଏଲ୍‌ ପାଇଁ ଗୁଇନ୍ଦାଗିରି କରୁଥିଲେ । ସେ ମୋସାଦ୍‌କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ  ପ୍ରଦାନ କରିଥିଲେ । ତାଙ୍କୁ ନିକଟରେ ଗିରଫ କରାଯାଇଥିଲା । କୋର୍ଟରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ମୃତ୍ୟୁ  ଦଣ୍ଡାଦେଶ ହୋଇଥିଲା । ଏହାପରେ  ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା ।  ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶକୁ କାଏମ  ରଖିବାରୁ ରବିବାର ତାଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି । 

ଇରାନୀ ଗଣମାଧ୍ୟମ ରିପୋର୍ଟ ମୁତାବକ, ଇସ୍ରାଏଲ୍‌ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଏ  ପର୍ଯ୍ୟନ୍ତ ୨୨ ଜଣଙ୍କୁ ଗିରଫ କରାଗଲାଣି। ସେମାନଙ୍କ ବିରୋଧରେ ବର୍ତ୍ତମାନ ମାମଲା ଚାଲିଛି । ଜୁନ୍‌ ୧୩ରେ ଇସ୍ରାଏଲ୍‌ର ଆକ୍ରମଣ ପରଠାରୁ ଇରାନ୍‌ ପୁଲିସ ଏହି୨୨ ଜଣଙ୍କୁ ଗିରଫ କରିଛି ।