ନୂଆଦିଲ୍ଲୀ, ୧୦/୦୪ : ଇରାନ-ଆମେରିକା ଭିତରେ ମଧ୍ୟସ୍ଥତା କରିବାକୁ ପଶି ଫସିଗଲା ପାକିସ୍ତାନ। ଗୋଟିଏ ପଟେ ଲେବନାନରେ ଇସ୍ରାଏଲର ମିଶାଇଲ୍ ବର୍ଷା ପରେ ସିଜଫାୟାର ଭାଙ୍ଗିବା ଖଣ୍ଡା ଝୁଲୁଥିବା ବେଳେ ଏବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ରାଗି ଯାଇଛନ୍ତି ନେତନ୍ୟାହୁ। ଶୁକ୍ରବାର ପାକ୍ ମନ୍ତ୍ରୀ ଖ୍ଵାଜା ଆସିଫ୍ ଏକ ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ଇସ୍ରାଏଲ୍ ରାଗି ଯାଇଛି ଏବଂ ଏଭଳି ପ୍ରତିକ୍ରିୟାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛି।
ଲେବାନନ ଉପରେ ମିଶାଇଲ୍ ବର୍ଷା ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ଵାଜା ଆସିଫ୍ ଇସ୍ରାଏଲ୍ ଉପରେ ନରସଂହାର ଆରୋପ ଲଗାଇଥିଲେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କହିଥିଲେ ଯେ, ଇସ୍ରାଏଲ ଖରାପ, ମାନବତା ପାଇଁ ଅଭିଶାପ ଏବଂ କ୍ୟାନସର। ଇସଲାମାବାଦରେ ଶାନ୍ତି ବାର୍ତ୍ତା ଚାଲିଥିବା ବେଳେ ଇସ୍ରାଏଲ୍ ଲେବାନନରେ ନରସଂହାର କରୁଛି। ନିର୍ଦ୍ଦୋଶ ନାଗରିକଙ୍କୁ ହତ୍ୟା କରୁଛି। ପ୍ରଥମେ ଗାଜା, ପରେ ଇରାନ ଏବଂ ଏବେ ଲେବାନନରେ ରକ୍ତ ସଙ୍ଘର୍ଷ ଚାଲିଛି। ଏହି ପୋଷ୍ଟ ପରେ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ପାକିସ୍ତାନ ମନ୍ତ୍ରୀଙ୍କୁ କଡ଼ା ଜବାବ ଦିଆଯାଇଛି। ଏଭଳି ପ୍ରତିକ୍ରିୟାକୁ କୌଣସି ସରକାର ପରଦାସ୍ତ କରିବେ ନାହିଁ ବୋଲି କୁହାଯାଇଛି।
ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଦୋନ ସାର ମଧ୍ୟ ଆସିଫଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପାକ୍ ବୈଦେଶିକ ମନ୍ତ୍ରୀ ଇହୁଦୀ ବିରୋଧୀ। ଶାନ୍ତି ବାର୍ତ୍ତା ପାଇଁ ମଧ୍ୟସ୍ଥତା କରିବାକୁ ଦାବି କରୁଥିବା ଦେଶ ପାଇଁ ଏଭଳି ଟିପ୍ପଣୀ ଅନୁଚିତ୍। ଇସ୍ରାଏଲକୁ କ୍ୟାନ୍ସର କହିବା ତାଙ୍କ ପାଇଁ ଭାରି ପଡ଼ିପାରେ।
ଏହି ଖବରଟିକୁ ପଢନ୍ତୁ- ପିସ୍ ଟକ୍ ନା ପ୍ରେସର ଗେମ୍...ଇସଲାମାବାଦରେ ଇରାନ ସହ 'ସରେଣ୍ଡର ଡିଲ୍' କରିପାରିବେ ତ ଟ୍ରମ୍ପ ?