ନୂଆଦିଲ୍ଲୀ - ଗାଜା ଷ୍ଟ୍ରିପ୍ ଏବଂ ମିଶର ମଧ୍ୟରେ ଥିବା ରାଫା ବର୍ଡର କ୍ରସିଂ (Rafah border crossing) ରବିବାର ( ୧ ଫେବ୍ରୁଆରୀ) ଠାରୁ ପୁନର୍ବାର ଖୋଲାଯିବ। ଏନେଇ ଇସ୍ରାଏଲ୍ ସରକାର ବଡ଼ ଘୋଷଣା କରିଛନ୍ତି। ଏହି ପଥ ପ୍ରାୟ ଦୁଇ ବର୍ଷ ଧରି ବନ୍ଦ ରହିଥିଲା। ମେ ମାସ ୨୦୨୪ ତାରିଖରେ ଇସ୍ରାଏଲ୍ ସେନା ଦ୍ୱାରା ଏହାକୁ ଦଖଲ କରାଯାଇ ଥିଲା।

ଇସ୍ରାଏଲର କୋଅର୍ଡିନେଟର ଅଫ୍ ଗଭର୍ଣ୍ଣମେଣ୍ଟ ଆକ୍ଟିଭିଟିଜ୍ ଇନ୍ ଦି ଟେରିଟୋରିଜ୍ (COGAT) ଏକ ବିବୃତ୍ତିରେ କହିଛି ଯେ, ରବିବାର ଠାରୁ ସୀମିତ ଲୋକଙ୍କ ଯାତାୟାତ ପାଇଁ ପଥଟି ଉଭୟ ଦିଗରେ ଖୋଲାଯିବ। ଏହା କେବଳ ଲୋକଙ୍କ ପାଇଁ ହେବ, ସାମଗ୍ରୀ କିମ୍ବା ସହାୟତା ପାଇଁ ନୁହେଁ। ଏହି ପଦକ୍ଷେପ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଯୁଦ୍ଧବିରତି ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ବିବେଚନା କରାଯାଉଛି।

ଏହାସହ ମଧ୍ୟ ପଢନ୍ତୁ : ଯିଏ ତେଲ ଯୋଗାଇବ, ତା’ ବେଳା ଖରାପ’; ଗ୍ରୀନଲ୍ୟାଣ୍ଡ ପରେ ଏବେ ଟ୍ରମ୍ପଙ୍କ ଟାର୍ଗେଟରେ ଆଉ ଏକ ଦେଶ

ରାଫା ପଥ ଗାଜାର ବାହ୍ୟ ଜଗତ ସହ ଏକମାତ୍ର ସ୍ଥଳପଥ, ଯାହା ମାନବିକ ସହାୟତା ଏବଂ ଲୋକଙ୍କ ଯାତାୟାତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। COGAT କହିଛିଯେ, ଗାଜାରୁ ବାହାରକୁ ଯିବା ଏବଂ ଫେରିବା ମିଶର ସହ ସମନ୍ୱୟରେ, ଇସ୍ରାଏଲର ପୂର୍ବ ସୁରକ୍ଷା ଯାଞ୍ଚ ପରେ ଏବଂ ୟୁରୋପିଆନ୍ ୟୁନିଅନର ତତ୍ତ୍ୱାବଧାନରେ ହେବ। ଏହା ୨୦୨୫ ଜାନୁଆରୀରେ ପ୍ରୟୋଗ ହୋଇଥିବା ବ୍ୟବସ୍ଥା ପରି ହେବ। ଯୁଦ୍ଧ ସମୟରେ ଗାଜା ଛାଡ଼ିଥିବା ବାସିନ୍ଦାମାନଙ୍କୁ ଫେରିବାକୁ ଅନୁମତି ଦିଆଯିବ, କିନ୍ତୁ ସୁରକ୍ଷା ଯାଞ୍ଚ ଆବଶ୍ୟକ ହେବ।

ଏହି ଘୋଷଣା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏବଂ ଗାଜାର ନୂଆ ନିଯୁକ୍ତ ପ୍ରଶାସନିକ କମିଟିର ମୁଖ୍ୟ ଆଲି ଶାଥଙ୍କ ବିବୃତି ପରେ ଆସିଛି। ଯୁଦ୍ଧରେ ଅନ୍ତିମ ଇସ୍ରାଏଲୀୟ ବନ୍ଦୀଙ୍କ ଅବଶେଷ ଫେରିବା ପରେ ଏହି ପଥ ଖୋଲିବାର ରାସ୍ତା ସଫଳ ହୋଇଛି।