ନୂଆଦିଲ୍ଲୀ,୧୬।୯: ମଧ୍ୟ ପ୍ରାଚ୍ୟରେ ବଢୁଛି ଉତ୍ତେଜନ। କାତାରର ରାଜଧାନୀ ଦୋହା ଉପରେ ବୋମା ବର୍ଷା ପରେ ଇସ୍ରାଏଲ ଟାର୍ଗେଟରେ ଏବେ ୟେମେନ। ମଙ୍ଗଳବାର ଇସ୍ରାଏଲୀ ସେନା ଏଭଳି ଏକ ଘୋଷଣା କରିଛି। ସେନା ପକ୍ଷରୁ କୁହାଯାଇଛି, ୟେମେନର ପ୍ରମୁଖ ବନ୍ଦର ଗୁଡିକୁ ଟାର୍ଗେଟ କରାଯିବ। ୟେମେନ ଲୋହିତ ସାଗରର ବନ୍ଦର ହୋଦୋଇଦାହକୁ ଖାଲି କରିବାର ନିର୍ଦ୍ଦେଶ ଜାରି କରିଛି।
ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ଇସ୍ରାଏଲ ୟେମେନ ଉପରେ ଆକ୍ରମଣ କରିଥିଲା। ରାଜଧାନୀ ସନାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୨୬ଜଣ ସ୍ଥାନୀୟ ଗଣମାଧ୍ୟମ କର୍ମଚାରୀ ଥିଲେ। ୟେମେନର ହୁତି ସମୁହ ରବିବାର ସୂଚନା ଦେଇଥିଲା ଯେ, ଆକ୍ରମଣରେ ୧୬୫ ଜଣ ଆହତ ମଧ୍ୟ ହୋଇଥିଲେ, ଯାହାଙ୍କ ଭିତରେ ମହିଳା ଓ ଶିଶୁ ରହିଛନ୍ତି।
ତେବେ ଇସ୍ରାଏଲ ସେନା କହିଥିଲା, ସେ କବେଳ ସେନା ଶିବର, ହୁତି ଜନସମ୍ପର୍କ ମୁଖ୍ୟାଳୟ ଓ ଇନ୍ଧନ ଯୋଗାଣ ସ୍ଥାନକୁ ଟାର୍ଗେଟ କରିଥିଲା।ଏହି କାର୍ଯ୍ୟାନୁଷ୍ଠାନ ହୁତି ବିଦ୍ରୋହୀଙ୍କ ଦ୍ବାରା ପ୍ରଥମେ କରାଯାଇଥିବା ଡ୍ରୋନ୍ ଓ ମିସାଇଲ ଆକ୍ରମଣର ଜବାବ୍ରେ ଦିଆଯାଇଥିଲା।