ନୂଆଦିଲ୍ଲୀ, ୩୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଆଦେଶ ଉପରେ ଦସ୍ତଖତ କରିଛନ୍ତି । ଯେଉଁଥିରେ କ୍ୟୁବାକୁ ତେଲ ଯୋଗାଣ କରୁଥିବା ଦେଶଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏହା ଅଧିନରେ କ୍ୟୁବାକୁ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ଭାବରେ ତେଲ ବିକ୍ରୟ କରୁଥିବା ଦେଶଗୁଡ଼ିକର ଉତ୍ପାଦ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇପାରେ । ଏହି ପଦକ୍ଷେପ ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ ଅଧିନରେ ନିଆଯାଇଛି । ଏହି ଆଦେଶରେ କ୍ୟୁବାର କମ୍ୟୁନିଷ୍ଟ ସରକାରଙ୍କୁ ଆମେରିକାର ଜାତୀୟ ସୁରକ୍ଷା ପାଇଁ ଏକ ବଡ଼ ବିପଦ ବୋଲି ଘୋଷଣା କରାଯାଇଛି । ଅଭିଯୋଗ ହୋଇଛି ଯେ, ହାଭାନା ରୁଷ, ଚୀନ, ଇରାନ ଭଳି ଶତ୍ରୁ ଦେଶ ସହିତ ସହଯୋଗରେ କାମ କରୁଛି । ସେମାନେ ହମାସ, ହିଜବୋଲ୍ଲା ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରୁଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, “କ୍ୟୁବାକୁ ଆଉ ତେଲ କିମ୍ୱା ଟଙ୍କା ଯିବ ନାହିଁ - ଜିରୋ !” ସେ କ୍ୟୁବାକୁ ଏକ ଚୁକ୍ତି କରିବାକୁ ପରାମର୍ଶ ଦେଇଥିଲେ, ଯେଉଁଥିରେ ସେ କହିଥିଲେ, ଦେଶ ବିଫଳତାର ଦ୍ୱାରରେ ଅଛି । ହାଭାନା ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ । ଏହି ଆଦେଶ ପରେ ମେକ୍ସିକୋ କ୍ୟୁବାକୁ ଅସ୍ଥାୟୀ ଭାବରେ ତେଲ ଯୋଗାଣ ବନ୍ଦ କରିଦେଇଛି । ଅଲ୍ ଜଜିରା ରିପୋର୍ଟ ଅନୁଯାୟୀ, ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସିନବାଉମ୍ ଏ ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, “ଏହା ଆମେରିକୀୟ ଚାପର ଫଳାଫଳ ନୁହେଁ । ଏହା ଆବଶ୍ୟକତା ଅନୁସାରେ ନିଆଯାଇଥିବା ନିଷ୍ପତ୍ତି । ଆମେ କ୍ୟୁବା ସହିତ ଏକତା ବଜାୟ ରଖିବୁ ।”

​​​​​​​

କ୍ୟୁବାକୁ ମେକ୍ସିକୋର ବଡ଼ ଝଟକା:

ପୂର୍ବରୁ ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ପରେ ଜାନୁଆରୀ ୨୦୨୫ରେ ଭେନେଜୁଏଲାରୁ ତୈଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ପୂର୍ବ ମାସଗୁଡ଼ିକରେ ମେକ୍ସିକୋ କ୍ୟୁବାର ମୋଟ୍ ତୈଳ ଆମଦାନୀରେ ୪୪ ପ୍ରତିଶତ ଯୋଗାଉଥିଲା, ଯେତେବେଳେ ଭେନେଜୁଏଲା ୩୩ ପ୍ରତିଶତ ଏବଂ ରୁଷର ୧୦ ପ୍ରତିଶତ ଯୋଗାଦାନ ଥିଲା । ପେମେକ୍ସ ୨୦୨୫ର ପ୍ରଥମ ୯ ମାସରେ କ୍ୟୁବାକୁ ଦୈନିକ ହାରାହାରି ୨୦ ହଜାର ବ୍ୟାରେଲ ତେଲ ପଠାଇଥିଲା । ବର୍ତ୍ତମାନ ପ୍ରମୁଖ ଉତ୍ସ ବନ୍ଦ ହେବା କ୍ୟୁବାରେ ଇନ୍ଧନ ସଙ୍କଟକୁ ଆହୁରି ଘନିଷ୍ଠ କରିଛି । କ୍ୟୁବା କୂଚନୀତିଜ୍ଞମାନେ କାରିବିଆନରେ ଆମେରିକା ଉପରେ ଅନ୍ତର୍ଜାତୀୟ ଡକାୟତି ଅଭିଯୋଗ କରିଛନ୍ତି । ୧୯୫୯ ବିପ୍ଳବ ପରେ କ୍ୟୁବା ସବୁଠାର ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ଇନ୍ଧନ ଅଭାବ ଯୋଗୁଁ ବିଦ୍ୟୁତ୍ ବିଭ୍ରାଟ ଏବଂ ଖାଦ୍ୟ ଏବଂ ପାଣି ଯୋଗାଣରେ ବାଧା ସୃଷ୍ଟି ହୋଇଛି ।