ନୂଆଦିଲ୍ଲୀ : ମିଡିଲ ଇଷ୍ଟ ରାଷ୍ଟ୍ର ସିରିଆରେ ବଶର ଅଲ-ଅସଦଙ୍କ ଗାଦି ଚାଲି ଯିବା ପରେ, ପରିବାର ସମେତ ରୁଷ୍‌ ପଳାଇଛନ୍ତି। ଏହାପରେ ସିରିଆକୁ କବଜା କରିଛି ବିଦ୍ରୋହୀ ଗୋଷ୍ଠୀ ହୟାତ ତହରିର ଅଲ-ଶାମ (ଏଚଟିଏସ)। ଏଚଟିଏସ ସିରିଆର ଦାୟିତ୍ୱ ନିଜ ଅଧିକାରୀ ମହମ୍ମଦ ବଶୀରଙ୍କୁ ମାର୍ଚ୍ଚ ୨୦୨୫ ଯାଏ ପ୍ରଦାନ କରିଛି। ତାଙ୍କୁ ସିରିଆର କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି। ବିଦ୍ରୋହୀ ଗୋଷ୍ଠୀର କହିବାନୁସାରେ , ସେ ବର୍ତ୍ତମାନ ସିରିଆକୁ ଟ୍ରାକ୍‌କୁ ଆଣିବାକୁ ଲାଗି ପଡ଼ିଛନ୍ତି। ଏହି ମଧ୍ୟରେ ଇସ୍ରାଏଲ ସିରିଆ ଉପରେ ହମଲା ଜୋରଦାର କରିଛି। ଇସ୍ରାଏଲ ୮ ଡିସେମ୍ୱରରେ ଅସଦଙ୍କ ଶାସନ ଶେଷ ହେବା ପରେ ଦିନରାତି ଦେଶର ଅଲଗା ଅଲଗା ଭାଗକୁ ଆତଙ୍କ ଖେଳାଉଛି। 

ଗତ ୭ ଦିନରେ ଇସ୍ରାଏଲ ସିରିଆରେ ୮୦୦ରୁ ଅଧିକ ଏୟାର ଷ୍ଟ୍ରାଇକ୍‌ କରି ସାରିଛି। ଗତ୧୨ ଘଣ୍ଟାରେ ୬୧ରୁ ଅଧିକ ହମଲା ହୋଇଛି। ଏଥିରେ ଅଧିକାଂଶ ସେନା ଠିକଣାକୁ ଧ୍ୱଂସବିଧ୍ୱଂସ କରିବା ସାମିଲ ଅଛି। ଇସ୍ରାଏଲୀୟ ହମଲାକୁ ଜବାବ ଦେଇ ଏଚଟିଏସର ନେତା କହିଛନ୍ତି ଯେ,  ସେ ଏବେ ଆଉ ଯୁଦ୍ଧ ଚାହୁଁ ନାହାନ୍ତି। ସେ ଇସ୍ରାଏଲକୁ ଚେତାବନୀ ମଧ୍ୟ ଦେଇଛନ୍ତି।

ଇସ୍ରାଏଲୀୟ ବାୟୁ ସେନା ସିରିଆରେ ସେନା ଓ ଗୋଳା ବାରୁଦ ସ୍ଥଳ ଗୁଡ଼ିକୁ ଟାର୍ଗେଟ୍‌ କରି ଅନେକ ହମଲା କରିଛନ୍ତି। ସିରିଆର ନେତା ଏହି ହମଲାର ବିରୋଧରେ ଚେତାବନୀ ଦେଇଛନ୍ତି, କିନ୍ତୁ ଏହାସହ କହିଛନ୍ତି ଯେ, ତାଙ୍କ ଦେଶ ନୂଆ ସଂଘର୍ଷ ଚାହୁଁ ନାହାନ୍ତି। ସିରିଆର ରାଜଧାନୀ ଡମିସ୍କରୁ ରିପୋର୍ଟିଂ କରି ଅଲ ଜଜିରାର ରେସୁଲ ସର୍ଦାର କହିଛନ୍ତି , ଗତ ୧୨ ଘଣ୍ଟାରେ ୬୦ରୁ ଅଧିକ ଇସ୍ରାଏଲ ହମଲା ହୋଇଛି। ସେ ଆହୁରି କହିଛନ୍ତି ,ଗତ ସପ୍ତାହରେ ସିରିଆନ୍‌ ରାଷ୍ଟ୍ରପତି ବଶର ଅଲ୍-ଅସଦଙ୍କୁ ପଦରୁ ହଟା ଯିବା ପର ଠାରୁ ଇସ୍ରାଏଲ ସିରିଆରେ ପାଖାପାଖି ୮୦୦ ଏୟାରଷ୍ଟ୍ରାଇକ୍‌ କରିଛି।