ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ବୁଧବାର ପିଏମ୍ ମୋଦିଙ୍କ ପାଖକୁ ଆସିଥିଲା ଏହି ଫୋନ୍ କଲ। ଦୁଇ ନେତା ଆତଙ୍କବାଦ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ରିପୋର୍ଟ ଅନୁଯାୟୀ, ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାରେ ଚାଲିଥିବା ଅଗ୍ରଗତିରେ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପାରସ୍ପରିକ ଲାଭ ପାଇଁ ଏହି ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଦୁଇ ନେତା ଆତଙ୍କବାଦ ଉପରେ ମଧ୍ୟ ଆଲୋଚନା କରିଥିଲେ। ଏହାକୁ ନିନ୍ଦା କରିଥିଲେ ଏବଂ ଆତଙ୍କବାଦର ସମସ୍ତ ରୂପ ଏବଂ ଅଭିବ୍ୟକ୍ତି ପ୍ରତି ଜିରୋ ଟଲେରାନ୍ସ ବା ଶୂନ୍ୟ ସହନଶୀଳତା ଲାଗୁ ହେବ ବୋଲି ଆଭିମୁଖ୍ୟକୁ ଦୋହରାଇଥିଲେ। ସେମାନେ ପଶ୍ଚିମ ଏସିଆର ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଗାଜା ଶାନ୍ତି ଯୋଜନାର ଶୀଘ୍ର କାର୍ଯ୍ୟାନ୍ୱୟନ ସମେତ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପାଇଁ ଭାରତର ସମର୍ଥନକୁ ପୁନଃଦୋହରାଇଥିଲେ। ଦୁଇ ନେତା ଯୋଗାଯୋଗରେ ରହିବା ଏବଂ ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ସହମତି ପ୍ରକାଶ କରିଥିଲେ।
ଉଲ୍ଲେଖନୀୟ ଯେ, ପିଏମ୍ ମୋଦି ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ମଧ୍ୟରେ ଅକ୍ଟୋବରରେ ମଧ୍ୟ ଫୋନ୍ ଯୋଗେ ଆଲୋଚନା ହୋଇଥିଲା। ସେତେବେଳେ ପିଏମ୍ ମୋଦି ନେତନ୍ୟାହୁଙ୍କୁ ଫୋନ୍ କରି ଗାଜା ଯୁଦ୍ଧ ରୋକିବାକୁ ଏବଂ ପ୍ରସ୍ତାବିତ ଗାଜା ଶାନ୍ତି ଯୋଜନା ବଜାୟ ରଖିଥିବା ନେଇ ଶୁଭେଚ୍ଛା ଜଣାଇଥିଲେ। ସେବେଳେ ମୋଦିଙ୍କ ସହ ଫୋନ୍ରେ କଥା ହେବା ବେଳେ ନେତନ୍ୟାହୁ ତାଙ୍କର ସୁରକ୍ଷା କ୍ୟାବିନେଟ୍ ବୈଠକକୁ ଅଳ୍ପ ସମୟ ପାଇଁ ଘୁଞ୍ଚାଇ ଦେଇଥିଲେ।
ଆହୁରି ପଢନ୍ତୁ: ଦିଲ୍ଲୀ ବୋମା ବିସ୍ଫୋରଣ: ଆମିର ଓ ଜସିର ସ୍ପେଶାଲ କୋର୍ଟରେ ହାଜର, ୧୪ ଦିନକୁ ବଢିଲା ବିଚାର ବିଭାଗୀୟ ହାଜତ ମିଆଦ
ନିକଟରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ଦୁଇ ଦିନିଆ ଗସ୍ତରେ ଭାରତ ଆସିଥିଲେ। ଦୁଇ ଦେଶ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଚୁକ୍ତି ସାକ୍ଷର ହୋଇଥିଲା। ଏହି ସମୟରେ ମୋଦି-ପୁଟିନ୍ଙ୍କ ଦୋସ୍ତିକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ସାରାବିଶ୍ବର ନଜର ମଧ୍ୟ ଦୁଇ ଶକ୍ତିଶାଳୀ ନେତାଙ୍କ ଉପରେ ଥିଲା। ଠିକ୍ ସେଭଳି ନେତନ୍ୟାହୁ ମଧ୍ୟ ନିକଟରେ ଇସ୍ରାଏଲ ସଂସଦରେ ପିଏମ୍ ମୋଦିଙ୍କୁ ନିଜର ବନ୍ଧୁକ ବୋଲି କହିଥିଲେ। ଏହା ସହ କହିଥିଲେ ଆମେ ଖୁବ୍ ଶୀଘ୍ର ଭେଟିବାର ଯୋଜନା କରୁଛୁ।